Odia News Portal

ରାଜଧାନୀବାସୀ ମଶା କାମୁଡାରେ କଲବଲ, ଚଢଉରେ ମାତିଛି ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀବାସୀ ମଶା କାମୁଡାରେ କଲବଲ ହେଉଥିବା ଏବଂ ଡେଙ୍ଗୁରେ ସଂକ୍ରମିତ ହେଉଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ମଶା ନିୟନ୍ତ୍ରଣ ଅପେକ୍ଷା ଦୋକାନ ବଜାର ସିଲ୍ ଓ ବିବାହ ମଣ୍ଡପ ଚଢଉରେ ଅଧିକ ସକ୍ରିୟ ଥିବା ଦେଖିବାକୁ ମିଳୁଛି । ଖୋଦ ରାଜଧାନୀରେ ଡେଙ୍ଗୁ ଅଣାୟତ ହେଉଥିବାବେଳେ ବିଏମ୍‌ସିର ଏଭଳି ପୁଲିସ୍ ଅବତାର ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଲୋକସେବାଭବନ ଠାରୁ କେଇ ହାତ ଦୂରରେ କଳ୍ପନା ଇଲାକା ଏବେ ଡେଙ୍ଗୁ ସଂକ୍ରମିତ ଅଞ୍ଚଳ ପାଲଟିଛି । ଏଠାରେ କେତେକ ସଂକ୍ରମିତ ଏବେ ଡାକ୍ତରଖାନାରେ । ସେହିଭଳି ସହରର ଅନ୍ୟାନ୍ୟ ସ୍ଥାନରେ ବି ଡେଙ୍ଗୁ ପ୍ରାଦୁଭାବ ବଢିବାରେ ଲାଗିଛି । ଡେଙ୍ଗୁର ପ୍ରଧାନ କାରଣ ହେଉଛି ମାଶା କାମୁଡା । ଅବଶ୍ୟ ଡେଙ୍ଗୁ ମଶା ସ୍ୱଚ୍ଛ ଜଳରେ ବଢିବା ସହିତ ଦିନବେଳା କାମୁଡିଥାନ୍ତି । ତେବେ ସହରରେ ମଶା ନିନନ୍ତ୍ରଣ ଦାୟିତ୍ୱ ବିଏମ୍‌ସି ହାତରେ ଥିବାବଳେ ଏହାର ସ୍ୱାସ୍ଥ୍ୟ ବିଭାଗ ସେଭଳି ତତ୍ପର ଥିବାଭଳି ଲକ୍ଷ୍ୟ କରାଯାଉନାହିଁ । ଏବେ ବି ସହରର ବିଭିନ୍ନ ସ୍ଥାନରେ ମଶାଧୂଆଁ ଛାଡିବା କିମ୍ବା ମଶା ତେଲ ପକାଇବା ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେଉନାହିଁ । ବିଏମ୍‌ସିର ବାବୁମାନେ ଡେଙ୍ଗୁ ସଂକ୍ରମିତ ଅଞ୍ଚଳକୁ ଗସ୍ତକରି ଫଟୋ ଛାଡିବାରେ ବ୍ୟସ୍ତ ।

ତେବେ ସହରର ବିଭିନ୍ନ ଅଞ୍ଚଳରେ ଏବେ ଧିରେ ଧିରେ ଅପରିଷ୍କାର ହେବାରେ ଲାଗିଛି । ବିଶେଷକରି ଯେଉଁସବୁ ୱାର୍ଡର ସଫେଇ ଦାୟିତ୍ୱ ଘରୋଇ ସଂସ୍ଥାକୁ ଦିଆଯାଇଛି ସେଠାରେ ସ୍ଥିତି ବିଗୁଡୁଛି । ଅଳ୍ପ ସଂଖ୍ୟକ କର୍ମଚାରୀ ଓ ଗାଡିରେ କାମ ଚଳାଇ ନେବାପାଇଁ ଘରୋଇ ସଂସ୍ଥାମାନେ ଉଦ୍ୟମ କରୁଛନ୍ତି । ଚାରିଜଣ କର୍ମଚାରୀଙ୍କ ସ୍ଥାନରେ ଜଣେ କର୍ମଚାରୀଙ୍କୁ ମୁତୟନ କରାଯାଉଛି । ବର୍ତ୍ତମାନ ବର୍ଷାଦିନେ ସହରର ଅନେକ ଅଞ୍ଚଳ ଜଙ୍ଗଲିଆ ହୋଇଥିବାବେଳେ ଏଠାରେ ମଶାବଂଶ ବଢିବାରେ ଲାଗିଛନ୍ତି । ହେଲେ କରୋନାକୁ ଆଳ କରି ଘରୋଇ ସଂସ୍ଥାଗୁଡିକ ରାସ୍ତାଘାଟ କିମ୍ବା ସରକାରୀ କ୍ୱାଟର୍ସ କନଜରଭେନ୍ସି ସଫାକରୁ ନାହାନ୍ତି । ବଡ ବଡିଆ ଅଫିସରଙ୍କ ଘର ଆଗ ସଫାକରି କାମସାରି ଦେଉଛନ୍ତି । ସହରର ଅଧିକାଂଶ ଅଞ୍ଚଳରେ ଲୋକେ ଏବେ ମଶା କାମୁଡାରେ ତ୍ରାହି ତ୍ରାହି ଡାକିଲେଣି ।

ସେହିଭଳି ସହରରେ ଦୀର୍ଘଦିନ ହେଲା ମଶା ତେଲ ପଡିବା, ଧୂଆଁ ଛଡାଯିବା ଓ ବହୁ ପ୍ରତୀକ୍ଷିତ ଗମ୍ଭୁସିଆ ମାଛ ଚାଷ ଯୋଜନା ଏକ ପ୍ରକାର ନଥିରେ ରହିଗଲାଣି । ଗୋଦରା ସାରୁ କିଆରି କୋଡିବା ଭଳି ସହରର ଗୋଟିଏ ପଟେ ସ୍ମାର୍ଟସିଟି କାମ ଚାଲିଥିବାବେଳେ ଅନ୍ୟପଟେ ଅଳିଆ ଆବର୍ଜନା ବଢିବାରେ ଲାଗିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଯେଉଁ ବିଏମ୍‌ସି ସହରକୁ ଅଧିକ ପରିଷ୍କାର ରଖିବା ସହିତ ଲୋକଙ୍କୁ ସେବା ଯୋଗାଣ ଲାଗି ପ୍ରତି ୱାର୍ଡରେ ଜଣେ ଜଣେ ୱାର୍ଡ ଅଫିସର ନିଯୁକ୍ତ କରିଥିବାବେଳେ ସେମାନେ କେତେବେଳେ କେଉର୍ଠି କ’ଣ କରୁଛନ୍ତି ତାହା ୱାର୍ଡବାସୀ ଜାଣିପାରୁ ନାହାନ୍ତି ।

ଏମାନେ ଏବେ ଘରୋଇ ସଂସ୍ଥାର କର୍ମଚାରୀଙ୍କ ସହ ହାତ ମିଳାଇ ପକେଟ ଗରମ କରୁଥିବା ଆଲୋଚନା ହେଉଛି । ବର୍ଷା ମୁକାବିଳା ହେଉ ବା ଡେଙ୍ଗୁ ମୁକାବିଲା, ବାହାଘର ବେଳେ ବାଇଗଣ ରୁଆ ଭଳି ବିଏମ୍‌ସି ଶେଷ ମୂହୂର୍ତ୍ତରେ ପଦକ୍ଷେପ ନେବା ଓ କାର୍ଯ୍ୟଠାରୁ ଅଧିକ ପ୍ରକାର କରିବା ଏବେ ସହରବାସୀଙ୍କ ପାଇଁ କାଳ ହେଲାଣି ବୋଲି ଚର୍ଚ୍ଚା ଜୋର ଧରିଛି ।