Odia News Portal

ବିଏମ୍ ସି ସଫେଇ କର୍ମୀଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ

ଭୁବନେଶ୍ୱର : ବିଶ୍ୱ ସମୁଦାୟ କରୋନା ବିରୁଦ୍ଧରେ ଅହରହ ଯୁଦ୍ଧ କରୁଥିବା ବେଳେ ପ୍ରତ୍ୟେକ ଇଲାକାରେ ଦେଖାଦେଇଛି ଏଥିପାଇଁ ଯୋଗଦାନ । ବିଶେଷ କରି ସଂକ୍ରମଣର ଗ୍ରାସ କୁ ଖାତିର ନକରି ସମାଜକୁ ସୁରକ୍ଷିତ ରଖିବା ପାଇଁ ଜୀବିକା ରୂପେ ବରିନେଇଥିବା ସଫେଇ କର୍ମୀଙ୍କ ତ୍ୟାଗ ଆଗରେ ଆଜି ମୁଣ୍ଡ ନୁଆଁଇଛି ସମାଜ । ସେମାନେ ଯେ ପ୍ରକୃତ ସାଥି ତାହା ଆଜି ସମସ୍ତଙ୍କ ଭିତରେ ଏକ ଛାପ ସୃଷ୍ଟି କରିଛି । ବ୍ୟକ୍ତିଗତ ରୁ ଆନୁଷ୍ଠାନିକ ଏବଂ ଆନୁଷ୍ଠାନିକରୁ ସରକାରୀ ପ୍ରଶଂସା ଏବଂ ଅକୁଣ୍ଠ ପ୍ରୋତ୍ସାହନ ଆଜି ସଫେଇ କର୍ମୀଙ୍କୁ ଦେଇଛି ଉଚ୍ଚ ସମ୍ମାନ । ତେବେ ଆଜି ସଫେଇ କର୍ମୀଙ୍କ ଲାଗି ଏହିଭଳି ଏକ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଦିବା ୧୨ ଘଟିକା ସମୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କମିଶନର ପ୍ରେମଚନ୍ଦ୍ର ଚୋøଧରୀ ଏବଂ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରିଚାରୀ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ଶ୍ରୀମତୀ ରୋଜାଲିନ୍ ପାଟ୍ଟଶାଣୀ ମିଶ୍ରଙ୍କ ଉପସ୍ଥିତିରେ ସଫେଇ କର୍ମୀ ମାନଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ଉପହାର । ଏହି ଉପହାର ଗୁଡ଼ିକ ଥିଲା ଭିନ୍ନ ଧରଣର । ସାମାଜିକ ଦାୟିତ୍ୱବୋଧ ପ୍ରକଳ୍ପ ଅଧିନରେ ନେସ୍‌ଲେ ଇଣ୍ଡିଆ ଲିମିଟେଡ଼୍ ରୁ ପରିଚାରୀ ଫାଉଣ୍ଡେସନ୍ ଗ୍ରହଣ କରିଥିବା ଚକୋଲେଟ୍‌, ନେସ୍‌କାଫେ ଏବଂ ମଂଚ୍ ଇତ୍ୟାଦି କୋଭିଡ଼୍ ଯୋଦ୍ଧା ମାନଙ୍କ ଶିଶୁ ଏବଂ ପରିବାର ବର୍ଗଙ୍କୁ ଅର୍ପଣ କରିବାକୁ ଅନୁରୋଧ ଜଣାଇଛନ୍ତି ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ।

ଦିନରାତି ଯେକୌଣସି ସମୟରେ ଯେକୌଣସି ପରିସ୍ଥିତିରେ ସହରକୁ ସଫା ରଖି ନାଗରିକ ମାନଙ୍କ ସ୍ୱାସ୍ଥ୍ୟକୁ ନିଶ୍ଚିତ କରାଇବାର ଏକ ପ୍ରକାର ଗୁରୁଦାୟିତ୍ୱ ବହନ କରିଥିବା ସଫେଇ କର୍ମଚାରୀ ମାନଙ୍କୁ କୋଭିଡ଼୍‌-୧୯ ମହାମାରୀ ସମୟରେ ଅନେକ ଅନୁଷ୍ଠାନ ସେମାନଙ୍କୁ ସମ୍ମାନିତ କରିବା ସହିତ ସେମାନଙ୍କୁ ପ୍ରୋତ୍ସାହନ ଜଣାଉଥିବା ବେଳେ ଆଜି ଏକ ନିଆରା ଢଙ୍ଗର ପ୍ରୋତ୍ସାହନ ଦେଇଛନ୍ତି ବି.ଏମ୍‌.ସି. କର୍ତୃପକ୍ଷ । ଯଦି ଆମେ କୌଣସି ପ୍ରକାରେ ଶ୍ରଦ୍ଧା ସମ୍ମାନ ଦେଇ ସଫେଇକର୍ମୀଙ୍କୁ ଆନନ୍ଦର ସ୍ୱାଦ ଚଖେଇ ପାରୁଛେ ତେବେ ଏଭଳି ପରିସ୍ଥିତିରେ ତାହା ସେମାନଙ୍କ ମାନବୀୟ ମୂଲ୍ୟବୋଧକୁ ଜାହିର କରିବ ବୋଲି କହିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୋøଧରୀ । ପରିଚାରୀ ଫାଉଣ୍ଡେସନ୍ ଆଜି ସେହିଭଳି ଏକ ଭାବାବେଗ ସୃଷ୍ଟି କରିଛନ୍ତି ବୋଲି ସେ କହିଥିଲେ ।

