ଆଜିଠୁ ଦେଶବ୍ୟାପୀ ବିଏସ୍ଏନ୍ଏଲ୍ ୪ଜି: ଝାରସୁଗୁଡ଼ାରୁ ଉଦ୍ଘାଟନ କରିବେ ମୋଦୀ By Swadhikar News Last updated Sep 27, 2025 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାରସୁଗୁଡ଼ାରୁ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)ର ୪ଜି ସେବା ଆରମ୍ଭ କରିବେ। ଫଳରେ ଆସନ୍ତାକାଲିଠାରୁ ସାରା ଦେଶରେ ବିଏସ୍ଏନ୍ଏଲ୍ ୪ଜି ସେବା ଉପଲବ୍ଧ ହେବ। ସି-ଡଟ୍ କୋର୍, ତେଜସ୍ ନେଟ୍ୱର୍କସ୍ ଓ ଟିସିଏସ୍ ଭଳି ସ୍ବଦେଶୀ କମ୍ପାନି ବିଏସ୍ଏନ୍ଏଲ୍ ପାଇଁ ୧ ଲକ୍ଷ ୪ଜି ସାଇଟ୍କୁ ବିକାଶ କରିଛନ୍ତି। ବିଏସ୍ଏନ୍ଏଲ୍ର ୪ଜି ପ୍ରଯୁକ୍ତି ହେଉଛି ‘ଆତ୍ମନିର୍ଭର’ ଏବଂ ଏହାର ସଫ୍ଟୱେର୍କୁ ସହଜରେ ୫ଜିକୁ ଅପ୍ଗ୍ରେଡ୍ କରାଯାଇପାରିବ। ଏହି ସେବା କମ୍ପାନିର ପୁରୁଣା ଗ୍ରାହକଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରିବା ସହ ଡିଜିଟାଲ ଦୁନିଆରେ ପହଞ୍ଚି ନଥିବା ୫ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ମଧ୍ୟ ସେହି ସେବା ପହଞ୍ଚାଇବ। ଡିଜିଟାଲ୍ ଭାରତ ନିଧି ଅଧୀନରେ ବିଏସ୍ଏନ୍ଏଲ୍ ଦ୍ବାରା ୧୪,୧୮୦ଟି ୪ଜି ସାଇଟ୍ କାର୍ଯ୍ୟକ୍ଷମ କରାଯାାଇଛି। ସେହିପରି ୪୭୨୩ଟି ସାଇଟ୍ ଜରିଆରେ ୨୬,୭୦୭ ଦୁର୍ଗମ ଅଞ୍ଚଳରେ ଥିବା ଗାଁର ୨ ନିୟୁତ ପରିବାର ପାଖରେ ମୋବାଇଲ୍ ସେବା ପହଞ୍ଚିବ। ଆଦୌଁ ମୋବାଇଲ୍ ସେବା ପହଞ୍ଚିନଥିବା ୨୪୭୨ଟି ଗାଁ ପାଇଁ ବିଏସ୍ଏନ୍ଏଲ୍ ୧୬୬୫ଟି ଟାୱାର ନିର୍ମାଣ କରିଛି। ସ୍ୱଦେଶୀ ୪ଜି ନେଟୱାର୍କର ଶୁଭାରମ୍ଭ ସହିତ ଭାରତ ଏକ ମାଇଲଖୁଣ୍ଟ ହାସଲ କରିଛି ଯାହା ଏହାକୁ ଘରୋଇ ୪ଜି ଟେଲିକମ୍ ଷ୍ଟାକ୍ ଥିବା କେବଳ ୫ଟି ରାଷ୍ଟ୍ର ମଧ୍ୟରେ ସ୍ଥାନିତ କରିଛି। ସ୍ୱଦେଶୀ ୪ଜି ନେଟୱାର୍କର ପ୍ରଚଳନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଜିଟାଲ୍ ଇଣ୍ଡିଆ ଦୃଷ୍ଟିକୋଣ ସହିତ ଏକ ପରିବର୍ତ୍ତନକାରୀ ପଦକ୍ଷେପ ଯାହା ଡିଜିଟାଲ୍ ବିଭାଜନକୁ ଦୂର କରିବ ଏବଂ ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବ। ଏହା ବିଏସ୍ଏନ୍ଏଲ୍ର ୫ଜି ଅପ୍ଗ୍ରେଡ୍ ଏବଂ ଇଣ୍ଟିଗ୍ରେସନ ପାଇଁ ପଥ ପ୍ରଶସ୍ତ କରିବ। BSNL4Gswadhikarswadhikar news Share