ପ୍ରଦୂଷଣ ବଢ଼ାଉଛି ଇଟାଭାଟି: ସହର ଜଗିଛନ୍ତି, ଉପକଣ୍ଠ ମେଲା By Swadhikar News Last updated Jan 31, 2026 ଭୁବନେଶ୍ବରରେ ବାୟୁମଣ୍ଡଳ ପ୍ରଦୂଷଣ ମାତ୍ରା ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି। ଏକ୍ୟୁଆଇ(ଏୟାର କ୍ବାଲିଟି ଇଣ୍ଡେକ୍ସ) ଅଧିକାଂଶ ସମୟ ୩ଶହରୁ ଖସୁନି। ସଂଧ୍ୟାରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ପ୍ରଦୂଷଣମାତ୍ରା ଏତେ ବଢ଼ିଯାଇଛି ଯେ ରାତିରେ ଘନ କୁହୁଡ଼ିରେ ଯିବା କଷ୍ଟକର ହୋଇପଡ଼ୁଛି। ଏକ୍ୟୁଆଇ ଏତେ ଅଧିକ ରହିବା ସ୍ବାସ୍ଥ୍ୟପକ୍ଷେ ହାନିକାରକ। ଦିଲ୍ଲୀ ଭଳି ସ୍ଥିତି ଉପୁଜିବା ଆଗରୁ ପ୍ରଦୂଷଣର ଏହି ଭୟାବହତାକୁ ରୋକିବାକୁ ଭୁବନେଶ୍ବର ମହାନଗର ନିଗମ ଅଣ୍ଟା ଭିଡ଼ିଛି ସତ, କିନ୍ତୁ ସେତେଟା ସଫଳ ହୋଇପାରିନି। କାରଣ ସହରକୁ ଜଗିଥିବା ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଉପକଣ୍ଠ ଅଞ୍ଚଳକୁ ସଂପୂର୍ଣ୍ଣ ଅଣଦେଖା କରିଦେଇଛି। ଫଳସ୍ବରୂପ ଉପକଣ୍ଠ ଅଞ୍ଚଳରେ ମାଳମାଳ ବେଆଇନ୍ ଇଟାଭାଟି ଖୋଲିଛି ଓ ନିତି ଏଠାରେ ଇଟା ପୋଡ଼ାଯାଉଛି। ବାୟୁମଣ୍ଡଳର ଉଷ୍ମତା ଓ ପ୍ରଦୂଷଣ ବଢ଼ୁଥିବାରୁ ମାଟିଇଟା ତିଆରି ଓ ପୋଡ଼ିବାରେ ସରକାର କଟକଣା ଲଗାଇଛନ୍ତି। ବିଭିନ୍ନ ଶିଳ୍ପସଂସ୍ଥାରୁ ବାହାରୁଥିବା ପାଉଁଶରୁ ପ୍ରସ୍ତୁତ ଇଟା ନିର୍ମାଣ କାର୍ଯ୍ୟରେ ବ୍ୟବହାରକୁ ଗୁରୁତ୍ବ ଦେଇଛନ୍ତି। କିନ୍ତୁ ଏହି ନିୟମକୁ କେହି ମାନିବାକୁ ନାରାଜ। ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀକୁଳିଆ ଅଞ୍ଚଳରେ ବେଧଡ଼କ ଇଟାଭାଟି ପୋଡ଼ାଯାଉଛି। ବରିମୁଣ୍ଡ-ଗନ୍ଦରପୁର ରାସ୍ତା, କଲ୍ୟାଣପୁର ଆଦି ଅଞ୍ଚଳରେ ଏକାଧିକ ଇଟାଭାଟି ଚାଲିଛି। ଯେଉଁଥିରୁ କଳାଧୂଆଁ ବାୟୁମଣ୍ଡଳକୁ ଛଡ଼ାଯାଉଛି। ଏହା ଉଭୟ ଦୈତ୍ୟନଗରୀ ଭୁବନେଶ୍ବର ଓ କଟକକୁ ଗୁରୁତର ପ୍ରଭାବିତ କରୁଛି। swadhikarswadhikar news Share