Odia News Portal

ବିଜେପି ପାଇଁ ବିଜେପୁର ଶୁଭଙ୍କର ହେଉନି

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ମଇଦାନରେ ବିଜେପି ତାହାର ସମସ୍ତ ଶକ୍ତି ଖଟାଇଥିବାବେଳେ ଏହି ବିଧାନସଭା ଆସନଟି କିନ୍ତୁ ଦଳ ପାଇଁ ଶୁଭଙ୍କର ହେଉନାହିଁ । ସମସ୍ତ ଅନୁକୂଳ ପରିସ୍ଥିତି ସତ୍ୱେ ୨୦୧୮ର ଉପନିର୍ବାଚନ ହାରିଥିବାବେଳେ ପ୍ରତି ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ନେତାମାନେ ବିଜେପି ଛାଡିବା ଅନ୍ୟତମ ଉଦାହରଣ ପାଲଟିଛି । ୨୦୧୪ ମସିହାର ବିଜୟୀ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅକାଳ ମୃତ୍ୟୁପରେ ବିଜେପୁର ଆସନରେ ୨୦୧୮ ମସିହାରେ ଉପନିର୍ବାଚନ ହୋଇଥିଲା ।

ସେତେବେଳେ ସମଗ୍ର ଦେଶରେ ମୋଦି ହାୱା ବୋହୁଥିବାବେଳେ ଦଳୀୟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ କିନ୍ତୁ ହାରି ଯାଇଥିଲେ । ବିଜେଡିର ରୀତା ସାହୁ ଏଠାରେ ଲକ୍ଷେରୁ ଅଧିକ ଭୋଟ ପାଇଥିବାବେଳେ ଅଶୋକଙ୍କ ଭୋଟ ୬୦ହଜାର ଭିତରେ ସୀମିତ ଥିଲା । ତେବେ ନିର୍ବାଚନର କେଇ ଦିନ ପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ଜିଲ୍ଲା ସଭାପତି ନାରାୟଣ ସାହୁ ଦଳ ଛାଡିବା ଥିଲା ଅନ୍ୟତମ ଘଟଣା ।

ତାଙ୍କୁ ଦଳ ଅଟକାଇ ପାରିନଥିଲା । ସିଏ ଆସି ବିଜେଡିରେ ମିଶିବା ଫଳରେ ବିଜେଡିର ଶକ୍ତି ବଢିଥିଲା । ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ବି ବିଜେପୁରରେ ବିଜପି ହାରିଗଲା । ଏଥର ପ୍ରାର୍ଥୀ ଥିଲେ ସନତ ଗରଡିଆ । ତେବେ ସିଏ ଲଢିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ । ତାଙ୍କର ହାରିବାଟା ଜଳ ଜଳ ହୋଇ ଦିଶୁଥିବାବେଳେ ଭୋଟ ସଂଖ୍ୟା କିନ୍ତୁ ୨୦୧୮ ଉପନିର୍ବାଚନ ତୁଳନାରେ ହ୍ରାସ ପାଇଥିଲା ।

କିନ୍ତୁ ସାଧାରଣ ନିର୍ବାଚନ ସମୟରେ ସବୁଠାରୁ ବଡ ଘଟଣା ଥିଲା ପ୧⁄୨ିମଓଡିଶାରେ ବିଜେପିର ତୁଙ୍ଗ ନେତା ସୁବାସ ଚୌହାନ ଦଳ ଛାଡି ପଳାଇବା । ତାଙ୍କର ବିଜେପି ଛାଡିବା ଦଳ ପାଇଁ କ୍ଷତିକାରଣ ହୋଇଥିଲା । ଶ୍ରୀ ଚୌହାନ ଏବେ ପ୧⁄୨ିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ । ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହିଞ୍ଜିଳି ଆସନକୁ ହାତରେ ରଖି ବିଜେପୁର ଛାଡିବା ଯୋଗୁଁ ଆସନ୍ତା ୨୧ ତାରିଖରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ତେବେ ଏଥର ବି ପୂର୍ବ ଉପନିର୍ବାଚନ ପରି ବିଜେପିର ଅବସ୍ଥା ।

ଭୋଟ ପାଇଁ ହାତରେ ଆଉ ଦିନ କେଇଟା ଥିବାବେଳେ ୨୦୧୮ ଉପନିର୍ବାଚନର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଶନିବାର ବିଜେପି ଛାଡି ଯାଇଛନ୍ତି । ଖାଲି ଛାଡିନାହାନ୍ତି ଦଳ ବିରୁଦ୍ଧରେ ବିଷୋଦଗାର ବି କରିଛନ୍ତି । ଦଳ କିପରି ତାଙ୍କୁ କୋଣଠେସା କରିଛି ତାହାର ଗୋଟି ଗୋଟି କରି ବୟାନ ଦେଇଛନ୍ତି । ତିନି ତିନିଟି ନିର୍ବାଚନରେ ବିଜେପିର ଭୋଟ ହାର କମିବା ଯେତେ ଚର୍ଚ୍ଚାରେ ନାହିଁ ତାହାଠାରୁ ଅଧିକ ରହିଛି ଭୋଟ ପୂର୍ବରୁ ଦଳୀୟ ନେତାମାନେ ଦଳ ଛାଡି ପଳାଇବା ଓ ଦଳୀୟ ନେତାଙ୍କୁ ଦୋଷ ଦେବା ।

ଏହାଦ୍ୱାରା ଦଳ ଯେ କ୍ଷତିଗ୍ରସ୍ତ ହେଉଛି ସେଥିରେ କୌଣସି ସନ୍ଦେହ ନାହିଁ । ଦଳର ତୁଙ୍ଗ ନେତାମାନେ ଯେତେ ପ୍ରଚାର କଲେ ବି ଯେଉଁମାନଙ୍କ ହାତରେ ସଂଗଠନ ରହିଛି ସେମାନେ ଛାଡି ପଳାଉଥିବା ଯୋଗୁଁ ଭୋଟହାର କମିବ ବୋଲି କର୍ମୀମାନେ ମତ ଦେଉଛନ୍ତି । କିଛି କର୍ମୀଙ୍କ କହିବାକଥା ଯେ ବିଜେପୁର ଆସନଟି ବିଜେପି ପାଇଁ ଶୁଭଙ୍କର ହେଉନାହିଁ । ଯେତେ ଯାହା କଲେ ବି ଶେଷ ମୂହୂର୍ତ୍ତରେ ସବୁକିଛି ଗଡବଡ ହୋଇଯାଉଛି ।