ରେଳଧାରଣା କଡ଼ରୁ ଛାତ୍ରୀଙ୍କ ଶବ ଜବତ ଘଟଣା ପ୍ରେମିକ ସହ ସାଙ୍ଗ ଗିରଫ By Swadhikar News Last updated Oct 1, 2025 ଗତ ୨୩ ତାରିଖ ରାତିରେ ବାଟମଙ୍ଗଳ ମନ୍ଦିର ପଛପଟ ରେଳଧାରଣା କଡ଼ରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏହି ମାମଲାର ତଦନ୍ତ ସମୟରେ ପୁଲିସକୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଛାତ୍ରୀ ଜଣକ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ତାଙ୍କ ପ୍ରେମିକ ଓ ପ୍ରେମିକର ସାଙ୍ଗ ବାଧ୍ୟ କରିଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ଛାତ୍ରୀଙ୍କ ମୃତ୍ୟୁର ପ୍ରଚ୍ଛଦପଟରେ କିଛି ଅସାମାଜିକ ଯୁବକଙ୍କ ହାତ ଥିବା ତାଙ୍କ ଭାଇ ସନ୍ଦୀପ ରାଉତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜିଆର୍ପି ଥାନା ପୁଲିସ ୮୭/୨୫ ନମ୍ବରରେ ଏକ ମାମଲା ରୁଜୁ କରି ଥାନା ଆଇଆଇସି ସନ୍ତୋଷ କୁମାର ବାହିନୀପତି ତଦନ୍ତ ଦାୟିତ୍ବ ନେଇଥିଲେ। ତଦନ୍ତ ସମୟରେ ଘଟଣାସ୍ଥଳରୁ ମିଳିଥିବା ମୋବାଇଲ ଫୋନ୍ରୁ ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଆଜି ପୁଲିସ ଛାତ୍ରୀଙ୍କ ପ୍ରେମିକ ଓ ତା’ର ସାଙ୍ଗକୁ ଗିରଫ ପରେ କୋର୍ଟଚାଲାଣ କରିଛି। ପ୍ରେମିକ ଜଣକ ଛାତ୍ରୀଙ୍କ ନଗ୍ନ ଫଟୋ ଉଠାଇ ତା’ର ସାଙ୍ଗକୁ ଦେଇଥିବା ବେଳେ ସେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲା। ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ଶ୍ରୀ ବାହିନୀପତି ଆଜି ପ୍ରେମିକ ତଥା ବାଲିଉପରର ମୋହିତ କୁମାର ପାଣି (୨୫)କୁ ଓ ତା’ର ସାଙ୍ଗ ଚନ୍ଦନପୁରର ସରୋଜ ଜେନା (୨୪)କୁ ଗିରଫ ପରେ କୋର୍ଟଚାଲାଣ କରିଛି। ଶ୍ରୀ ବାହିନୀପତି କହିଛନ୍ତି ଯେ ଆଇଟିଆଇ କରି ବେକାର ଥିବା ମୋହିତ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାଙ୍କର ନଗ୍ନ ଫଟୋ ଉଠାଇଥିଲା। ଏହି ଫଟୋକୁ ମୋହିତ ତା’ର ସାଙ୍ଗ ଶ୍ରୀମନ୍ଦିରରେ ଯାତ୍ରୀଗୁମାସ୍ତା କାମ କରୁଥିବା ସରୋଜକୁ ଦେଇଥିଲା। ସରୋଜ ଏହାକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲା। ଏହା ଜାଣିବା ପରେ ଛାତ୍ରୀ ଜଣକ ଲଜ୍ଜାରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ଛାତ୍ରୀଙ୍କ ଭାଇ ଏନେଇ ଲିଖିତ ଅଭିଯୋଗ କରିବାରୁ ପୁଲିସ ଜିଆର୍ପି ଥାନାରେ ୮୭/୨୫ ନମ୍ବରରେ ଏକ ମାମଲା ରୁଜୁ କରି ଆଜି ମୋହିତ ଓ ସରୋଜକୁ ଗିରଫ ପରେ କୋର୍ଟଚାଲାଣ କରିଛି। ସୂଚନାଯୋଗ୍ୟ ଯେ ଗତ ୨୩ ତାରିଖ ରାତିରେ ଜିଆର୍ପି ଥାନା ପୁଲିସ ବାଟମଙ୍ଗଳା ମନ୍ଦିର ପଛପଟ ରେଳଧାରଣାରୁ ସରକାରୀ ମହିଳା ମହାବିଦ୍ୟାଳୟର ଜଣେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀଙ୍କ ଶବକୁ ଜବତ କରିଥିଲା। ପୁଲିସ ୩୫/୨୫ ନମ୍ବରରେ ଏକ ଅପମତ୍ୟୁ ମାମଲା ରୁଜୁ କରିଥିଲା। ଶବକୁ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାର ଜିମାରେ ଦେଇଥିଲା। କିନ୍ତୁ ବିନା କାରଣରେ ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କରିବ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେଥିପାଇଁ ଛାତ୍ରୀଙ୍କ ଗ୍ରାମର ଲୋକ ଏନେଇ ଅସନ୍ତୋଷ ପ୍ରକାଶ କରିବାରୁ ଏସ୍ପି ପ୍ରତୀକ ସିଂ ଜିଆର୍ପି ଥାନାକୁ ସହାୟତା କରିବା ପାଇଁ ସଦର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ପୁଲିସ ରେଳଧାରଣାରୁ ଜବତ କରିଥିବା ଛାତ୍ରୀଙ୍କ ମୋବାଇଲ ଫୋନ୍କୁ ଫରେନ୍ସିକ୍ ଲାବ୍କୁ ପଠାଇବା ପରେ ଅନେକ ତଥ୍ୟ ପୁଲିସର ହସ୍ତଗତ ହୋଇଥିଲା। ଫଳରେ ପ୍ରକୃତ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିଥିଲେ। swadhikarswadhikar news Share