Odia News Portal

ବୋମାମାଡ଼ କରି ଟିଏମ୍‌ସିର ନେତାଙ୍କୁ ହତ୍ୟା

ପଶ୍ଚିମବଙ୍ଗର ବୀରଭୂମିରେ ବୋମାମାଡ଼ କରି ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ନେତାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିରେ ଅନ୍ୟ ୨ ଜଣ ବି ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଗୁରୁତରଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଟିଏମ୍‌ସି ନେତାଙ୍କ ପରିଚୟ ନ୍ୟୁଟନ୍‌ ଶେଖ ବୋଲି ଜଣାପଡିଛି। ବୋମାମାଡ଼ରେ ଗୁରୁତର ଆହତ ହୋଇଥିବା ଦୁଇଙ୍କ ମଧ୍ୟରୁ ଜଣେ ତ୍ରୁଣମୂଳ କଂଗ୍ରେସ ନେତା ଲାଲୁ ଶେଖ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ନାମ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିଲା।

ଏହି ବୋମାମାଡ଼ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ଦେଇଛି। ତେବେ ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଥିବା ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ପ୍ରକାଶିତ ରିପ‌ୋର୍ଟ ମୁତ‌ାବକ, ଏହି ବୋମାମାଡ଼ କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିଲା। ପ୍ରାଣ ହରାଇଥିବା ଟିଏମସି ନେତା ନ୍ୟୁଟନ୍ ଶେଖଙ୍କ ସମ୍ପର୍କୀୟମାନେ ପ୍ରତିଶୋଧ ନେବାକୁ ନ୍ୟୁଟନଙ୍କ ଉପରେ ଏହି ବୋମାମାଡ଼ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଟିଏମସି ନେତା ନ୍ୟୁଟନ୍ ଶେଖଙ୍କ ପୁତୁରା ଫିରାଜୁଲ ଇସଲାମ ପୁଲିସକୁ କହିଛନ୍ତି ଯେ, ‘ ତାଙ୍କ ଦାଦାଙ୍କୁ ରାଜନୈତିକ ଶତ୍ରୁତା ଯୋଗୁଁ ହତ୍ୟା କରାଯାଇଛି। ତେଣୁ ଦୋଷୀଙ୍କୁ ଏହି ଘଟଣାରେ କଡ଼ାରୁ କଡ଼ା ଶାସ୍ତି ମିଳିଲେ ହିଁ ଦାଦାଙ୍କ ଆତ୍ମାକୁ ଶାନ୍ତି ମିଳିବ।’