Odia News Portal

ସୀମା ସଂଘର୍ଷ ନିଆଁ ଇସଲାମାବାଦରେ ପହଞ୍ଚିଲା: ବିଭିନ୍ନ ଅଞ୍ଚଳରେ ବିସ୍ଫୋରଣ କଲା ଟିଟିପି, ୪୦ ପାକିସ୍ତାନୀ ସୈନିକ ମୃତ

 ପାକିସ୍ତାନ ଓ ଆଫଗାନିସ୍ତାନସୀମାରେ ସମ୍ପ୍ରତି ଉତ୍ତେଜନା ବୃଦ୍ଧି ପାଇଛି। ଉଭୟ ପକ୍ଷ ମଧ୍ୟରେ ରାତିସାରା ଆକ୍ରମଣଜାରି ରହିଛି। ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ବାଜୌର ଜିଲ୍ଲାରେ ଏକ ଅତର୍କିତ ସାମରିକ ଆକ୍ରମଣ କରିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ୪୦ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ଘଟିଥିବା ଅଞ୍ଚଳ ଗୁଡ଼ିକ ଦୀର୍ଘ ସମୟ ଧରି ବିଦ୍ରୋହ ଓ ଆତଙ୍କବାଦର କେନ୍ଦ୍ରସ୍ଥଳ ଥିବା କୁହାଯାଉଛି।ଗତ କିଛି ମାସ ମଧ୍ୟରେ ପାକିସ୍ତାନରେ ସୁରକ୍ଷା ବାହିନୀଙ୍କ ଉପରେ ହୋଇଥିବା ଅନେକ ବଡ଼ ଆକ୍ରମଣ ପାଇଁ ଟିଟିପି ଦାୟୀ ବୋଲି ଦାବି କରିଛି। ଆଫଗାନ ତାଲିବାନ ମଧ୍ୟ ପାକିସ୍ତାନୀ ସୀମା ପୋଷ୍ଟ ଉପରେ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ସେମାନଙ୍କ ଅନୁଯାୟୀ, ସଦ୍ୟତମ ଆକ୍ରମଣରେ ୪୦ ସୈନିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ପୋଷ୍ଟ କବଜା କରାଯାଇଛି। ଏହା ପୂର୍ବରୁ ଶୁକ୍ରବାର, ତାଲିବାନର ଏକ ଆକ୍ରମଣରେ ୫୫ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା।ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ପାକଟିଆ ପ୍ରଦେଶରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ପାକିସ୍ତାନୀ ସେନା ଆକ୍ରମଣ କରିଥିଲା। ଏହାର ଜବାବରେ ଆଫଗାନ ବାୟୁସେନା ପାକିସ୍ତାନର ରାଜଧାନୀ ଇସଲାମାବାଦ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଏହି ଆକ୍ରମଣ ସାମରିକ ପ୍ରତିଷ୍ଠାନ ତଥା ସମ୍ବେଦନଶୀଳ ଲକ୍ଷ୍ୟସ୍ଥଳକୁ ଲକ୍ଷ୍ୟ କରି କରାଯାଇଥିଲା। ଜାରି ହୋଇଥିବା ଭିଡିଓଗୁଡ଼ିକରେ ଇସଲାମାବାଦର ବିଭିନ୍ନ ଅଞ୍ଚଳରେ ବିସ୍ଫୋରଣ ଏବଂ ନିଆଁ ଲାଗିଥିବାର ଦେଖାଯାଇଥିଲା।ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇନାୟତୁଲ୍ଲା ଖାୱାରାଜମି କହିଛନ୍ତି, ଫୈଜାବାଦ ଅଞ୍ଚଳ ନିକଟରେ ଏକ ସାମରିକ ଶିବିର, ନୌଶେରାରେ ସାମରିକ ମୁଖ୍ୟାଳୟ, ଜାମରୁଦ ଏବଂ ଆବୋଟାବାଦରେ ସାମରିକ ସହର ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରାଯାଇଥିଲା।ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପରିସ୍ଥିତି ଯୁଦ୍ଧ ଆଡ଼କୁ ଗତି କରୁଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। କାବୁଲ, କାନ୍ଦାହାର ଏବଂ ପାକଟିଆ ଭଳି ଆଫଗାନିସ୍ତାନ ସହର ଉପରେ ପାକିସ୍ତାନ ପକ୍ଷରୁ ବିମାନ ଆକ୍ରମଣ କରାଯାଇଥିଲା। ଆଫଗାନିସ୍ତାନ ସୀମାପାର ଆକ୍ରମଣ ଏବଂ ଡ୍ରୋନ୍ ଆକ୍ରମଣ ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ସୀମାବର୍ତ୍ତୀ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି, ଉଭୟ ଦେଶର ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।