Odia News Portal

ଗ୍ରାମାଞ୍ଚଳ କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା ଆମର ଟାର୍ଗେଟ : କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର ( ଚକ୍ରଧର ମାଝି ) : ଭାରତୀୟ ବକ୍ସିଂ ଦୁନିଆର ଅନ୍ୟତମ ସଫଳ କୋଚ୍‍ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବ୍ରଜଭୂଷଣ ମହାନ୍ତି ଏବଂ ଭାରତୀୟ ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଶନିବାର ସ୍ଥାନୀୟ କ୍ରାଉନ୍‍ ହୋଟେଲରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି ।

ପ୍ରଥମ ଓ ଏକମାତ୍ର ଓଡ଼ିଆ ଭାବରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିବା ବ୍ରଜଭୂଷଣକୁ ଜୀବନବ୍ୟାପୀ ସାଧନା ଏବଂ ଅମିତ ରୋହିଦାସଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‍ ପୁରସ୍କାର ପ୍ରଦାନ କରାଯାଇଥିଲା । ଓସ୍‍ଜାର କାର୍ଯ୍ୟନିର୍ବାହୀ ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାରମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା କ୍ରୀଡ଼ାର ଇତିହାସ ରଚନାକାରୀ ଖେଳାଳି ଦେବାଶିଷ ମହାନ୍ତି ଏବଂ ଇମ୍ଫାର କର୍ପୋରେଟ ଆଫାୟର୍ସ ମୁଖ୍ୟ ତଥା ଉପସଭାପତି ଅଶୋକ କୁମାର ବେହେରା ଅତିଥି ଭାବରେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ ।

ନିଜ ଅଭିଭାଷଣରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ଖେଳର ପ୍ରସାରରେ କ୍ରୀଡ଼ା ସାମ୍ବାଦିକମାନଙ୍କର ଗୁରୁତ୍ୱ ବିଷୟ ବର୍ଣ୍ଣନା କରିବା ସାଙ୍ଗକୁ ରାଜ୍ୟରେ ଚାଲିଥିବା ଖେଳ ବିକାଶ କାର୍ଯ୍ୟକ୍ରମ ବାବଦରେ ବତାଇଥିଲେ । ପାରମ୍ପାରିକ ଖେଳ ତଥା ଗ୍ରାମାଞ୍ଚଳର କ୍ରୀଡ଼ାକୁ ଗୁରୁତ୍ୱପ୍ରଦାନ ସହ ଅନ୍ୟ ଖେଳ ସହ ସମାନସ୍ତରକୁ ଆଣିବା ତାଙ୍କର ଏବେ ଟାର୍ଗେଟ ରହିଥିବା କହିଥିଲେ । ହକିର ଗଡ ସୁନ୍ଦରଗଡରେ ହକି ତାଲିମଙ୍କୁ ଅଧିକ ବ୍ୟାପ୍ତ କରିବା ପାଇଁ ଜିଲାର ୧୭ଟି ବ୍ଲକ୍‍ରେ ଆଷ୍ଟ୍ରୋଟର୍ଫ ପଡିଆ କରିବା ପାଇଁ ନିଷ୍ପତ୍ତି ହୋଇଥିବା ସେ କହିଥିଲେ । ଫଳରେ ସ୍ଥାନୀୟ ଖେଳାଳି ନିଜ ଅଞ୍ଚଳରେ ହିଁ ରୋଜ୍‍ ଅଭ୍ୟାସ କରିପାରିବେ ।

ସେହିପରି ୩୦ଟି ଜିଲା ମୁଖ୍ୟାଳୟର ଷ୍ଟାଡିୟମ ଗୁଡିକୁ ଉନ୍ନତ କରିବା ଏବଂ ଭୁବନେଶ୍ୱର ସହ ରାଜ୍ୟର ଅନ୍ୟ ୪ଟି ସହରରେ କ୍ରୀଡ଼ାକେନ୍ଦ୍ର ସ୍ଥାପନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଥିଲେ । ଆସନ୍ତା ନଭେମ୍ବର-ଡିସେମ୍ବରରେ ରାଜ୍ୟର କ୍ରୀଡ଼ା ଶିକ୍ଷକମାନଙ୍କ ଲାଗି ଏକ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ହେଉଥିବା ବତାଇଥିଲେ କ୍ରୀଡ଼ାମନ୍ତ୍ରୀ । ଦେବାଶିଷ ମହାନ୍ତି ଏବଂ ଅଶୋକ କୁମାର ବେହେରା ନିଜ ନିଜ ବକ୍ତବ୍ୟରେ କ୍ରୀଡ଼ାବିତ୍‍ଙ୍କ ଜୀବନରେ ପୁରସ୍କାର ମହତ୍ୱ ବିଷୟ ବତାଇବା ସାଙ୍ଗକୁ ଓସ୍‍ଜାର ପ୍ରୟାସକୁ ପ୍ରଶଂସା କରିଥିଲେ ।