Odia News Portal

ବ୍ରଜରାଜନଗର ଉପ ନିର୍ବାଚନ: ଶେଷ ଦିନରେ ସବୁ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆଜି ସବୁ ଦଳର ପ୍ରାର୍ଥୀ ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ଶୋଭାଯାତ୍ରାରେ ଝାରସୁଗୁଡା ସହର ଦୁଲୁକି ଉଠିଛି। ଦଳର ବହୁ ତୁଙ୍ଗ ନେତା ଓ ମନ୍ତ୍ରୀ ସାମିଲ ହୋଇଛନ୍ତି।

ଆଜି ଥିଲା ନାମାଙ୍କନ ଦାଖଲର ଶେଷ ଦିନ। ପୂର୍ବାହ୍ନରେ ବାହାରିଥିଲା ବିଜେଡିର ଶୋଭାଯାତ୍ରା। ଏହା ପୂର୍ବରୁ ପ୍ରାର୍ଥୀ ଅଳକାଙ୍କ ଘରେ ଜମିଥିଲା ହେଭିୱେଟ ନେତାଙ୍କ ଭିଡ। ଏଥିରେ ମନ୍ତ୍ରୀ ଟୁକୁନି ସାହୁ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଠୁଳ ହୋଇଥିଲେ। ସେହିପରି ବେହେରାମାଲ ଛକରେ ଦଳର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ଯ, ପର୍ଯ୍ୟବେକ୍ଷକ ସୁବାସ ସିଂ, ବିଧାୟକ ସାରଦା ନାୟକ, ବିଧାୟକ ରାଜେନ୍ଦ୍ର ଢୋଲକିଆ ସମେତ ବହୁ ନେତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ସେଠାରୁ ବିରାଟ ପଟୁଆରରେ ଉପଜିଲ୍ଲାପାଳଙ୍କ ଅଫିସକୁ ଯାଇ ଅଳକା ନାମାଙ୍କନ ଦାଖଲ କରିଥିଲେ। ଏଥିରେ ହଜାର ହଜାର କର୍ମୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ।

ସେହିପରି ସାଂସଦ ସୁରେଶ ପୂଜାରୀ ଓ ବିଜେପି ରାଜ୍ଯ ସଭାପତି ସମୀର ମହାନ୍ତିଙ୍କ ସହ ଦଳୀୟ ପ୍ରାର୍ଥୀ ରାଧାରାଣୀ ପଣ୍ଡା ଏକ ବିରାଟ ପଟୁଆରରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି। ଏହାଛଡା କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଏବଂ ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ ମଧ୍ଯ ଦଳୀୟ ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କରିଛନ୍ତି।