ବିଜେପିର ବିଜୟ ସଂକଳ୍ପ ସମାବେଶ; ନୂଆପଡ଼ା ଦେଖିବ ବିକାଶର ଗତି: ମୁଖ୍ୟମନ୍ତ୍ରୀ By Swadhikar News Last updated Oct 17, 2025 ନୂଆପଡ଼ା ରାଜନୈତିକ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। କେବଳ ନୂଆପଡା ନିର୍ବାଚନମଣ୍ଡଳୀ ନୁହେଁ, ସମଗ୍ର ନୂଆପଡ଼ା ଜିଲ୍ଲାର ଜଣେ ଲୋକପ୍ରିୟ ଜନପ୍ରତିନିଧିଙ୍କ ସୁଯୋଗ୍ୟ ଦାୟାଦ ଆଜି ତାଙ୍କ ପିତାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ବିଜେପି ପରିବାରରେ ସାମିଲ ହୋଇଛନ୍ତି ବୋଲି ଗୁରୁବାର ନୂଆପଡ଼ା ଗୋତମା ଏୟାରଷ୍ଟ୍ରିପ୍ ପାଖରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏବେ ନୂଆପଡ଼ା ଦେଖିବ ଡବଲ୍ ଇଞ୍ଜିନ ସରକାରର ବିକାଶର ଗତି। ନୂଆପଡ଼ା ଉପନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ ଏବଂ ଏହାକୁ ନେଇ କାହା ମନରେ ଦ୍ୱନ୍ଦ୍ବ କି ସନ୍ଦେହ ରହିବା କଥା ନୁହେଁ ବୋଲି ଶ୍ରୀ ମାଝୀ କହିଛନ୍ତି। ନୂଆପଡ଼ା ବିକାଶର ଦାୟିତ୍ୱ ମୋର, ଏହି ଜିଲ୍ଲାକୁ ରାଜ୍ୟର ବିକଶିତ ଓ ଶ୍ରେଷ୍ଠ ଜିଲ୍ଲା ବର୍ଗକୁ ନେବାର ଦାୟିତ୍ୱ ମୁଁ ନେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କୁ କଟାକ୍ଷ କରିଥିଲେ ମୋହନ। ସେ କହିଥିଲେ, ଅତୀତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାଲେଶ୍ୱର, ଧାମନଗର, ପଦ୍ମପୁର, ବିଜେପୁର ଆଦି ଉପନିର୍ବାଚନରେ ବିକାଶର ଦାୟିତ୍ୱ ମୋର ବୋଲି ଘୋଷାପାଠ କହିଥାନ୍ତି ଏବଂ ନିର୍ବାଚନ ପରେ ହିଁ ସବୁ କଥା ଭୁଲି ଯାଇଥା’ନ୍ତି। କିନ୍ତୁ ଆମ ସରକାରର ମନ୍ତ୍ର ହେଉଛି କଥା ଦେବୁ ମାନେ କଥା ରଖିବୁ। ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ଧାନ କ୍ବିଣ୍ଟାଲ୍ ପିଛା ୮୦୦ ଟଙ୍କା ବୋନସ୍ ପ୍ରଦାନ ଏବଂ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ନୂଆପଡ଼ା ଜିଲ୍ଲାର ୨ ଲକ୍ଷ ଚାଷୀ ଧାନରେ ବୋନସ୍ ପାଉଥିଲାବେଳେ ୧ ଲକ୍ଷ ୫୫ ହଜାର ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେଉଛନ୍ତି। ନିକଟ ଅତୀତରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୩୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି, ଯେଉଁଥିରେ ନୂଆପଡ଼ା ଜିଲ୍ଲାକୁ ଗୁରୁତ୍ୱ ମିଳିଛି। ଜଣେ ସମାଜସେବକ ଭାବେ ନିଜ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ପାଇଁ କାର୍ଯ୍ୟ କରିବା ଓ ତାଙ୍କ ସୁଖଦୁଃଖରେ ଛିଡ଼ା ହେବା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସ୍ୱଭାବ ଥିଲା। ଆଜି ତାଙ୍କ ଅବର୍ତ୍ତମାନରେ ତାଙ୍କର ସୁଯୋଗ୍ୟ ଦାୟାଦ ଜୟ ଢୋଲକିଆ ନିଜ ପିତାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଚାରଧାରା ଓ ବିକାଶର ଧାରାରେ ପ୍ରଭାବିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି। ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପରେ ବିଜେଡି ପକ୍ଷରୁ ଯେଉଁ ବ୍ୟକ୍ତିଗତ ଅଶାଳୀନ ମନ୍ତବ୍ୟ ଦିଆଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ମାତ୍ର ଶାଳୀନତା ପାଇଁ ଜଣାଶୁଣା ନବୀନ ପଟ୍ଟନାୟକ ଏଭଳି ଘୃଣ୍ୟ ଟିପଣୀକୁ ନିନ୍ଦା ନ କରିବା ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ କହିଲେ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ସମାଜସେବା ଜାରି ରଖିବି। ସବୁଦିନ ପାଇଁ ମୋ ଘରଦ୍ୱାର ଆପଣଙ୍କ ପାଇଁ ଖୋଲା ରହିବ। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସାଂସଦ ମାଳବିକା ଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାର, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ଓ ଜଳଯୋଗାଣ ମନ୍ତ୍ରୀ ରବି ନାଏକ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ବାଣିଜ୍ୟ ପରିବହନ ତଥା ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା, ଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଧାୟକ ଜୟନାରାୟଣ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସମେତ ବହୁ ବିଧାୟକ, ପୂର୍ବତନ ବିଧାୟକ ଓ ସାଂସଦ, ସ୍ଥାନୀୟ ନେତା ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢ଼ୀ, ହୋମସିଂ ମାଝୀ, ଅଭିନନ୍ଦନ ପଣ୍ଡା, ଖରିଆର ରୋଡ୍ ଏନ୍ଏସି ଅଧ୍ୟକ୍ଷା ଡା. ସୋନିଆ ଜୈନ, ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅନ୍ୟ ରାଜନୈତିକ ଦଳର ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ। swadhikarswadhikar news Share