ବିଜେପି ଘୋଡ଼ା ବେପାର କରିଛି: ନବୀନ By Swadhikar News Last updated Mar 17, 2026 ବିଜେଡି ବିଧାୟକମାନଙ୍କ କ୍ରସ୍ ଭୋଟିଂକୁ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ କିଛି ଦିନ ହେଲା ବାରମ୍ବାର କହିଆସୁଛି ବିଜେପି ଓ ତାର ସହଯୋଗୀମାନେ ଘୋଡ଼ା ବେପାରରେ ମାତିଛନ୍ତି। ତାହା ଆଜି ପ୍ରମାଣିତ ହୋଇଛି। ବିରୋଧୀ ଦଳର କିଛି ବିଧାୟକଙ୍କୁ ନିଜ ପକ୍ଷକୁ ନେବାକୁ ସେମାନେ ସକ୍ଷମ ହୋଇଛନ୍ତି। ଆହୁରି କଠୋର ଆଭିମୁଖ୍ୟ ରଖି ନବୀନ କହିଛନ୍ତି, ‘ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି ସେମାନଙ୍କର ଆପରାଧିକ ଇତିହାସ ରହିଛି। ସେମାନଙ୍କ ବାପାମାନେ ଜେଲ୍ରେ ରହିଛନ୍ତି।’ ଦେବୀ ଓ ସୌଭିକଙ୍କୁ ଲକ୍ଷ୍ୟ କରି ନବୀନ ଏପରି ମତ ଦେଇଥିବା ଚର୍ଚ୍ଚା ଚାଲିଛି। ବିଜେଡି ବୈଠକକୁ ଆସୁ ନଥିବା ତିନି ବିଧାୟକ ଓ ନିଲମ୍ବିତ ଦୁଇ ବିଧାୟକ କ୍ରସ୍ ଭୋଟିଂ କରିବେ ବୋଲି ଆପାତତଃ ସ୍ପଷ୍ଟ ଥିଲା। ତେବେ ସୁବାସିନୀ, ଦେବୀରଞ୍ଜନ ଓ ରମାକାନ୍ତ ନବୀନ ନିବାସ ବୈଠକରେ ବାରମ୍ବାର ସାମିଲ ହୋଇଥିଲେ। ଗତକାଲି ରମାକାନ୍ତ ଲୁଙ୍ଗି ପିନ୍ଧି ବସିଥିବାର ଫଟୋ ବି ବାହାରକୁ ଆସିଥିଲା। ଦଳୀୟ ନିଷ୍ପତ୍ତି ସହ ରହିବେ ବୋଲି ସୁବାସିନୀ ବାରମ୍ବାର ଗଣମାଧ୍ୟମରେ କହୁଥିଲେ। ଦେବୀରଞ୍ଜନ ମଧ୍ୟ ଦଳୀୟ ନିଷ୍ପତ୍ତି ବିରୋଧରେ ପାଟି ଫିଟାଉ ନଥିଲେ। ତେଣୁ ଏହି ତିନି ଜଣ ଏପରି କରିବେ ବୋଲି ଅନ୍ୟ ବିଧାୟକମାନେ ମଧ୍ୟ ବିଶ୍ବାସ କରିପାରି ନାହାନ୍ତି। ଭୋଟ୍ ଗଣତି ପରେ କ୍ରସ୍ ଭୋଟିଂ ସମ୍ପର୍କରେ ବିଜେଡିର ଏଜେଣ୍ଟ୍ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ବିଧିବଦ୍ଧ ସୂଚନା ଦେଇଥିଲେ। ସେ କହିଥିଲେ, ୮ ଜଣ ଦଳୀୟ ବିଧାୟକ ଦଳର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି। ସେମାନଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ୧୦ ଜଣ ଠିକଣା ଲୋକ ରହିବା ଦରକାର। ୫୦ ଜଣ ବେଇମାନ ଲୋକ ରଖି ଲାଭ କ’ଣ? କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ ସଭାପତି କାର୍ଯ୍ୟାନୁଷ୍ଠାନ ନେବେ। ସଭାପତି ପୂର୍ବରୁ ଘୋଡ଼ା ବେପାର କଥା କହିଥିଲେ ଏବଂ ତାହା ହିଁ ହେଲା। ଏବେ ଯେଉଁ ବିଜୁ ଲିଗାସୀ କଥା କୁହାଯାଉଛି, ତାହା କେବଳ ଆଳ। ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି, ସେମାନେ ଠାକୁର ଧଣ୍ଡା କାହିଁକି ଛୁଉଁଥିଲେ? ସେମାନେ ଘର ଭିତରେ ରହି ବିଶ୍ବାସରେ ବିଷ ମିଶାଇଥିବାରୁ ସେମାନେ ବେଇମାନ ନୁହେଁ ତ ଆଉ କ’ଣ? swadhikarswadhikar news Share