Odia News Portal

ଦିଲ୍ଲୀରେ ଚାପ ବଢାଉଛନ୍ତି ବିଜେଡି ସାଂସଦ

ଦୁଇ ପଟୁ ଲାଭ

ଭୁବନେଶ୍ୱର : ବିଜେଡି ଏବେ ଦିଲ୍ଲୀରେ ରାଜ୍ୟପାଇଁ ଚାପ ବଢାଇବାରେ ଲାଗିଛି । ଗୋଟିଏ ଦିନରେ ବିଜେଡି ସାଂସଦମାନେ ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବାପରେ ଏହା ସ୍ପଷ୍ଟ ହେବାରେ ଲାଗିଛି । ଆଜି ବିଜେଡି ସାଂସଦମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟି ରାଜ୍ୟର ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ଯୋଗାଇବାପାଇଁ ଦାବି କରିଛନ୍ତି । ଖାଲି ଦାବି କରିନାହାନ୍ତି ବିସ୍ତୃତ ଚିଠା ବି ଧରାଇଛନ୍ତି । ଏଥିରୁ ବିଜେଡିକୁ ଦୁଇ ପଟୁ ଲାଭ ମିଳିବ ।

ଏହା ପୂର୍ବରୁ ବିଜେଡି ସାଂସଦମାନେ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ରାଜ୍ୟର ବାକିଆ ଟଙ୍କାଦେବାପାଇଁ ଜୋରଦାର ଦାବି କରିଥିଲେ । ଓଡିଶାର ବିଜେଡି ସାଂସଦଙ୍କ ଦାବିକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ତୁରନ୍ତ ଟଙ୍କା ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାବାଦ୍‌ ବିଜେଡି ସାଂସଦମାନେ ମଧ୍ୟ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ଓଡିଶାର ବିଭିନ୍ନ ଦାବି ଉତ୍‌ଥାପନ କରୁଛନ୍ତି ।

ବିଜେଡିର ଏହି ନୂଆ ରଣନୀତି ଓଡିଶା ପାଇଁ ଅନୁକୂଳ ହୋଇଥିବାବେଳେ ଦଳ ପାଇଁ ମଧ୍ୟ ରାଜନୈତିକ ଦୃଷ୍ଟି କୋଣରୁ ଭଲ ସାବ୍ୟସ୍ତ ହେବାକୁ ଯାଉଛି । କାରଣ ଗତ କିଛିଦିନ ହେଲା କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ବିଜେପି ନିଜର ବୋଲି ଦର୍ଶାଇ ତାହାର ଜୋରଦାର ପ୍ରଚାର ପ୍ରସାର କରାଉଥିଲା । ପ୍ରତ୍ୟେକ ଅନୁଦାନରୁ ରାଜନୈତିକ ଫାଇଦା ନେବାପାଇଁ ବିଜେପି ଯେଭଳି ଉଦ୍ୟମ କରୁଥିଲା ବିଜେଡି ଏହି ନୂଆ ରଣନୀତି ସେଥିରେ ଏକ ପ୍ରକାର ପାଣିପୂରାଇ ଦେଇଛି ।

ଅନ୍ୟ ପକ୍ଷରେ କିଛି ଦିନ ଦିଲ୍ଲୀ ଦରବାରରେ ଓଡିଶାକୁ ଏକ ପ୍ରକାର କୋଣଠେସା କରାଯାଇଥିଲା । ରାଜ୍ୟର ବିଭିନ୍ନ ଦାବି ପ୍ରତି ସେଭଳି ଦୃଷ୍ଟି ଦିଆଯାଉ ନଥିଲା । ରାଜ୍ୟକୁ ଅର୍ଥ ଯୋଗାଇଦେବା ବଦଳରେ କେନ୍ଦ୍ର ସରକାର ବିଭିନ୍ନ ପ୍ରସଙ୍ଗରେ ଚାପ ସୃଷ୍ଟି କରୁଥିଲେ । ଯାହାକି ଓଡିଶା ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିଲା । ବିଶେଷକରି କୋଭିଡ ମହାମାରୀ ପରେ ରାଜ୍ୟର ଅର୍ଥବ୍ୟବସ୍ଥା ବିଗଡି ଯାଇଥିବାବେଳେ କେନ୍ଦ୍ର ସରକାର ଆବଶ୍ୟକ ମୁତାବକ ଅର୍ଥ ଯୋଗାଉ ନାହାନ୍ତି । ତେଣୁ ବିଜେଡି ସାଂସଦମାନେ ଯେଭଳି ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କ ଭେଟି ଦାବି ଉପସ୍ଥାପନ କରୁଛନ୍ତି ତାହା ଭଲ ବାର୍ତ୍ତା ଦେଉଛି ।

ସେହିଭଳି ପୂର୍ବରୁ ଓଡିଶାର ସାଂସଦମାନେ କେବେହେଲେ ଏଭଳି ଏକଜୁଟି ହୋଇ ଯୋଜନାବଦ୍ଧ ଭାବେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଭେଟି ରାଜ୍ୟର ଦାବି ଉଠାଉ ନଥିଲେ । ବିଜେଡିର ଏହି ପଦକ୍ଷେପ ଏବେ ରାଜ୍ୟବାସୀଙ୍କ ନିକଟରେ ସକରାତ୍ମକ ବାର୍ତ୍ତା ପହଞ୍ଚାଇବାରେ ଲାଗିଛି । ଯଦି କେନ୍ଦ୍ର ସରକାର ସାଂସଦମାନଙ୍କ ଦାବି ପୂରଣ ନକରନ୍ତି ତେବେ ଏହାର ଫାଇଦା ବିଜେଡି ଖାତାକୁ ଯିବ । ଯଦି ଦାବି ପୂରଣ ବି ହେଲା ତାହାର ଶ୍ରେୟ ବି ବିଜେଡି ନେବ । ତେଣୁ ନୂଆ ରଣନୀତିରୁ ବିଜେଡିକୁ ଦୁଇପଟୁ ଫାଇଦା ମିଳିବାକୁ ଥିବାରୁ ଦିଲ୍ଲୀରେ ଏବେ ବିଜେଡି ସାଂସଦମାନେ ଚାପ ବଢାଇବାରେ ଲାଗିଥିବା ଦେଖିବାକୁ ମିଳୁଛି ।