Odia News Portal

୨୦୧୯ରେ ରାଜ୍ୟ ପ୍ରଶାସନ ଦୃଶ୍ୟପଟ : ୫-ଟି ଓ ମୋ ସରକାର ସବୁଠାରୁ ଚର୍ଚ୍ଚିତ ପଦକ୍ଷେପ

ଭୁବନେଶ୍ୱର : ଆଜି ସରିଛି ୨୦୧୯ ମସିହା । ଏହି ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ ସହିତ ରାଜ୍ୟ ଶାସନରେ ରେକର୍ଡ କରିଥିବାବେଳେ ପ୍ରଶାସନରେ କିନ୍ତୁ ଦୁଇଟି ପଦକ୍ଷେପ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ତାହା ହେଉଛି ‘୫-ଟି’ ଓ ‘ମୋ ସରକାର’ । ଏହି ଦୁଇଟିକୁ ଆୟୁଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଦେବାକୁ ପ୍ରତିଶ୍ରୁତିବଦ୍ଧ । ରାଜ୍ୟ ସରକାର ୫-ଟି କାର୍ଯ୍ୟକାରୀ କରିବା ସହିତ ଏହାର ସଚିବ ଭାବେ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନିଯୁକ୍ତ କରିଛନ୍ତି । ତେବେ ୫-ଟି ସଚିବ ଦାୟିତ୍ୱ ନେବାପରେ ରାଜ୍ୟ ପ୍ରଶାସନର ଚେହେରା ଏକଦମ ବଦଳି ଯାଇଛି । ୫-ଟି ସଚିବଙ୍କ ଠାରୁ ମୁଖ୍ୟ ସଚିବ, ଉନ୍ନୟନ କମିଶନର ଆଦି ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲାକୁ ଘନ ଘନ ଗସ୍ତ କରିବାରେ
ଲାଗିଛନ୍ତି ।

 

ଏଥି ସହିତ କେଉଁ ବିଭାଗରେ ୫-ଟି କିଭଳି କାର୍ଯ୍ୟକାରୀ ହେଉଛି ତାହାର ମଧ୍ୟ ନିୟମିତ ସମୀକ୍ଷା ହେବାରେ ଲାଗିଛି । ପ୍ରତ୍ୟେକ ବିଭାଗ ପକ୍ଷରୁ ଏହି ଯୋଜନାଟି କିଭଳି କାର୍ଯ୍ୟକାରୀ ହେଉଛି ସେ ସଂକ୍ରାନ୍ତରେ ରିପୋର୍ଟ ହେଉଥିବାବେଳେ ମୁଖ୍ୟମବୀ ଏହା ଉପରେ ସ୍ୱତବ ଭାବେ ଗୁରୁତ୍ୱ ଦେଉଛନ୍ତି । ୫-ଟି ରେ ଥିବା ଟ୍ରାନ୍ସପରାନ୍ସି, ଟାଇମ, ଟିମ୍‍ୱାର୍ଡ ଓ ଟେକ୍ନୋଲୋଜି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ୫-ଟି ପରେ ମୁଖ୍ୟମନ୍ତ୍ରୀ ତାଙ୍କର ପୂର୍ବ ଘୋଷଣା ଅନୁଯାୟୀ ଗାନ୍ଧୀଜୟନ୍ତୀରୁ କାର୍ଯ୍ୟକାରୀ କରିଛନ୍ତି ମୋ ସରକାର ଯୋଜନା । ପ୍ରଥମେ ସ୍ୱାସ୍ଥ୍ୟ ଓ ସ୍ୱରାଷ୍ଟ୍ର ବିଭାଗରେ କାର୍ଯ୍ୟକାରୀ ହୋଇଥିବା ଏହି ନୂତନ ଯୋଜନା ଏବେ କୃଷି, ଉଚ୍ଚଶିକ୍ଷା, ନଗର ଉନ୍ନୟନ ଆଦି ବିଭାଗରେ କାର୍ଯ୍ୟକାରୀ ହୋଇଥିବାବେଳେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ । ଏହି ଯୋଜନାର ସବୁଠାରୁ ବଡ ଦିଗଟି ହେଲା ଲୋକେ କିଭଳି ବିଭାଗ ଅଧିନରେ ଥିବା ଦପ୍ତର ବିଶେଷକରି ଡାକ୍ତରଖାନା ଓ ଥାନା ଗୁଡିକରେ ସେବା ପାଉଛନ୍ତି ସେ ସଂକ୍ରାନ୍ତରେ ଖୋଦ୍‍ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଫୋନ୍‍ କରୁଛନ୍ତି । ଲୋକଙ୍କ ମତାମତ ଲୋଡୁଛନ୍ତି ।

