Odia News Portal

ରାଜଧାନୀବାସୀଙ୍କୁ ସତର୍କ କଲେ କମିଶନର

ଫେରିବ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ବର : ମାନୁନାହାନ୍ତି ରାଜଧାନୀବାସୀ । ଫଳରେ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି । ଲୋକମାନେ ସଚେତନ ହେଉନାହାନ୍ତି ଓ ଠିକଭାବେ ନିୟମ ପାଳନ କରୁନାହାନ୍ତି । ଏପରି ସ୍ଥିତି ଜାରି ରହିଲେ ଆମେ କଡ଼ା ପଦକ୍ଷେପ ନିଆଯିବାକୁ ବାଧ୍ୟ ହେବୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସତର୍କ କରାଇଦେଇଛନ୍ତି ।

ସେ କହିଛନ୍ତି ଯେ ଭୁବନେଶ୍ବରର କେତେକ ଅଂଚଳରେ ସିଲିଂ ଓ କଣ୍ଟେନମେଣ୍ଟ ଜୋନ ପ୍ରତିଷ୍ଠା କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି । ଅନ୍ୟପକ୍ଷରେ କେତେକ ଲୋକମାନଙ୍କ ଶରୀରରେ ଜ୍ବର ଥିଲେ ମଧ୍ୟ ସେମାନେ ପରୀକ୍ଷା କରାଉନାହାନ୍ତି । ଏଣୁ କରୋନାକୁ ହରାଇବାକୁ ହେଲେ ଲୋକଙ୍କୁ ସତର୍କ ରହିବାକୁ ହେବ ଓ ସହଯୋଗ କରିବାକୁ ହେବ ।

ଆଜି ଡାକ୍ତର ଅଶୋକ ମହାପାତ୍ର କହିଥିଲେ ଯେ ଭୁବନେଶ୍ବର-କଟକ ଟ୍ବିନ ସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଛି । ଟ୍ବିନ ସିଟିର କଟକଣା ଅଧିକ ରହିବା ଦରକାର, ନଚେତ ଆଗକୁ ସ୍ଥିତି ଅସମ୍ଭାଳ ହେବ । ମାଛମାଂସ ଓ ମଦ ଦୋକାନ ସଂକ୍ରମଣ ବୃଦ୍ଧିର ବଡ଼ କାରଣ । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୂର୍ବ କୌଶଳ ବଦଳାଇବାକୁ ହେବ ଓ ସ୍ବତନ୍ତ୍ର କୌଶଳ ଅବଲମ୍ବନ କରିବାକୁ ହେବ ବୋଲି ସେ କହିଥିଲେ ।