NEET UG 2026 ପରୀକ୍ଷା ବାତିଲ ପରେ ବିଜୁ ଛାତ୍ର ଜନତା ଦଳର ତୀବ୍ର ବିରୋଧ, ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ
ଡାକ୍ତରୀ ପ୍ରବେଶିକା ପରୀକ୍ଷା (NEET UG 2026) ବାତିଲ ହେବା ପରେ ସାରା ଦେଶରେ ଛାତ୍ର ଉତ୍ତେଜନା ଦେଖିବାକୁ ମିଳିଛି । ପୁନର୍ବାର ପରୀକ୍ଷା କରାଯିବାକୁ ନ୍ୟାସ୍ନାଲ ଟେଣ୍ଟିଂ ଏଜେନ୍ସି (NTA) ପକ୍ଷରୁ ଘୋଷଣା ହେବା ପରେ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହା ବିରୋଧରେ ଆନ୍ଦୋଳନ ହେଉଛି । ରାଜ୍ୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ତାଙ୍କ ପୋଷ୍ଟର ଦାହ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ପ୍ରତିବାଦ ସଭା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା ବିଦ୍ୟାର୍ଥୀମାନଙ୍କ ପାଇଁ NTA ପ୍ରତିବର୍ଷ NEET UG ପ୍ରବେଶିକା ପରୀକ୍ଷାର ଆୟୋଜନ କରିଥାଏ । ଚଳିତବର୍ଷ ମେ 3 ତାରିଖରେ NEET UG ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଫଳାଫଳକୁ ଅପେକ୍ଷା କରିଥିବା ବେଳେ, NTA ପକ୍ଷରୁ ପରୀକ୍ଷା ରବ୍ଦ କରିବା ନିଷ୍ପତ୍ତି ସମସ୍ତନ୍ତୁ ଚକିତ କରିଥିଲା । ଏହାକୁ ନେଇ କଣ ରହିଥିଲା ବ୍ରହ୍ମପୁର, କଟକ, ସମ୍ବଲପୁର ଏବଂ ଅନୁଗୋଳ ଜିଲ୍ଲାର ବିଦ୍ୟାର୍ଥୀ, ଅଭିଭାବକ ଏବଂ ଶିକ୍ଷାବିତ୍ଙ୍କ ପ୍ରତିକ୍ରିୟା ଆସନ୍ତୁ ଜାଣିବା ।ବ୍ରହ୍ମପୁରର ଜଣେ ଛାତ୍ରୀ ମନସ୍ମିନୀ କହିଛନ୍ତି ଯେ, ‘ଚଳିତବର୍ଷ ପରୀକ୍ଷା ଦେବା ପରେ ୬୦ ରୁ ୭୦ ପ୍ରତିଶତ ମାର୍କ ରହିବ ବୋଲି ଆଶା କରୁଥିଲି । ମାତ୍ର ପରୀକ୍ଷା ବାତିଲ ହେବା ଖବର ଶୁଣିବା ପରେ ସେ ଚକିତ ହୋଇପଡିଥିଲେ । ବହୁଦିନର ପ୍ରସ୍ତୁତି ବ୍ୟର୍ଥ ହେବା ପରେ ବହୁତ ଖରାପ ଲାଗିଥିଲା । ହେଲେ ପୁଣି ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ବୋଲି ଛାତ୍ରୀ ଜଣକ କହିଛନ୍ତି ।’ବ୍ରହ୍ମପୁରର ଅନ୍ୟ ଜଣେ ଛାତ୍ର ଶାହିଲଙ୍କ ପ୍ରତିକ୍ରିୟା “ଚଳିତଥର ପରୀକ୍ଷାରେ ୬୪୦ ରୁ ୬୫୦ ରହିବ ବୋଲି ଆଶା କରିଥିଲି । ପରୀକ୍ଷାରେ କଷ୍ଟକର ପ୍ରଶ୍ନ ଉତ୍ତର କରିବା ପାଇଁ ବହୁତ ଅଭ୍ୟାସ କରିଥିଲୁ । ମାତ୍ର NTA ପରୀକ୍ଷା ରବ୍ଦ କରିବା ପରେ ପୁଣି ସଂଘର୍ଷ ଜାରି ରହିବ ।”ସମ୍ବଲପୁରର ଛାତ୍ରୀ ସ୍ୱପ୍ନା କହିଛନ୍ତି, “ପରୀକ୍ଷା ଦେବା ପରେ ମାନସିକ ସ୍ତରରେ ଆଉ ପାଠ ପଢିବାକୁ ପଡ଼ିବ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଭାବିଥାନ୍ତି । ଏଭଳି ପରିସ୍ଥିତିରେ ପୁଣି ପାଠ ପଢି ପରୀକ୍ଷା ଦେବା କଷ୍ଟକର ହୋଇଥାଏ । ପରୀକ୍ଷା ସରିବା ପରଠାରୁ ପ୍ରସ୍ତୁତିରେ ଏକ ବ୍ୟବଧାନ ଆସିଯାଇଥାଏ । ବର୍ତ୍ତମାନ ଆଗକୁ କେବେ ପୁଣି ପରୀକ୍ଷା ହେବ ଜଣାନାହିଁ । ଥରେ ପ୍ରସ୍ତୁତି କରି ସାରିଥିବେ, ପୁଣି ଏବେ ଆରମ୍ଭରୁ ପ୍ରସ୍ତୁତ ହେବା ଜଣେ ବିଦ୍ୟାର୍ଥୀ ପାଇଁ ବହୁତ କଷ୍ଟକର ହୋଇପଡ଼େ ।”‘NTA ଦ୍ବାରା ପରିଚାଳିତ ପରୀକ୍ଷାରେ ବାରମ୍ବାର ପେପର ଲିକ୍ ସମସ୍ୟା ଦେଖିବାକୁ ମିଳୁଛି । ସରକାର ଗମ୍ଭୀର ହେବା ସହିତ ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତି ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଏବଂ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଚାପରେ ରହିଥାନ୍ତି’ ବୋଲି ଛାତ୍ରୀ ସ୍ୱପ୍ନା କହିଛନ୍ତି ।କଟକର ଜଣେ ଅଭିଭାବକ ସଞ୍ଜୀବ କୁମାର ବେହେରା କହିଛନ୍ତି, “ଏପରି ପଶ୍ନପତ୍ର ଲିକ୍ ଘଟଣା ଜଣାପଡିବା ପରେ ଆମେ ମାନସିକ ସ୍ତରରେ ଭାଙ୍ଗିପଡିଛୁ । ପିଲା ଏପରି ଖବର ପାଇ ଚିନ୍ତାଗ୍ରସ୍ତ ଅଛନ୍ତି । ଏପରିକି ବିଦ୍ୟାର୍ଥୀମାନେ ଆଉ ପରୀକ୍ଷା ଦେବାକୁ ରାଜି ହେଉନାହାନ୍ତି । ପରୀକ୍ଷାର୍ଥୀମାନେ ଦିନକୁ ୧୨ରୁ ୧୪ ଘଣ୍ଟା ଧରି ପରିଶ୍ରମ କରୁଥିଲେ । ପୁନର୍ବାର ପରୀକ୍ଷା ଦେବା ତାଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହେବ । ” ବାରମ୍ୱାର ଏପରି ଘଟୁଥିବା ଯୋଗୁଁ ସରକାର ଏଥିପ୍ରତି ଯତ୍ନବାନ ହେବା ଦରକାର । ଏଥିସହିତ ଏହି ଘଟଣାରେ ଦୋଷୀଙ୍କୁ କଠୋରରୁ କୋଠର ଦଣ୍ଡ ଦେବାର ଆବଶ୍ୟକତା ରହିଛି ବୋଲି ସେ ଦାବି କରିିଛନ୍ତି ।ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର ଏପରି ସମୟରେ ଚାପରୁ ବର୍ତ୍ତିବା ପାଇଁ ପରାମର୍ଶ ଦେଇଛନ୍ତି । ପରୀକ୍ଷା ବାତିଲ ହେବା ନେଇ ଖବର ଶୁଣିବା ପରେ ଛାତ୍ରଛାତ୍ରୀ ଭାଙ୍ଗି ନପଡ଼ି ପୁଣି ପ୍ରସ୍ତୁତ ହେବା ଏବଂ ଅଧ୍ୟୟନ କରିବା ଆବଶ୍ୟକ । ଏଭଳି ଏକ ସମୟରେ ବିଦ୍ୟାର୍ଥୀଙ୍କ ପିତା ମାତା ଏବଂ ଶିକ୍ଷକମାନଙ୍କ ଦାୟିତ୍ୱ ଅଧିକ ରହିଛି । ବର୍ତ୍ତମାନ ପରିସ୍ଥିତିରେ ସେହି ବିଦ୍ୟାର୍ଥୀଙ୍କ ସହିତ ବନ୍ଧୁ ଭାବରେ ରହିବାର ଆବଶ୍ୟକତା ରହିଛି । ଏଥିପାଇଁ ଆଗାମୀ ଦିନରେ ସରକାର ପିଲାଙ୍କ ଉପରେ ଚାପ ହ୍ରାସ ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
