Odia News Portal

ମଝି ଚିଲିକାରେ ଫସିଲା ଡଙ୍ଗା: ବର୍ଷା-ପବନରେ ଯାତ୍ରୀ ଥରଥର, ୨ ଘଣ୍ଟା ପରେ ଉଦ୍ଧାର ହେଲେ

ରବିବାର ମଧ୍ୟାହ୍ନରେ ଚିଲିକାର ଅଥଳ ଜଳରାଶିରେ ଏକ ମୋଟରଚାଳିତ ଯାତ୍ରୀବାହୀ ଡଙ୍ଗା ଦୀର୍ଘ ଦୁଇଘଣ୍ଟା ଧରି ଫସି ରହିଥିଲା। ବର୍ଷାପବନ ସାଙ୍ଗକୁ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଫଳରେ ଯାତ୍ରୀମାନେ ଅଥଳ ପାଣି ମଝିରେ ରହି ପ୍ରମାଦ ଗଣିଥିଲେ। ତେବେ ଭଗବାନଙ୍କ କୃପାରୁ ୫୦ ଯାତ୍ରୀଙ୍କ ମୂଲ୍ୟବାନ ଜୀବନ ବ‌ଞ୍ଚିଯାଇଛି। କ୍ଷମତାଠାରୁ ଚାରିଗୁଣା ଭାର ନେଇ ଆସୁଥିବା ଏହି ଯାତ୍ରୀବାହୀ ଡଙ୍ଗା ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ମଝି ଚିଲିକାରେ ଫସିବା ଏବଂ ଲୋକଙ୍କ ଜୀବନ ସହ ଖେଳିବା ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।ଆଜି ମଧ୍ୟାହ୍ନ ଗୋଟାଏ ପନ୍ଦର ମିନିଟ୍‌ରେ ଜହ୍ନିକୁଦା ଘାଟରୁ ସାତପଡ଼ା ଘାଟକୁ ଭସାପୋଲ ଆସିବାର ସମୟ ରହିଥିଲା। ଭସାପୋଲ ଆସିବା ପୂର୍ବରୁ ମଧ୍ୟାହ୍ନ ଗୋଟାଏରେ ଏକ ଯାତ୍ରୀବାହୀ ଡଙ୍ଗାରେ ୫୦ ଜଣ ଯାତ୍ରୀଙ୍କ ସହିତ ୨୫ଟି ବାଇକ୍‌ ଲଦା ହୋଇ ସାତପଡ଼ା ଘାଟକୁ ବାହାରିଥିଲା। ଡଙ୍ଗାଟି ଜହ୍ନିକୁଦା ଘାଟଠାରୁ ଆସି ମଝି ଚିଲିକାରେ ପହଞ୍ଚିଥିବାବେଳେ ହଠାତ୍‌ ଡଙ୍ଗାର ଇଞ୍ଜିନ ଭାଙ୍ଗି ଯାଇଥିଲା। ସେହି ସମୟରେ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇ ଯାଇଥିଲା। ଡଙ୍ଗା ମଝିରେ ବାଇକ୍‌ ରହିଥିବା ବେଳେ ଡଙ୍ଗାର ଉଭୟ ପାଖରେ ଯାତ୍ରୀ ଛିଡ଼ା ହୋଇଥିଲେ। ମହିଳା, ଶିଶୁ ମଧ୍ୟ ଡଙ୍ଗାରେ ରହିଥିଲେ। ବର୍ଷାରେ ଯାତ୍ରୀ ତିନ୍ତି ଯାଇଥିଲେ। ପବନରେ ଡଙ୍ଗା ଦୋହଲି ଚିଲିକାରୁ ପାଣି ପଶୁଥିବା ବେଳେ ଉପରୁ ବର୍ଷା ପାଣି ପଶିଥିଲା। ଏଭଳି ଘଟଣାରେ ଯାତ୍ରୀମାନେ ଭୟରେ ଥରି ଉଠିଥିଲେ। ଡଙ୍ଗାରେ ଥିବା ଏକ ଛୋଟ ଜେନେରେଟର ଲଗାଇ ପାଣି ବାହାରକୁ କଢ଼ାଯାଉଥିଲା। ପ୍ରାୟ ୨ ଘଣ୍ଟା ଧରି ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଯାତ୍ରୀମାନେ ଫସି ରହିଥିଲେ। ବର୍ଷା କମିବା ପରେ ଜହ୍ନିକୁଦା ଘାଟରୁ ଆଉ ଦୁଇଟି ଡଙ୍ଗା ଆସି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ମଝି ଚିଲିକାରେ ବାରମ୍ବାର ଡଙ୍ଗା ଅଟକିବା ଏବଂ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ ହେଉଥିବା ପ୍ରଶାସନର ନଜରକୁ ବାରମ୍ବାର ଆସୁଛି। ଲୋକଙ୍କ ଜୀବନକୁ ବାଜିରେ ଲଗାଇ ଚିଲିକାରେ ଏକପ୍ରକାର ପ୍ରତିଯୋଗିତା ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।