ସୀମାନ୍ତରେ ବାଟବଣା ବିକାଶ: ୯ ଖଣ୍ଡ ଗାଁକୁ ଭରସା ପାଦଚଲା ରାସ୍ତା By Swadhikar News Last updated Sep 8, 2025 ଆନ୍ଧ୍ର ସୀମାନ୍ତ ଓଡ଼ିଶା ଗାଁରେ ବାଟ ହୁଡ଼ିଛି ବିକାଶ। ପାହାଡ଼ ଉପରେ ଅବସ୍ଥିତ ଗାଁକୁ ଯାତାୟାତର ମାଧ୍ୟମ ପାଦଚଲା ରାସ୍ତା। ମୋବାଇଲ୍ ନେଟ୍ୱର୍କ ନଥିବାରୁ ମନରେଗାରେ କାମ ପାଉନାହାନ୍ତି ଗ୍ରାମବାସୀ। ଜୀବନଜୀବିକା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ ଥିବା ବେଳେ ଓଡ଼ିଆ ବଦଳରେ କହୁଛନ୍ତି ତେଲୁଗୁ। ସୀମାନ୍ତ ତଥା ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଯୋଜନାର ଅଭାବ ନାହିଁ। ଅଥଚ ପ୍ରଶାସନିକ ଅବହେଳାରୁ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ବିତାଉଛନ୍ତି ପଟାଙ୍ଗି ବ୍ଲକ୍ ତଳଗୋଲୁରୁ ପଞ୍ଚାୟତର ୯ଖଣ୍ଡ ଗାଁ। ବିକାଶ ମୁଖ୍ୟସ୍ରୋତରେ ସାମିଲ୍ ପାଇଁ ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ବହୁବାର ଅନୁରୋଧ କରିଛନ୍ତି ମେଟାପାଡ଼ୁ, ବାନ୍ଦାଗୁଡ଼ି, ପଣକିମେଟୁ, ଦରଙ୍ଗପାଡ଼ୁ, ସୱାରିପାଡ଼ୁ, ବନ୍ଧାଗୁଡ଼ି, ଧରମପାଡ଼ୁ, ମୁଲାପାଡ଼ୁ ଓ ପାନଭାଡ଼ିବାସୀ। ହେଲେ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳିନି ଗ୍ରାମବାସୀଙ୍କୁ। ଆର୍ଡି ରାସ୍ତାରୁ ପାନଭାଡ଼ି ଗ୍ରାମର ଦୂରତା ୬କିମି। ନିୟମିତ ରାସ୍ତା ନଥିବାରୁ ଚାଲି ଚାଲି ଯିବାକୁ ପଡ଼ୁଛି। ବାନ୍ଦାଗୁଡ଼ିକୁ ପ୍ରାୟ ୩ କିମି ଚାଲିବାକୁ ପଡ଼ୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗ କୁରୁଲିରୁ ପାନଭାଡ଼ି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛି। ଦୀର୍ଘ ବର୍ଷ ଧରି ଏହି କାମ ଚାଲିଥିଲେ ମଧ୍ୟ ଅଧପନ୍ତରିଆ ଭାବେ ପଡ଼ି ରହିଛି। ଦୈନିକ ଶହ ଶହ ଗ୍ରାମବାସୀ ଜୀବନ ଜୀବିକାଠୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ସବୁ କିଛି ପାଇଁ ପାଦଚଲା ରାସ୍ତା ଉପରେ ନିର୍ଭର କରୁଛନ୍ତି। ଆନ୍ଧ୍ରର ସାଲୁରୁ ନିକଟବର୍ତ୍ତୀ ଅଞ୍ଚଳରେ ଗାଁ ଗୁଡ଼ିକ ଥିବାରୁ ଚାଲିଚଳନ ଓ ଜୀବନଶୈଳୀ ଆନ୍ଧ୍ର ସହ ମିଶିଗଲାଣି। ଓଡ଼ିଆ ବଦଳରେ ଗ୍ରାମବାସୀ ତେଲୁଗୁରେ କଥାବାର୍ତ୍ତା କରୁଛନ୍ତି। କୌଣସି ଗାଁରେ ମୋବାଇଲ୍ ଟାୱାର୍ ନଥିବାରୁ କିଛି ଦୂରକୁ ଯାଇ ଆନ୍ଧ୍ର ନେଟୱର୍କ ମାଧ୍ୟମରେ କଥା ହେଉଛନ୍ତି ଗ୍ରାମବାସୀ। ଜରୁରିକାଳୀନ ସମୟରେ ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ପାରୁନଥିବାରୁ ରୋଗୀଙ୍କୁ ବାଇକ୍ରେ ବୋହି ସୁଙ୍କି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଛନ୍ତି ଗ୍ରାମବାସୀ। ଏହି ସମସ୍ତ ଗାଁ ସୁଙ୍କିରୁ ପ୍ରାୟ ୨୦ କିମି ଦୂରରେ ରହିଛି। ଗାଁ ଚର୍ତୁପାର୍ଶ୍ବକୁ ପାହାଡ଼ ଘେରି ରହିଥିବାରୁ ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବାରେ ପ୍ରଶାସନ ବିଫଳ ହୋଇଛି। ଗାଁକୁ ସଂଯୋଗ ହୋଇଥିବା ପାଦଚଲା ରାସ୍ତା ଗ୍ରାମବାସୀ ପାହାଡ଼ କାଟି ନିଜେ ନିର୍ମାଣ କରିଛନ୍ତି। ଦୀର୍ଘ ୧୦ ବର୍ଷ ତଳେ ପାଦଚଲା ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ସ୍ଥାୟୀ ରାସ୍ତା ନିର୍ମାଣରେ ସଫଳ ହୋଇନି। ଖରା ଓ ଶୀତରେ ଗ୍ରାମବାସୀ ମାଟି ଏବଂ ପଥୁରିଆ ପାଦ ଚଲା ରାସ୍ତା ଦେଇ ଯାତାୟାତ କରୁଛନ୍ତି। ବର୍ଷା ୩ମାସ ଯାତାୟାତ ସମ୍ଭବ ନଥିବାରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରୁହନ୍ତି। ପିଡିଏସ୍ ଚାଉଳ ସହ ମେଟାପାଡ଼ୁକୁ ପ୍ରାୟ ୪ରୁ ୫ କିମି ଚାଲୁଛନ୍ତି ଗ୍ରାମବାସୀ। swadhikarswadhikar news Share