ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ମେଣ୍ଟର ବିଜୟ ପରେ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଜନସାଧାରଣ, ଦଳୀୟ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଥିଲେ, ବିହାରରେ ଏନ୍ଡିଏ ମେଣ୍ଟର ଅଭୂତପୂର୍ବ ବିଜୟ ପାଇଁ ବିହାର ଜନସାଧାରଣଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସାଂଗଠନିକ ଦକ୍ଷତା, ବିହାରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱ ପାଇଁ ଜନସାଧାରଣ ତାଙ୍କୁ ପୁଣି ଥରେ ଆଶୀର୍ବାଦ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟର କଳ୍ପନା କରିଛନ୍ତି। ପୂର୍ବ ଭାରତର ବିକାଶ ନ ହେଲେ ଭାରତର ବିକାଶ ହେବ ନାହିଁ। ବିହାରରେ ପୁଣି ଥରେ ଏନ୍ଡିଏ ମେଣ୍ଟ ସେବାର ଅବସର ପାଇବା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ବଡ଼ ସ୍ୱୀକୃତି। ଦେଶରେ ଏକ କଲ୍ୟାଣକାରୀ ଶାସନ ପ୍ରଣାଳୀ ଚଳାଇଥିବାରୁ ପ୍ରଧାନମନ୍ତ୍ରୀ ଲୋକଙ୍କର ଆସ୍ଥାଭାଜନ ହୋଇପାରିଛନ୍ତି। କଂଗ୍ରେସ ଦେଶକୁ ବିଭାଜନ କରିବାର ଯେଉଁ ନକାରାତ୍ମକ ରାଜନୀତି କରୁଛି ତାହାକୁ ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାସହ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବହୁତ ବଡ଼ ବ୍ୟବଧାନରେ ବିଜୟୀ ହୋଇଥିବାରୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରେ ଶ୍ରୀ ପ୍ରଧାନ ବିମାନବନ୍ଦରରୁ ସିଧାସଳଖ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ।
ଶ୍ରୀ ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ବିମାନବନ୍ଦରରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତର ରଙ୍ଗାରଙ୍ଗ ପରିବେଶ ସୃଷ୍ଟି ହୋଇଥିଲା। ବିମାନବନ୍ଦରରୁ ବାହାରିଲା ପରେ ଶ୍ରୀ ପ୍ରଧାନଙ୍କୁ ବିଧାୟକ ଓ କର୍ମକର୍ତ୍ତାମାନେ ବିଶାଳ ଫୁଳମାଳ ପିନ୍ଧାଇ ଅଭିନନ୍ଦନ ଜଣାଇଥିଲେ। ସାଂସଦ ବିଭୁପ୍ରସାଦ ତରାଇ ଓ ଅନିତା ଶୁଭଦର୍ଶିନୀ କହିଥିଲେ, ସମଗ୍ର ଦେଶରେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଏହି ଜନସମୁଦ୍ର ତାଙ୍କ ଲୋକପ୍ରିୟତାକୁ ପ୍ରକାଶ କରୁଛି। ଯେଉଁ ସମୟରେ ତାଙ୍କୁ ଯେଉଁ ଦାୟିତ୍ବ ଦିଆଯାଇଛି, ତାହାକୁ ଠିକ୍ ଭାବେ ସେ କାର୍ଯ୍ୟକାରୀ କରିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂହ କହିଥିଲେ, ଧର୍ମେନ୍ଦ୍ର ପ୍ରଧାନ ବିହାର ସମେତ ସମଗ୍ର ଦେଶରେ ଶ୍ରେଷ୍ଠ ନେତୃତ୍ବ ହୋଇପାରିଛନ୍ତି। ଏହା ଆମ ପାଇଁ ଗର୍ବର ବିଷୟ। ତାଙ୍କୁ ସ୍ବାଗତ କରିବା ପାଇଁ ହଜାର ହଜାର କର୍ମୀ ବିଭିନ୍ନ ଆଡ଼ୁ ମାଡ଼ି ଆସିଛନ୍ତି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ଅଗସ୍ତି ବେହେରା, ସୀମାରାଣୀ ନାୟକ, ବିଭୂତି ଭୂଷଣ ପ୍ରଧାନ, ଅଶୋକ ମହାନ୍ତି, ଟଙ୍କଧର ତ୍ରିପାଠୀ, ଦୁର୍ଗାପ୍ରସନ୍ନ ନାୟକ, ପଦ୍ମଲୋଚନ ପଣ୍ଡା ଓ ଅଶ୍ବିନୀ କୁମାର ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ସମୀର ଦାଶ, ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତି, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ, ବରିଷ୍ଠ ନେତା ଗୋଲକ ମହାପାତ୍ର ଓ କାଳନ୍ଦୀ ସାମଲ, ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ଅନିଲ ବିଶ୍ବାଳ, ତେଜେଶ୍ବର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ବିହାର ନିର୍ବାଚନ ସଫଳତା ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାମୁଛା ହଲାଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ନୀତୀଶ କୁମାରଙ୍କ ଶପଥ ଗ୍ରହଣରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜି ବିମାନବନ୍ଦରରେ ଧର୍ମେନ୍ଦ୍ରଙ୍କୁ ସ୍ବାଗତ କରାଯିବା ସମୟରେ ସେ କାର୍ ଉପରେ ବସି କିଛି ବାଟ ଯାଇଥିଲେ। ଏହି ସମୟରେ ସେ ଗାମୁଛା ହଲାଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଦୃଶ୍ୟ ବେଶ୍ ରୋଚକ ହୋଇଥିଲା। ନେତା ଓ କର୍ମୀମାନେ ମଧ୍ୟ ଭିଡ଼ ଭିତରେ ଗାମୁଛା ହଲାଉଥିବା ଦେଖିବାକୁ ମିଳିଥିଲା। ଆଜିର ସ୍ବାଗତ କାର୍ଯ୍ୟକ୍ରମ ପାଇଁ ନେତା ଓ କର୍ମୀମାନେ ଦଳୀୟ ପତାକା ସହ ପ୍ଲାକାର୍ଡ ଧରିଥିଲେ। ତେବେ ଏହି ଅଭିନବ ପ୍ଲାକାର୍ଡକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କର୍ମୀମାନଙ୍କ ହାତରେ ଦୁଇପ୍ରକାର ପ୍ଲାକାର୍ଡ ଦେଖିବାକୁ ମିଳିଥିଲା। ଦୁଇଟିଯାକରେ ଉପରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ କଟ୍ଆଉଟ୍ ଥିଲା। ଗୋଟିଏରେ ତଳକୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟ୍ଆଉଟ୍ ଥିଲା। ଅନ୍ୟଟିରେ ତଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଧର୍ମେନ୍ଦ୍ରଙ୍କ କଟ୍ଆଉଟ୍ ଥିଲା। ଏହି ପ୍ଲାକାର୍ଡ ବିମାନବନ୍ଦର ଅଞ୍ଚଳରେ ଛାଇଯାଇଥିଲା।
