ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଯାତ୍ରା ଟିକଟ ମିଳି ନଥିଲେ ବି କ୍ଷତିପୂରଣ ଦେବ ରେଳବାଇ By Swadhikar News Last updated Oct 11, 2025 ଯାତ୍ରା ଟିକଟ ଉଦ୍ଧାର ହୋଇ ନଥିଲେ ବି ରେଳବାଇ କ୍ଷତିପୂରଣ ଦେବ। ଚଳନ୍ତା ଟ୍ରେନ୍ରୁ ପଡ଼ି ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ଦରଖାସ୍ତ ଦାଖଲ ହେବା ତାରିଖଠାରୁ କ୍ଷତିପୂରଣ ରାଶି ଦେବା ସମୟ ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ରେଳବାଇ ୬ ପ୍ରତିଶତ ସୁଧ ପ୍ରଦାନ କରିବ। ତିନି ମାସ ଭିତରେ ଏହି ରାଶି ପ୍ରଦାନ କରିବାକୁ ଜଷ୍ଟିସ୍ ଡ.ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପଙ୍କଜ କୁମାର ରାଉଳ ଓ ଅନ୍ୟଜଣଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।୨୦୧୬, ଜୁନ ୨୧ରେ ଭୁବନେଶ୍ବର-ଭଦ୍ରକ ଡିଏମୟୁ ଟ୍ରେନ୍ରେ ବୈଧ ଟିକଟ୍ ସହିତ କାମିନୀ ରାଉଳ ଭୁବନେଶ୍ବରରୁ ନୂଆଗଡ଼ ରେଳ ଷ୍ଟେସନ ଯାଉଥିଲେ। ପ୍ରବଳ ଭିଡ଼ ତଥା ଯାତ୍ରୀଙ୍କ ମଧ୍ୟରେ ଠେଲାପେଲା ଭିତରେ କାମିନୀ ମଧୁପୁରରୁ ଜେନାପୁର ମଧ୍ୟରେ ଚଳନ୍ତା ଟ୍ରେନ୍ରୁ ଖସିପଡ଼ି ପ୍ରାଣ ହରାଇଥିଲେ। ପୁଲିସ ଏକ ମାମଲା ରୁଜୁ କରିବା ସହିତ କାମିନୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। କାମିନୀଙ୍କ ପରିବାର ସଦସ୍ୟଙ୍କ ତରଫରୁ ୨୦୧୮ରେ କ୍ଷତିପୂରଣ ଦାବି କରି ଟ୍ରିବ୍ୟୁନାଲରେ ମାମଲା ରୁଜୁ କରାଯାଇଥିଲା। ଟ୍ରିବ୍ୟୁନାଲ ୨୦୨୧, ନଭେମ୍ବର ୧ରେ ଆବେଦନକୁ ଖାରଜ କରିଥିଲେ। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ପୀଡ଼ିତ ପରିବାର ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଯାତ୍ରୀଙ୍କ ଶବ ଉଦ୍ଧାର ବେଳେ ଯାତ୍ରା ସଂପର୍କିତ ଟିକଟ ଜବତ କରାଯାଇ ନଥିବା ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତିରେ ଯାତ୍ରୀ ବାସ୍ତବରେ ଟ୍ରେନରେ ଯାତ୍ରା କରୁଥିବା ନେଇ ପ୍ରଶ୍ନ ଉଠିଥିଲା। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ଏବଂ ତଦନ୍ତ ରିପୋର୍ଟରୁ ଘଟଣାଦିନ ମୃତକ ଟ୍ରେନରେ ବୈଧ ଯାତ୍ରୀ ଭାବେ ଯାଉଥିବା ସ୍ପଷ୍ଟ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ସେହିଭଳି ବିଶାଖା ଏକ୍ସପ୍ରେସ, ଜେଜେକେଆର-କେଜିପି ପାସେଞ୍ଜର ଟ୍ରେନ୍ ଏବଂ ପଞ୍ଜାବ ମେଲ୍ରେ ଯାତ୍ରା କରୁଥିବା ବେଳେ ଚଳନ୍ତା ଟ୍ରେନରୁ ପଡ଼ି ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ଅନ୍ୟ ତିନୋଟି ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି। ପଙ୍କଜ କୁମାର ରାଉଳଙ୍କ ପକ୍ଷରୁ ଆଇନଜୀବୀ ଧନଞ୍ଜୟ ମୁଣ୍ଡ ମାମଲା ପରିଚାଳନା କରୁଥିଲେ। odisha cabinetswadhikarswadhikar news Share