Odia News Portal

ବିଏମସିର ନୂଆ ଗାଇଡଲାଇନକୁ ଜୋରଦାର ବିରୋଧ

ଭୁବନେଶ୍ୱର: ରାଜ୍ୟରେ କମିବାର ନାଁ ଧରୁନି କରୋନା ସଂକ୍ରମଣ । ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଏସି ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଶୀତଦିନ ପାଇଁ ବିଏମସି ଆଣିଥିବା ନୂଆ ଗାଇଡ଼ ଲାଇନକୁ ଜୋରଦାର ବିରୋଧ । କରୋନା ସଂକ୍ରମଣକୁ ରୋକିବା ପାଇଁ ବିବାହ ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ଜଣରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଥିଲା ଯାହାକୁ ବିରୋଧ କରିଛନ୍ତି କ୍ୟାଟରିଂ, ଲାଇଟ-ସାଉଣ୍ଡ, ଟେଂଟ ହାଉସ ଓ ଡ଼ିଜେ ସଂଘ । ସରକାର ଜୀବନକୁ ଗୁରୁତ୍ୱ ଦେଇ ଜୀବିକା ଛଡ଼ାଇନେଉଥିବା ଏମାନେ ଅଭିଯୋଗ କରିଛନ୍ତି । ତେଣୁ ବିଏମସି ତାର ନିର୍ଦ୍ଦେଶନାମାର ପୁନର୍ବିଚାର କରୁ ବୋଲି ଦାବି କରିଛନ୍ତି ଏହି ସଂଗଠନ ଗୁଡ଼ିକ ।

ତେବେ ଜାରି ହୋଇଥିବା ଏସ୍‌ଓପି ମୁତାବକ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏଭଳି ଉତ୍ସବ ଆୟୋଜନ କରିବାକୁ ହେ‌ଲେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ସ୍ୱୀକୃତି ନେବାକୁ ପଡ଼ିବ । ସ୍ୱୀକୃତି ନେବା ସମୟରେ ଉତ୍ସବରେ ୫୦ ଲୋକ ଯୋଗ ଦେବେ ବୋଲି ସ୍ପଷ୍ଟ କରିବାକୁ ହେବ । ଉତ୍ସବ ହେଉଥିବା ଜାଗାର ୫୦ପ୍ରତିଶତ ବ୍ୟବହାର ହେବ, ବାକି ୫୦ପ୍ରତିଶତ ଚଳପ୍ରଚଳ ପାଇଁ ଫାଙ୍କା ରହିବ । ପ୍ରତ୍ୟେକଙ୍କ ଭିତରେ ଯେଭଳି ୬ଫୁଟ୍ର ବ୍ୟବଧାନ ରହିବ, ସେ ନେଇ ଆୟୋଜକ ନିଶ୍ଚିତ କରିବେ । ବୟସ୍କ, ଗର୍ଭବତୀ, ଶିଶୁ ତଥା ଅନ୍ୟାନ୍ୟ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଏଭଳି ଉତ୍ସବରେ ଯୋଗ ଦେଇପାରିବେ ନାହିଁ ।

ଉତ୍ସବର କୌଣସି ସ୍ଥାନରେ ପାନଛେପ ପକାଇବେ ନାହିଁ । କେବଳ ଖାଇବା ସମୟ ଛଡ଼ା ଅତିଥିମାନେ ସବୁବେଳେ ମାସ୍କ ପିନ୍ଧିବେ। ଆୟୋଜକ ପ୍ରବେଶ ସ୍ଥାନରେ ଯଥେଷ୍ଟ ପରିମାଣରେ ସାନିଟାଇଜର୍ ଓ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା କରିବେ । ଏହି ସବୁ ଉତ୍ସବସ୍ଥଳକୁ ନିୟମିତ ବିଏମ୍‌ସି ଓ କମିସନରେଟ୍ ପୁଲିସର ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍ ପରିଦର୍ଶନ କରିବେ । ଚଢ଼ାଉ ସମୟରେ କୋଭିଡ୍ ଗାଇଡ୍‌ଲାଇନ୍ ଉଲ୍ଲଂଘନ ହେବା ନଜରକୁ ଆସିଲେ, ଆୟୋଜକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାନେଇ ସ୍ପଷ୍ଟ କରାଯାଇଛି ।