 

ସେହି ଆଧାରରେ ପଦକ୍ଷେପ ନିଆଯାଉଛି । ଯଦି କୌଣସି ଠାରେ କାର୍ଯ୍ୟରେ ବ୍ୟତିକ୍ରମ ଦେଖାଯାଉଛି ତେବେ ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉଛି । ମୋ ସରକାର ଯୋଜନା କାର୍ଯ୍ୟକାରୀ ହେବାପରେ ଡାକ୍ତରଖାନା ଓ ଥାନା ଗୁଡିକରେ ଲୋକଙ୍କ ପ୍ରତି ବ୍ୟବହାରରେ ପରିବର୍ତ୍ତନ ହୋଇଛି । ଲୋକେ ବି ଉତ୍ତମ ସେବା ଓ ବ୍ୟବହାର ପାଇ ଖୁସି ଅଛନ୍ତି । ୫-ଟି ଓ ମୋ ସରକାର କୁ ଅଧିକ ତ୍ୱରାନ୍ୱିତ କରିବାକୁ ଯାଇ ରାଜ୍ୟ ସରକାର ଏବେ ବିଭନ୍ନ ସାର୍ଟିଫିକେଟ ଉପରେ ଥିବା କଟକଣାକୁ ଉଠାଇଦେବା ସହିତ ଲୋକଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ଦେୟମୁକ୍ତ କରିଦେଇଛନ୍ତି । ଏପରିକି ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀ ସରକାରୀ ପ୍ରାପ୍ୟ ପାଇବାପାଇଁ ଉତ୍ତରାଧିକାରୀ ପ୍ରମାଣପତ୍ର ଯୋଗାଡ ଲାଗି ଆଉ ତହସିଲ ଦପ୍ତରକୁ
ଦଉଡିବାକୁ ପଡିବନାହିଁ । ନିଯୁକ୍ତି କିମ୍ବା ପାଠ ପଢିବା ସମୟରେ ଆବେଦନକାରୀମାନେ ସେମାନଙ୍କ ଆୟ ଓ ବାସସ୍ଥାନର ପ୍ରମାଣପତ୍ର ନିଜେ ଘୋଷଣା କରି ଦେଇପାରିବେ । ପୂର୍ବଭଳି ଏଥିପାଇଁ ଆଉ ଖର୍ଚ୍ଚାନ୍ତ ହେବାକୁ ପଡିବନାହିଁ କି ସରକାରୀ ବାବୁମାନଙ୍କ ନିକଟରେ ଗୋଡଭାଙ୍ଗି ଛିଡା ହେବାକୁ ପଡିବନାହିଁ ।

 

୨୦୧୯ ମସିହାରେ ରାଜ୍ୟ ପ୍ରଶାସନରେ ଯେତେ ଗୁଡିଏ
ପଦକ୍ଷେପ ହାତକୁ ନିଆଯାଇଛି ସେଥି ମଧ୍ୟରେ ୫-ଟି ଓ ମୋ ସରକାର ସବୁଠାରୁ ଚର୍ଚ୍ଚିତ ହୋଇଥିବାବେଳେ ଆଗାମୀ ଦିନରେ ଏହା କେବଳ ରାଜ୍ୟ ସରକାର ନୁହେଁ ରାଜ୍ୟବାସୀଙ୍କ ପାଇଁ ବି ବରଦାନ ସଦୃଶ୍ୟ ହେବ ବୋଲି ଆଶା କରାଯାଉଛି ।