ଅନ୍ୟ ପକ୍ଷରେ ନେସ୍‌ଲେ ଇଣ୍ଡିଆ ତରଫରୁ ଉକ୍ତ ଚକୋଲେଟ୍ ଇତ୍ୟାଦି ୧୦ ଲକ୍ଷ ଟଙ୍କାର ନେସ୍‌ଲେ ଉତ୍ପାଦନ ଗ୍ରହଣ କରି ବି.ଏମ୍‌.ସି. ସଫେଇ କର୍ମଚାରୀଙ୍କ ଶିଶୁ ଓ ପରିବାରକୁ ଅର୍ପଣ କରିବାକୁ ଆଗେଇ ଆସିଥିବା ପରିଚାରୀ ଫାଉଣ୍ଡେସନ୍ ଅଧ୍ୟକ୍ଷା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର କହିଛନ୍ତି ଯେ; ଆମ ସମସ୍ତଙ୍କ ପାଇଁ ଗଳି ବସ୍ତି ବୁଲି କାମ କରୁଥିବା ସଫେଇ କର୍ମୀଙ୍କ ପାଇଁ ଏହା ଏକ ଛୋଟିଆ ଉପହାର ମାତ୍ର । ଏହା ଯେ ନିଶ୍ଚିତ ଭାବେ ସେମାନଙ୍କ ମନରେ ଉଲ୍ଲାସ ସୃଷ୍ଟି କରିବ ଏହି ଆଶାପୋଷଣ କରି ସେ ବି.ଏମ୍‌.ସି କର୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି । ବି.ଏମ୍‌.ସି ଏପରି କରୋନା ସଂକ୍ରମଣ ପରିସ୍ଥିତିରେ ବିଭିନ୍ନ ବସ୍ତି, କଂଟେନ୍‌ମେଂଟ ଜୋନ୍ ଏବଂ ସମ୍ବେଦନଶୀଳ ବ୍ୟକ୍ତି ଇତ୍ୟାଦିଙ୍କର ଯତ୍ନ ଓ ସେବାକୁ ଗୁରୁତ୍ୱର ସହ ନେଇ ଏହାର ଭାର ତୁଲାଇପାରିଛି ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗ ଏ ଦିଗରେ ଆମକୁ ଆଗେଇ ନେଇଛି ବୋଲି ସେ କହିଛନ୍ତି । ଉପହାର ବାବଦରେ ଗ୍ରହଣ କରାଯାଇଥିବା ନେସ୍‌ଲେ ପ୍ରଡ଼କ୍ଟ କେବଳ ସଫେଇ କର୍ମୀମାନଙ୍କ ଶିଶୁ ଓ ପରିବାରଙ୍କୁ ସ୍ୱତନ୍ତ୍ର ଭାବେ ବଂଟନ କରାଯିବ । ଏହାର ଦାୟିତ୍ୱ ବି.ଏମ୍‌.ସି. ର ଡ଼େପୁଟି କମିଶନର ସାନିଟେସନ୍ ଶୁଭେନ୍ଦୁ ସାହୁଙ୍କୁ ଦେଇଛନ୍ତି କର୍ତୃପକ୍ଷ ।

ଝୁନୁ ନାଏକ :- (ସଫେଇ କର୍ମୀ): “ଆମେ ସବୁ ଦିନ ଭଳି କାମ କରୁଛୁ । ଅକାଳୁ ଆସି ବେଳ ବୁଡ଼କୁ ଘରକୁ ଗଲେ ଆମ ପିଲାମାନେ ଏହି ଚକୋଲେଟ୍ ପାଇ ଖୁସିହେବେ, ଯାହା ଆମେ ସବୁବେଳେ କିଣି ଦେଇପାରୁନା, ତାହା ଆଜି ମୁଳିଥିବାରୁ ଆମେ ଖୁସି; ଯାହାହେଉ ଆମ ପରଶ୍ରମକୁ କିଏ ବି ପସନ୍ଦ କରି ଆମକୁ ଏହି ସମ୍ମାନ ଦେଖାଇଛନ୍ତି; ଏଥିରେ ମୁଁ ନିଜକୁ ସମ୍ମାନିତ ମନେ କରୁଛି” ।  ବି ଏମ୍ ସି କର୍ତୃପକ୍ଷଙ୍କର ଏହି ପ୍ରକାର ର ସହଯୋଗ ଏବଂ କରୋନା ମହାମାରୀ ସମୟରେ ସଫେଇ କର୍ମୀମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ପୂର୍ବତନ ଭାରତୀୟ ଡିପ୍ଲୋମାଟ୍ ଅମରେନ୍ଦ୍ର ଖଟୁଆ ଏବଂ ନେସ୍‌ଲେ ଇଣ୍ଡିଆର ଇଷ୍ଟ୍ ଜୋନ୍ ରିଜିଓନାଲ୍ ମ୍ୟାନେଜର ସୁବ୍ରତ ବାନାର୍ଜୀଙ୍କୁ ଧନ୍ୟବାଦ ଜଣେଇଛନ୍ତି ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ।