Odia News Portal

ଗଞ୍ଜଇ ସହ ବାଇକ୍‌, କାର୍‌ ଜବତ, ୩ ଗିରଫ

 ସୁବର୍ଣ୍ଣପୁରଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ଅପରେସନ ପ୍ରହାରରେ ସଫଳତା ମିଳିଛି। ବିନିକା ଥାନା ପୁଲିସ ୧୦୧ ‌କେଜି ଗଞ୍ଜେଇ ସହ ଏକ ନମ୍ବରବିହୀନ କାର୍‌, ବାଇକ୍‌ (ଓଡି ୧୫ ଏବି ୩୮୭୫) ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଜଣେ ମହିଳା ଓ ୨ ଜଣ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ଛିନପାରି ଗ୍ରାମର ୟଶ ଚନ୍ଦ୍ର (୨୪), ଉତ୍ତରପ୍ରଦେଶ ଇତାୱାସ ଜିଲ୍ଲା ଭଡ଼ିମୋର ଗାଁର ‌ଶ୍ବେତା ଯାଦବ (୧୯) ଓ ସମ୍ବଲପୁର ଜିଲ୍ଲା ଚିପିଲମାର ସ୍ବାଧୀନ ହରିପାଲ (୨୬)।ପୁଲିସ କାର୍‌ର ପିଛାକରି ବିନିକା ଏନ୍‌ଏସି ଅଧୀନସ୍ତ ବେଲପଡ଼ାଠାରେ କାର୍‌ ଓ ବାଇକ୍‌କୁ ଧରିଥିଲା। ବାଇକ୍‌ ଚାଳକ ଫେରାର ହୋଇଥିବା ବେଳେ କାର୍‌ରେ ଥିବା ଜଣେ ମହିଳା ଓ ଅନ୍ୟ ୨ ଜଣଙ୍କୁ ଥାନାରେ ଅଟକ ରଖିଥିଲା। ସୋମବାର ସକା‌ଳେ ମାଜିଷ୍ଟ୍ରେଟ ଭାବେ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେ‌ହେର, ଏସ୍‌ପି ନାରାୟଣ ନାୟକ ଓ ବିନିକା ଥାନା ଆଇଆଇସି ସତ୍ୟନାରାୟଣ ପଧାନଙ୍କ ଉପସ୍ଥିତିରେ କାର୍‌ ଡିକିରୁ ୧୦୧ ପ୍ୟାକେଟ (୧୦୧ କେଜି) ଗଞ୍ଜେଇ ପୁଲିସ ଜବତ କରିଥିଲା। ଖବର ପାଇ ଘଟଣାସ୍ଥଳକୁ ଜିଲ୍ଲାପାଳ ନୃପରାଜ ସାହୁ ମଧ୍ୟ ପହଞ୍ଚିଥିଲେ।