Odia News Portal

ବ୍ରାଉନସୁଗର କିଣିବାକୁ ଯାଇଥିଲେ ୩ ଯୁବକ, ନିଶାଡ଼ିଙ୍କୁ ବାନ୍ଧିଲେ ମହିଳା

୩ ବ୍ରାଉନସୁଗର ଗ୍ରାହକଙ୍କୁ ବାନ୍ଧିଲେ ମହିଳା। ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଗାଁରେ ଏଭଳି ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ୩ ଯୁବକଙ୍କୁ ନିଜ ହେପାଜତକୁ ନେଇଛି।

ସୂଚନାନୁଯାୟୀ, ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଗାଁକୁ ୩ ଜଣ ଯୁବକ ବାରମ୍ବାର ଆସୁଥିଲେ । ସେମାନଙ୍କୁ ଦେଖି ଗାଁର କିଛି ମହିଳାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। କେଉଁ କାରଣ ପାଇଁ ସେମାନେ ଗାଁକୁ ଆସୁଛନ୍ତି ବୋଲି ମହିଳାମାନେ ପ୍ରଶ୍ନ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ନିଶାଡ଼ିମାନେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଫଳରେ ଗାଁ ଲୋକମାନେ ଏକାଠି ହୋଇ ସେମାନଙ୍କୁ କାବୁ କରିନେଇଥିଲେ। ପଚରାଉଚୁରା କରିବା ପରେ ସେମାନେ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ବ୍ରାଉନସୁଗର କିଣିବାକୁ ଆସିଥିବା କହିଥିଲେ। ପରେ ଗାଁ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଯୁବକ ଓ ବାଇକକୁ ଜବତ କରିଛି। ମହିଳାମାନେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି ଗତ ୩ ଦିନ ତଳେ ବାଲିପାଟଣା ପୁଲିସ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଧଳା ଜହର ଜବତ କରିଥିଲା ପୋଲିସ।