Odia News Portal

ବ୍ଲାକ୍‌ ସ୍ବାନ୍‌ ସମ୍ମିଳନୀ ଉଦ୍‌ଯାପିତ: ‘ପ୍ରଯୁକ୍ତିର ଲାଭ ଲୋକଙ୍କୁ ମିଳୁ’

ଆଜି ଆମେ ଏଭଳି ଏକ ସମୟରେ ବଞ୍ଚୁ‌‌ଛେ ଯେତେବେଳେ ପ୍ରଯୁକ୍ତି ଅପ୍ରତ୍ୟାଶିତ ବେଗରେ ଆଗକୁ ବଢ଼ୁଛି। ନୂଆ ନୂଆ ନବସୃଜନ ଏତେ ଶୀଘ୍ର ଆସୁଛି ଯେ ଆମର ବ୍ୟବସ୍ଥା ଏବଂ ବ୍ୟବସାୟ ମଡେଲ୍‌ଗୁଡ଼ିକ ତିଷ୍ଠି ରହିବା ପାଇଁ  ସଂଘର୍ଷ କରୁଛନ୍ତି। ଅଟୋମେସନ୍‌, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (ଏଆଇ) ଏବଂ ମେସିନ ଲର୍ଣ୍ଣିଂ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରୁଛି। ଅନ୍ୟପକ୍ଷରେ ଏସବୁ ଅଗ୍ରଗତି ଅନେକ ଆହ୍ବାନ ମଧ୍ୟ ସୃଷ୍ଟି କରିଛି। ସେଗୁଡ଼ିକ ହେଲା ସାଇବର ସିକ୍ୟୁରିଟି ବିପଦ, ଡିପ୍‌ଫେକ୍‌, ଭୁଲ୍‌ ସୂଚନା ପ୍ରସାରଣ ଓ ପ୍ରଯୁକ୍ତି ଉପରେ ଅତ୍ୟଧିକ ନିର୍ଭରଶୀଳତା। ଏହା ସତ୍ତ୍ବେ ପ୍ରଯୁକ୍ତି କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନର ଅନୁକୂଳ ପ୍ରଭାବ ନବସୃଜନ ଓ ଅଭିବୃଦ୍ଧି ଉପରେ ରହିଛି ବୋଲି ଦୁଇଦିନିଆ ବ୍ଲାକ୍‌ ସ୍ବାନ୍‌ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।କେନ୍ଦ୍ର ସରକାରଙ୍କ ଭାରତ ନେତ୍ର ଅଭିଯାନରେ ଓଡ଼ିଶା ସରକାର ଏବଂ ଜିଏଫ୍‌ଟିଏନ୍‌ ସିଙ୍ଗାପୁରର ମିଳିତ ସହଯୋଗ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଆୟୋଜିତ ବ୍ଲାକ୍‌ ସ୍ବାନ୍‌ ସମ୍ମିଳନୀରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦ୍‌ବୋଧନ ଦେଇ କହିଥିଲେ, ଗତ ଦଶନ୍ଧିରେ ଆର୍ଥିକ କ୍ଷେତ୍ରରେ ଭାରତରେ ପ୍ରଭାବଶାଳୀ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତ ନିକଟ ଭବିଷ୍ୟତରେ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ହେବା ଦିଗରେ ଆଗକୁ ବଢ଼ୁଛି। ଡିଜିଟାଲ୍‌ ‌କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଏବଂ ଭାରତ ସରକାରଙ୍କ ନୀତି ଯୋଗୁ ଏହା ‌ହୋଇପାରିଛି। ଗତ ୧୧ ବର୍ଷରେ ଦେଶରେ ୫୭ କୋଟିରୁ ଅଧିକ ଜନଧନ ଆକାଉଣ୍ଟ ଖୋଲା ଯାଇପାରିଛି। ଏଥିରେ ମହିଳାଙ୍କ ଅଂଶ ୫୬ ପ୍ରତିଶତ। ଆଜି ଗୋଟିଏ ସ୍ମାର୍ଟଫୋନ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମହିଳା, କୃଷକମାନେ ସରକାରଙ୍କ ଅର୍ଥ ପାଇପାରୁଛନ୍ତି। ସେହିଭଳି ଜଣେ ଛୋଟ ଦୋକାନୀ ଗ୍ରାହକଙ୍କଠାରୁ ସିଧାସଳଖ ବିକ୍ରିଲବ୍ଧ ଅର୍ଥ ଡିଜିଟାଲ୍‌ ମାଧ୍ୟମରେ ଗ୍ରହଣ କରିପାରୁଛି। ଏସବୁ ଲୋକଙ୍କ ପାଇଁ ଫିନ୍‌ଟେକ୍‌ ବା ଆର୍ଥିକ ପ୍ରଯୁକ୍ତି ଏକ ପ୍ରଯୁକ୍ତିଗତ ଶବ୍ଦ ନୁହେଁ, ବରଂ ଜୀବନରେଖା ପାଲଟିଛି ବୋଲି ରାଷ୍ଟ୍ରପତି କହିଥିଲେ। ଅନଲାଇନ ଆର୍ଥିକ ଠକେଇକୁ ରୋକିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଡିଜିଟାଲ୍‌ ଓ ଫାଇନାନ୍ସିଆଲ ସାକ୍ଷରତାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଇ ପାରିଲେ ପିଲାମାନେ ଛୋଟବେଳୁ ଏହାର ଉଭୟ ଉପକାର ଓ ଅପକାର ଜାଣିପାରିବେ। ତେଣୁ ଡିଜିଟାଲ୍‌ ଓ ଆର୍ଥିକ ସାକ୍ଷରତା କ୍ଷେତ୍ରରେ ସବୁ ଅଂଶୀଦାରମାନେ କାର୍ଯ୍ୟ କରିବା ଲାଗି ରାଷ୍ଟ୍ରପତି ଆହ୍ବାନ ଦେବା ସହ ଏସବୁ ପ୍ରଯୁକ୍ତିର ଲାଭ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଯୋଗ ଦେଇ କହିଥିଲେ, ବ୍ଲାକ୍‌ ସ୍ବାନ୍‌ ସମ୍ମିଳନୀ ଆମକୁ ମନେ ପକାଇ ଦେଇଛି ଯେ ଅନିଶ୍ଚିତତାକୁ ଭୟ କରିବା ଉଚିତ ନୁହେଁ, ବରଂ ଏହାକୁ ଏକ ଲାଭଦାୟକ ସୁଯୋଗରେ ପରିଣତ କରିବାକୁ ପଡ଼ିବ। ଦେଶର ପ୍ରଥମ ବ୍ଲାକ୍‌ ସ୍ବାନ୍‌ ସମ୍ମିଳନୀ ଆୟୋଜନ କରି ଓଡ଼ିଶା ଗର୍ବିତ ବୋଲି ରାଜ୍ୟପାଳ ମତ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଭାରତକୁ ପ୍ରଯୁକ୍ତି କ୍ଷେତ୍ରରେ ଆଗରେ ରଖିବା ଲାଗି ପ୍ରଧାନମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଓଡ଼ିଶାରେ ବ୍ଲାକ୍‌ ସ୍ବାନ୍‌ ସମ୍ମିଳନୀ ଆୟୋଜନ ରାଜ୍ୟ, ବିଶେଷକରି ଯୁବବର୍ଗଙ୍କ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଅାହୁରି କହିଥିଲେ, ଆଜିକାଲି ପ୍ରତ୍ୟେକ କ୍ଷେତ୍ର ପ୍ରଯୁକ୍ତି ସହିିତ ଜଡ଼ିତ। ଓଡ଼ିଶାର ବିକାଶ ନବସୃଜନ ଉପରେ ନିର୍ଭର କରେ। ସମନ୍ବିତ ଗ୍ଲୋବାଲ୍‌ ଫାଇନାନ୍ସିଆଲ୍‌ ଟେକ୍ନୋଲୋଜି କାପାବିଲିଟି ହବ୍‌ ସ୍ଥାପନ ପାଇଁ ଗତବର୍ଷ ସିଙ୍ଗାପୁର ରାଷ୍ଟ୍ରପତି ଥରମନ ସନମୁଗରତ୍ନମଙ୍କ ଓଡ଼ିଶା ଗସ୍ତ ସମୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ଜିଏଫ୍‌ଟିଏନ୍, ଆଇଆଇଡିଏମ୍ ଏବଂ ନ୍ୟାସନାଲ ୟୁନିଭରସିଟି ଅଫ୍‌ ସିଙ୍ଗାପୁର ମଧ୍ୟରେ ଏହି ରାଜିନାମା ହୋଇଥିଲା। ଆଜି ଏହାର ସୁଫଳ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ସମ୍ମିଳନୀରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ସଚିବ ଅନୁ ଗର୍ଗ, ଜିଏଫ୍‌ଟିଏନ୍‌ର ନିର୍ଦ୍ଦେଶକ ମଣ୍ଡଳୀର ଅଧ୍ୟକ୍ଷ ରବି ମେନନ ଯୋଗ ଦେଇଥିଲେ। ରାଜ୍ୟର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ସର୍ଭମ୍‌ ଏଆଇ ସହିତ ଏକ ବୁଝାମଣାପତ୍ର ଅତିଥିମାନଙ୍କ ଉପସ୍ଥିତିରେ ସ୍ବାକ୍ଷର ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ବିଶାଳ ଦେବ ଏବଂ ସର୍ଭମ୍‌ ଏଆଇର ସିଇଓ ପ୍ରତ୍ୟୁଷ କୁମାର ଏଥିରେ ଦସ୍ତଖତ କରିବା ସହ ପରସ୍ପର ମଧ୍ୟରେ ବିନିମୟ କରିଥିଲେ। ଦୁଇଦିନିଆ ସମ୍ମିଳନୀରେ ୨୪ ଦେଶରୁ ୧୭୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥି‌ଲେ।