Odia News Portal

ବୋଥ୍ରାଙ୍କ ନାଁ’ରେ ମାମଲା ହେଉ : ପ୍ରଦୀପ୍ତ

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତକୁ ପୋକ୍ସୋ କୋର୍ଟରେ ନାବାଳକ ସାବ୍ୟସ୍ତ ହେବା ପରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ |ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନ ଉଠାଇଛନ୍ତି ଯେ, କାହିଁକି ଏସ୍‌ଆଇଟି ଜଣେ ନାବାଳକକୁ ସାବାଳକ ଦର୍ଶାଇବାକୁ ଚେଷ୍ଟା କରୁଥିଲା । ମାଟ୍ରିକ ପାସ୍ ସାର୍ଟିଫିକେଟ, ଜନ୍ମ ପ୍ରମାଣ ପତ୍ର ଥିବା ସତ୍ତ୍ୱେ ନାବାଳକକୁ ସାବାଳକ ଦର୍ଶାଇବାର କାରଣ ସମ୍ପୂର୍ଣ୍ଣ ବେଆଇନ କହି ଅରୁଣ ବୋଥ୍ରାଙ୍କ ବିରୋଧରେ ଫୌଜଦାରୀ ମାମଲା ଦାବି କରିଛନ୍ତି ପ୍ରଦୀପ୍ତ ।

ଏହାବ୍ୟତୀତ ସେ କହିଛନ୍ତି, ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡିକୁ ରକ୍ଷା କରିବା ପାଇଁ ଏପରି ଉଦ୍ୟମ ହେଉଛି । ସମ୍ପୃକ୍ତ ନାବାଳକଙ୍କ ହାଡ ଓସିଫିକେସନ ପରୀକ୍ଷା ପାଇଁ ବୋଥ୍ରାଙ୍କୁ କିଏ ଅନୁମତି ଦେଲା? ବିନା ପ୍ରମାଣରେ ଜଣେ ନାବାଳକକୁ ଫସାଇ ଦିଆଯାଇଛି। ଅଙ୍ଗ ତସ୍କରୀକୁ ଲୁଚାଇବା ପାଇଁ ମନଗଢ଼ା କାହାଣୀ କହୁଛି ଏସ୍‌ଆଇଟି। ଏସ୍‌ଆଇଟି ତଦନ୍ତକୁ ପରୀର ବାପା ମା’ ବିଶ୍ୱାସ କରୁନାହାନ୍ତି । ସାଧାରଣ ଲୋକଙ୍କ ଭିତରେ ଏସ୍‌ଆଇଟି ପ୍ରତି ବିଶ୍ୱସନୀୟତା ନାହିଁ। ଘଟଣାର ସଠିକ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦିଆଯାଉ ବୋଲି ଦାବି କରିଛନ୍ତି ପ୍ରଦୀପ୍ତ।

ଗତକାଲି ନୟାଗଡ଼ ପକ୍ସୋ କୋର୍ଟ ପରି ହତ୍ୟା ଅଭିଯୁକ୍ତ ସରୋଜ ସେଠୀଙ୍କୁ ନାବାଳକ ଦର୍ଶାଇଥିଲେ । ଏହାପରେ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର ପରେ ତାଙ୍କୁ ଅନୁଗୁଳ ସ୍ଥିତ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଅଭିଯୁକ୍ତର ବିଚାର ଜୁଭେନାଇଲ ଜଷ୍ଟିସ କୋର୍ଟରେ ହେବ କି ନାହିଁ ତାହା କମିଟି ନିର୍ଦ୍ଧାରଣ କରିବ। ତେବେ ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ଜବରଦସ୍ତ ଝଟକା ଲାଗିଛି। ଅଭିଯୁକ୍ତ ନାବାଳକ ହୋଇଥିବାରୁ ଏସ୍‌ଆଇଟିର ନାର୍କୋ ଆନାଲିସିସ୍‌ ଟେଷ୍ଟ ଅପିଲ ଖାରଜ ହୋଇଯାଇଛି । ଆସନ୍ତା ୮ ତାରିଖରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ଆବେଦନର ଶୁଣାଣି ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହେବ ।