Odia News Portal

ରିଲିଫ ପାଇଁ ଆସିଥିବା ଚୁଡା ଓ ଗୋଖାଦ୍ୟ ଲୁଚାଇ ରଖିଥିଲେ ସରପଞ୍ଚ

ବାସୁଦେବପୁର: ରିଲିଫ ଲୁଚେଇ ରଖିଥିଲେ ବିଜେଡି ସରପଂଚ । ଆଉ ଚାରିଆଡୁ ଚାପ ପଡିବା ପରେ ସ୍ୱାମୀଙ୍କ ହାତରେ ପଠାଇଥିଲେ ବାଂଟିବାକୁ । ହେଲେ ବାତ୍ୟାର ୨୧ ଦିନରେ ତାଟିଆଏ ଗମୁରା ଚୁଡା ନନେଇ ଫିଙ୍ଗି ଦେଇଥିଲେ ଲୋକେ । ଏମିତିକି ସରପଂଚଙ୍କ ସ୍ୱାମୀଙ୍କ ସହ ଗାଁ ଲୋକଙ୍କ ହୋ-ହାଲାର ଏକ୍ସକଲ୍ୟସିଭ ଭିଡିଓ ବି ଆମର ହସ୍ତଗତ ହୋଇଛି । ହା-ହୁତାଶାର ଏ ବିରୋଧ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନୋବାଭାବେ ନଗରର । ସମୁଦ୍ର ଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଥିବା ଏ ଗାଁ ୟାସ ପ୍ରଭାବରେ ସର୍ବାଧିକ କ୍ଷତି ସହିଛି । ଲୋକେ ଜଳବନ୍ଦୀ ଭାବେ ରହିବା ସହ ଲୁଣାପାଣ ମାଡି ଯାଇ ଚାଣ ଭରବଦ୍ଭ ନଷ୍ଟ ହେବା କାରଣରୁ ଗୋରୁଗାଈଙ୍କ ଅବସ୍ଥା ନକହିବା ଭଲ ।

ଲୋକଙ୍କ ଅଭିଯୋଗ, ବାତ୍ୟାରେ ଯେତେବେଳେ ସେମାନେ ଭୋକରେ ଆଉଟୁ ପାଉଟୁ ହେଉଥିଲେ ସେତେବେଳେ ବିଜେଡି ସରପଂଚ ରିଲିଫ ପାଇଁ ଆସିଥିବା ଚୁଡା ଓ ଗୋଖାଦ୍ୟ ଲୁଚାଇ ରଖିଥିଲେ । ଲୋକଙ୍କୁ ଚାଉଳ ମିଳିଲା ହେଲେ ଶୁଖିଲା ଖାଦ୍ୟ କି ଗୋଖାଦ୍ୟ ମିଳିପାରିଲା ନାହିଁ । ଯାହାକୁ ନେଇ ପ୍ରତିବାଦ କରିଥିଲେ ଗାଁଲୋକେ । ଆଉ ଏହା ପରେ ଗତକାଲି ଚୁଡା, ଗୋଖାଦ୍ୟ ଧରି ଗାଁରେ ବାଂଟିବାକୁ ପହଂଚିଥିଲେ ସରପଂଚ କାଜୋଲ ବାରାଇଙ୍କ ସ୍ୱାମୀ ଅଶୋକ ବାରାଇ । ତେବେ ପିତା ଓ ଗମୁରା ଚୁଡା ସାଙ୍ଗକୁ ଗୋଖାଦ୍ୟ ନଷ୍ଟ ହୋଇଯାଇଥିବା ଅଭିଯୋଗ କରି ଲୋକେ ତାଙ୍କୁ ଦୀର୍ଘ ସମୟ ଯାଏଁ ଅଟକ ବି ରଖିଥିଲେ । ତେବେ ମହିଳା ଏଏସଜି ମୁଣ୍ଡରେ ଦୋଷ ଲଦି ସରପଂଚଙ୍କ ସ୍ୱାମୀ ଖସି ଯାଇଥିବା ବେଳେ ବିଡିଓ କହିଛନ୍ତି ବିଳମ୍ବିତ ବଂଟନ ନେଇ ଅନୁଧ୍ୟାନ କରିବେ ।

ପ୍ରଶ୍ନ ଉଠୁଛି, ଏତେ ଦିନ ଧରି କେଉଁଠି ରହିଥିଲା ଏହି ରିଲିଫ ସାମଗ୍ରୀ ? କିଏ ଲୁଚାଇ ରଖିଥିଲା ଚୁଡା ଓ ଗୋଖାଦ୍ୟ ? ଲୋକଙ୍କୁ ରିଲିଫ ଏତେଦିନ ଯାଏ ଦିଆଯାଇ ନଥିଲା ତେବେ ପ୍ରଶାସନ କରୁଥିଲା କଣ ? ଲୋକଙ୍କୁ ଖାଇବାକୁ ନଦେଇ ରିଲିଫ ସାମଗ୍ରୀ ନଷ୍ଟ କରିଥିବା ବ୍ୟକ୍ତି ଙ୍କ ବିରୋଧରେ କଡା କାର୍ଯ୍ୟନେୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ ।