Odia News Portal

ବାଲୁଙ୍କେଶ୍ୱର ମଣ୍ଡପ ଓ ରୋଷଶାଳାକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର :  କରୋନା ଗାଇଡ୍‌ ଲାଇନ୍‌ କୁ ମାନି ନଥିବାରୁ ଭୁବନେଶ୍ୱରର ଏକ କଲ୍ୟାଣ ମଣ୍ଡପ ଓ ତା’ର ରୋଷଶାଳାକୁ ବିଏମ୍‌ସି ସିଲ୍‌ କରିଛି । ନୟାପଲ୍ଲୀରେ ଥିବା ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ଓ ରୋଷଶାଳାକୁ ସିଲ୍‌ କରାଯାଇଥିବା ବିଏମ୍‌ସି ପକ୍ଷରୁ ଜଣାଯାଇଛି ।

ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦେଖି ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି । ସେଥିପାଇଁ କୈାଣସି ସ୍ଥାନରେ ଏକକାଳୀନ ଅଧିକ ଲୋକ ଏକତ୍ରୀତ ନହେବାକୁ ନିର୍ଦ୍ଦେଶ ଥିଲା ।

ବିଶେଷକରି ବାହାଘର ଓ ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକ ଏକତ୍ରୀତ ନହେବାକୁ ନିର୍ଦ୍ଦେଶ ରହିଥିବା ବେଳେ ସାମାଜିକ ଦୂରତ୍ୱ ମାନି ସାମାଜିକ କାର୍ଯ୍ୟକ୍ରମ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି ।

ହେଲେ ଭୁବନେଶ୍ୱର ନୟାପଲ୍ଲୀରେ ଥିବା ବାଲୁଙ୍କେଶ୍ୱର ବିବାହ ମଣ୍ଡପ ରୋଷଶାଳାରେ ୨୦୦ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା । ଏ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଖବର ପାଇବା ପରେ ବାଲୁଙ୍କେଶ୍ୱର ବିବାହ ମଣ୍ଡପ ଓ ତା’ର ରୋଷଶାଳାକୁ ସିଲ୍‌ କରିଛି ।