Odia News Portal

ମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା କଲେ ବିଜେପି କର୍ମୀ

ପିପିଲି: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପିପିଲିରେ ଭର୍ଚୁଆଲ୍ ରାଲି କରିବେ । ଏହାପୂର୍ବରୁ ଆଜି ପିପିଲିରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । କିଛି ସ୍ଥାନରେ ବିଜେଡି ଓ ବିଜେପି ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ଖବର ଆସିଛି । ଉଭୟ ଦଳ ଆକ୍ଷେପ ପ୍ରତିଆକ୍ଷେପ କରିଛନ୍ତି । ପିପିଲି ଉପନିର୍ବାଚନ ପ୍ରଚାର ବେଳେ ଡେଲାଙ୍ଗରେ ଉତ୍ତେଜନା। ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ। ଏଥିରେ ୩ଜଣ ବିଜେଡି କର୍ମୀ ଗୁରୁତର ହୋଇଛନ୍ତି। ୨ଜଣଙ୍କ ମୁଣ୍ଡ ଓ ଜଣଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି । ଆହତଙ୍କ ମଧ୍ୟରୁ ଜଣଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ହସପିଟାଲକୁ ଆସି ବିଜେପି କର୍ମୀ ଧମକ ଦେଇଥିବା ଅଭିଯୋଗ ହୋଇଛି । ୩ ଆହତ ବିଜେଡି କର୍ମୀଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂ ଭେଟିଥିବା ତାଙ୍କୁ ଘେରାଉ କରିଛନ୍ତି ବିଜେପି କର୍ମୀ। ମନ୍ତ୍ରୀଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି ।

ପୂର୍ବରୁ ଆଜି ବିଜେଡିର ମହିଳା ସମାବେଶ ପରେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀ ଦୁର୍ବ୍ୟବହାର କରିଥିଲେ । ସମାବେଶରୁ ଫେରିବା ବେଳେ ବିଜେଡି କର୍ମୀଙ୍କୁ ଆକ୍ଷେପ କରିବା ସହିତ ଟଙ୍କାର ଲୋଭ ଦେଖାଇଥିଲେ ବିଜେପି କର୍ମୀ । ବିଜେଡି କର୍ମୀମାନେ ଏହାର ପ୍ରତିବାଦ କରିବାରୁ ବିଜେପି ତରଫରୁ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛି ବିଜେଡି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ଆକ୍ରମଣରେ ସାମିଲ ଥିବା ଅଭିଯୋଗ ହୋଇଛି ।