Odia News Portal

ଯନ୍ତ୍ରୀଙ୍କ ପାଇଁ ମନ୍ତ୍ରୀଙ୍କ ଚାପ !

ଭୁବନେଶ୍ୱର : ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ (ମେମ୍ବର ସେକ୍ରେଟାରୀ) ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ନେଇ ଏବେ ଜୋରଦାର ଲବି । ଏହି ପଦବୀରେ ସାଧାରଣତଃ ଭାରତୀୟ ଜଙ୍ଗଲ ସେବା (ଆଇଏଫ୍‍ଏସ୍‍) ଅଫିସରମାନେ ବସୁଥିବାବେଳେ ବର୍ତ୍ତମାନ ଜଣେ ଅଣ ଆଇଏଫ୍‍ଏସ୍‍ ଅଫିସରଙ୍କୁ ଏଠାରେ ବସାଇବାପାଇଁ ଦୁଇଜଣ ମନ୍ତ୍ରୀ ଓ ଜଣେ ବରିଷ୍ଠ ସଚିବ ଲବି ଚଳାଇଥିବା ନେଇ ଏବେ ଚର୍ଚ୍ଚା ଜୋରଦାର ହୋଇଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ବୋର୍ଡରେ କାର୍ଯ୍ୟରତ ଥିବା ସଦସ୍ୟ ସଚିବ ଆସନ୍ତା ମାସରେ ଖଣି ବିଭାଗରନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇବାର ଅଛି । ବର୍ତ୍ତମାନ ଖଣି ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ଅଧିକାରୀ ଅବସର ପରେ ଦୀର୍ଘଦିନ ହେଲା ପୁନଃ ନିଯୁକ୍ତି ପାଇଥିବାବେଳେ ତାଙ୍କର ଆଉ ଚାକିରି ନବୀକରଣ ହେବାର ନାହିଁ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ସେହି ପଦନବୀକୁ ଯିବା ଏକ ପ୍ରକାର ନିଶ୍ଚିତ ହୋଇଛି । ତେଣୁ ବୋର୍ଡରେ ସଚିବ ପଦବୀ ଖାଲି ପଡିଥିବାରୁ ସେଠାକୁଯିବାପାଇଁ ସେହି ଦପ୍ତରରେ ଥିବା ଜଣେ ଯନ୍ତ୍ରୀ ଏବେ ପୂରା ଦମ୍‍ରେ ଲାଗିଛନ୍ତି ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଭାରତୀୟ ଜଙ୍ଗଲ ସେବାର ଅଧିକାରୀ ହୋଇନଥିଲେ ମଧ୍ୟ ସମ୍ପୃକ୍ତ ଯନ୍ତ୍ରୀଙ୍କ ପାଇଁ ପଶ୍ଚିମ ଓ ଦକ୍ଷିଣ ଓଡିଶାର ଦୁଇଜଣ ମନ୍ତ୍ରୀ ଜୋରଦାର ଲବି କରିବା ସହିତ ଜଣେ ବରିଷ୍ଠ ଆଇଏଏସ୍‍ ଅଫିସର ମଧ୍ୟ ତାଙ୍କ ସପକ୍ଷରେ ଲବି ଚଳାଇଛନ୍ତିଫା ଏଥିଯୋଗୁଁ ନିକଟରେ ଜଣେ ଆଇଏଫ୍‍ଏସ୍‍ ଅଫିସରଙ୍କ ନାମ ସଦସ୍ୟ ସଚିବ ପଦବୀ ପାଇଁ ଯାଇଥିବାବେଳେ ତାହା କାଟ୍‍ ଖାଇ ଯାଇଛି । କୌଣସି ପ୍ରକାରେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ସଦସ୍ୟ ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସାଇବାପାଇଁ ଦୁଇ ମନ୍ତ୍ରୀଦିନ ରାତି ଏକ କରି ଦେଇଛନ୍ତି ।
ତେବେ ବୋର୍ଡ ଦପ୍ତରରେ ହେଉଥିବା ଆଲୋଚନା ଅନୁଯାୟୀ ସମ୍ପୃକ୍ତ ଯନ୍ତ୍ରୀ ଦୀର୍ଘବର୍ଷ ହେଲା ଏଠାରେ ଆସ୍ଥାନ ଜମାଇଥିବାବେଳେ ଏବେ ସଦସ୍ୟ ସଚିବ ପଦବୀ ଉପରେ ଆଖି ପକାଇଛନ୍ତି । ଏହି ଅଧିକାରୀ ଜଣଙ୍କ ହାତରେ ସମଗ୍ର ରାଜ୍ୟର ଶିଳ୍ପ ସଂସ୍ଥାର ପ୍ରଦୂଷଣ ନିୟନ୍ତ୍ରଣ ଦାୟିତ୍ୱ ଥିବାବେଳେ ଏହି କାମ ପାଇଁ ନିଜ ପରିବାର ନାଁରେ ଗୋଟିଏ ସଂସ୍ଥା ଖୋଲି ସାଜ ସରଞ୍ଜାମ ଯୋଗାଉଛନ୍ତି । ଏ ବାବଦରେ କୋଟି କୋଟି ଟଙ୍କାର ବେନାମୀ ବ୍ୟବସାୟ ଚଳାଉଥିବାବେଳେ ଏବେ ତାହାକୁ ମଝବୁତ କରିବାପାଇଁ ଦୁଇ ମନ୍ତ୍ରୀଙ୍କ ଶରଣ ପଶିଛନ୍ତି । ହେଲେ କ୍ୟାଡର ଯନ୍ତ୍ରୀଙ୍କ ପଦବୀରେ ଜଣେ ଅଣ କ୍ୟାଡର ଅଫିସରଙ୍କୁ ବସାଇ ଆଇଏଫ୍‍ଏସ୍‍ ମହଲରେ ଅସନ୍ତୋଷ ସୃଷ୍ଟିପାଇଁ ରାଜ୍ୟ ପ୍ରଶାସନ ଚାହୁଁନଥିବାର ସୂଚନା ମିଳୁଛି ।

ତେଣୁ ଦୁଇ ମନ୍ତ୍ରୀ ଓ ଜଣେ ଆଇଏଏସ୍‍ ଅଫିସରଙ୍କ ଲବିକୁ ସରକାର ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । କ’ଣ ପାଇଁ ଜଣେ ଯନ୍ତ୍ରୀଙ୍କୁ ଏହି ପଦବୀରେ ବସାଇବାକୁ ଏଭଳି ଲବି ଚାଲିଛି ତାହାର ଗୁଇନ୍ଦା ସୂଚନା ସଂଗ୍ରହ କରାଯାଉଛି । ତେବେ ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ ଦୁଇ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ମନ୍ତ୍ରୀଙ୍କୁ ଗତ ନିର୍ବାଚନ ସମୟରେ ସମ୍ପୃକ୍ତ ଯନ୍ତ୍ରୀ ଜଣଙ୍କ ଭଲ ରକମର ସହାୟତା କରିଥିବାରୁ ସେ ଏବେ ଋଣ ଶୁଝିବାପାଇଁ ଅଣ୍ଟା ଭିଡିଛନ୍ତି । ତେବେ ଅନ୍ୟ ମନ୍ତ୍ରୀ ଜଣଙ୍କ ନିଜ ଅଞ୍ଚଳରେ ଥିବା ଶିଳ୍ପ ସଂସ୍ଥାଙ୍କ କଥାରେ ପଡି ଏଭଳି ସୁପାରିଶ୍‍ କରିଛନ୍ତି । ସେହିଭଳି ସମ୍ପୃକ୍ତ ଆଇଏଏସ୍‍ ଅଫିସର ଜଣଙ୍କ ପୁରୁଣା ସମ୍ପର୍କ ଦୃଷ୍ଟିରୁ ଲବି ଚଳାଇଛନ୍ତି । ତେବେ ଯନ୍ତ୍ରୀ ଜଣଙ୍କୁ ସଦସ୍ୟ ସଚିବ ଭଳି ପଦବୀରେ ବସାଇଲେ ଆଇଏଫ୍‍ଏସ୍‍ ଅଫିସର ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରଥିବାରୁ ରାଜ୍ୟ ପ୍ରଶାସନ ସେଥିପାଇଁ ଅମଙ୍ଗ ଥିବା ଏହି ସୂତ୍ରରୁ ଜଣାପଡିଛି ।