Odia News Portal

ଗୃହ ନିର୍ମାଣକୁ ସହିପାରୁ ନାହାନ୍ତି ବିଜେପି ସାଂସଦ

ଓଡିଶାର ସାଢେ ୪କୋଟି ଲୋକଙ୍କର ହକ୍‌କୁ ବିଜେପି ସାଂସଦମାନେ ବାଧା ଦେଇଛନ୍ତି

ଭୁବନେଶ୍ୱର: ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାର ଓଡିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି । ଏ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ପାଞ୍ଚ ବର୍ଷ ଭିତରେ ଓଡିଶା ୧୫,୭୩,୦୦୦ ଗୃହ ନିର୍ମାଣ କରିଛି ଏବଂ ଏ ବାବଦରେ କେନ୍ଦ୍ର ସରକାର ୧୨,୯୨୮କୋଟି ୯ଲକ୍ଷ ଟଙ୍କା ଦେଇଥିବାବେଳେ ଓଡିଶା ସରକାର ୮୫୧୮କୋଟି ୭୩ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ବିଜେପି ସାଂସଦମାନେ ଏହି ଯୋଜନାକୁ ବନ୍ଦ କରିବାକୁ ଷଡଯନ୍ତ୍ର ଚଳାଇଛନ୍ତି । ପାଖାପାଖି ଏକ ବର୍ଷେରୁ ଅଧିକ ସମୟଧରି ଏହି ଯୋଜନାକୁ ବନ୍ଦ କରାଯାଇଛି । ଓଡିଶାର ୩୦ହଜାର ଗାଁର ଲୋକେ ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି । କିନ୍ତୁ କେବଳ ୩୦୦ ଗାଁର ଅନିୟମିତତା ଦର୍ଶାଇ ଓଡିଶାର ସାଢେ ୪କୋଟି ଲୋକଙ୍କର ହକ୍‌କୁ ବିଜେପି ସାଂସଦମାନେ ବାଧା ଦେଇଛନ୍ତି ବୋଲି ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତାଦଳର ମୁଖପାତ୍ର ତଥା ବିଜୁ ଯୁବ ଜନତାଦଳର ରାଜ୍ୟ ସଭାପତି ଡଃ. ବ୍ୟୋମକେଶ ରାୟ ଓ ବିଜୁ ଜନତାଦଳର ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ।

ବିଜେଡିର ଦୁଇ ମୁଖପାତ୍ର ଅଭିଯୋଗ କରିଛନ୍ତି ଯେ ଫନି, ଅମ୍ଫାନ ଭଳି ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରିଛନ୍ତି ଓଡିଶାବାସୀ । ଏଥିରେ ଅନେକ ଲୋକ ବାସହୀନ ହୋଇଗଲେ । ଆଜି ଘର ଖଣ୍ଡିଏ ପାଇବା ପାଇଁ ବହୁ ଲୋକ ଅପେକ୍ଷାକରି ଅଛନ୍ତି । ମୁଣ୍ଡ ଉପରେ ଛାତ ଖଣ୍ଡେ ପାଇଁ ଅନାଇ ବସିଥିବା ଓଡିଶାର ବାସହୀନ ଲୋକଙ୍କ ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ପଡିପାରୁନାହିଁ । ହେଲେ ବିଜେପି ଶାସିତ ରାଜ୍ୟ ଗୁଜୁରାଟ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଭଳି ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଗୃହ ଯୋଗାଇ ଦେଉଛନ୍ତି । କିନ୍ତୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ଓଡିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରିବା ସହିତ ଓଡିଶାବାସୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରି ରଖିଛନ୍ତି ।

ପୂର୍ବରୁ ଗ୍ରାମୀଣ ଗୃହ ନିର୍ମାଣରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ ଯଥାକ୍ରମେ ୯୦:୧୦ ଥିଲା । ବର୍ତ୍ତମାନ ଏହା ୬୦:୪୦ ହୋଇଛି ଏବଂ ଓଡିଶା ସରକାର ପ୍ରୋତ୍ସାହନ, ପ୍ରଶାସନିକ ସହାୟତା ଏବଂ ତଦାରଖ ବାବଦରେ ହେଉଥିବା ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ଯଦି ଓଡିଶାବାସୀଙ୍କର ଟଙ୍କା ଘର ତିଆରିରେ ଖର୍ଚ୍ଚ ହେଉଛି ତେବେ ବିଜୁ ପକ୍କାଘର ଲୋଗୋ ଲଗାଯିବାରେ ଅସୁବିଧା କେଉଁଠି ରହିଲା ବୋଲି ଡଃ ରାୟ ଓ ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି । ଉଲ୍ଲେଖନୀୟ ଯେ ଗୁଜୁରାଟ ଓ ମଧ୍ୟପ୍ରଦେଶରେ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ତକ୍ରାଳୀନ ରାଜ୍ୟ ସରକାର ଗ୍ରାମୀଣ ଆବାସ ଯୋଜନାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ନିଜସ୍ୱ ଲୋଗୋ ବ୍ୟବହାର କରୁଥିଲେ ।

ଗତ ଫେବୃୟାରୀ ୧୯ ତାରିଖରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ଆଗତ ମୁଲତବି ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ସମୟରେ ଉଭୟ ଯୋଜନାର ଲୋଗୋକୁ ହିତାଧିକାରୀଙ୍କ ଗୃହରେ ଲଗାଯିବା ପାଇଁ ମନ୍ତ୍ରୀ ଗୃହକୁ ଅବଗତ କରିଥିଲେ । ରାଜ୍ୟ ସରକାର କେନ୍ଦ୍ରକୁ ଲିଖିତ ଆକାରରେ ଏ ବିଷୟରେ ଜଣାଇଛନ୍ତି । ଦୁଃଖ ଓ ପରିତାପର ବିଷୟ, କେନ୍ଦ୍ର ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛନ୍ତି । ଯଦି ଓଡିଶାବାସୀଙ୍କ ପଇସା ଖର୍ଚ୍ଚ ହେଉଛି ତେବେ ହିତାଧିକାରୀଙ୍କ ଗୃହରେ ବିଜୁ ପକ୍କାଘର ଲୋଗୋ ଲଗାଇବା ପାଇଁ ମନା କରାଯାଉଛି କାହିଁକି ବୋଲି ବିଜେଡିର ଦୁଇ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।