Odia News Portal

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଦଫା

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ବଢିଲା ଅଡୁଆ । ସରକାରୀ ଅଧିକାରୀଙ୍କୁ ମାଡ ମାରି ଫସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଯୋଜନା ଓ ଅନୁଧ୍ୟାନ କମିଟିର ଉପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ଆସିଷ୍ଟାଣ୍ଡ ଡାଇରେକ୍ଟର ଦେବାଶିଷ ମହାପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ପିଏ ଫୋନ୍ କରି ପ୍ରଥମେ ଦଳ କାର୍ୟ୍ୟାଳୟକୁ ଆସିବାକୁ ଡାକିଥିଲେ । ମାତ୍ର ପାର୍ଟି ଅଫିସକୁ ଯିବାକୁ ଦୁଇ ଅଧିକାରୀ ମନା କରିଦେଇଥିଲେ । ପରେ ଏହି ଦୁଇ ଅଧିକାରୀଙ୍କ ସହ କଥା ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଚାହୁଁଛନ୍ତି ବୋଲି କହି ଫାଇଲ ଧରି ଏକ ହୋଟେଲକୁ ଆସିବାକୁ ମନ୍ତ୍ରୀଙ୍କ ପିଏ କହିଥିଲେ । ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ଅଫିସିଆଲ ଫାଇଲ ଧରି ହୋଟେଲ ଯିବାକୁ ଦୁଇ ଅଧିକାରୀ ମନା କରିଦେଇଥିଲେ । ଏହି ଘଟଣା ପରେ ଗତକାଲି ବାରିପଦା ବିଜେପି କାର୍ୟ୍ୟାଳୟରେ ଏକ ବୈଠକ ବସିଥିଲା । ଏହି ବୈଠକରେ ଜିଲ୍ଲା ଯୋଜନା ଓ ଅନୁଧ୍ୟାନ କମିଟିର ଉପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ଆସିଷ୍ଟାଣ୍ଡ ଡାଇରେକ୍ଟର ଦେବାଶିଷ ମହାପାତ୍ରଙ୍କୁ ଡକାଯାଇଥିଲା । କୌଣସି ଏକ କଥାକୁ ନେଇ ରାଗିଯାଇଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଭିତର ପଟୁ କବାଟ ଦେଇ ଏକ ଚେୟାର ମାଧ୍ୟମରେ ୨ ଜଣଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପିଡୀତ । ଏଥିରେ ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗି ଯାଇଥିବାବେଳେ ଅନ୍ୟ ଜଣଙ୍କୁ ଆଘାତ ଲାଗିଛି । ଦୁଇ ଅଧିକାରୀଙ୍କୁ ବାରିପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପିଡୀତଙ୍କ ଅଭିଯୋଗ ଅନୁଯାୟୀ, ବାରିପଦା ଟାଉନଥାନାରେ ଆଇପିସି ଧାରା ଅନୁଯାୟୀ, ୩୨୩, ୩୨୫, ୨୯୪ ଏବଂ ୫୦୬ ମାମଲା ରୁଜୁ ହୋଇଛି ।
ମୟୂରଭଞ୍ଜର ବିଜେପି ସାଂସଦ ବିଶେଶ୍ୱର ଟୁଡୁ ପୂର୍ବରୁ ମଧ୍ୟ ଜଣେ ସରକାରୀ ଅଧିକାରୀଙ୍କୁ ମାଡ ମାରି ଚର୍ଚ୍ଚାକୁ ଆସିଥିଲେ । ଗତବର୍ଷ କ୍ୟାବିନେଟ ପୁର୍ନଗଠନବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରାଜ୍ୟ ମନ୍ତ୍ରୀ ଭାବେ ଘୋଷଣା କରିଥିଲେ ।