Odia News Portal

୫-ଟି ସ୍କୁଲ ରୂପାନ୍ତର ଦୁର୍ନୀତିକୁ ଧରିଛନ୍ତି ସିଏଜି: କୋଟି କୋଟି ମିଳିମିଶି ଖାଇଛନ୍ତି, ୫୫% କାର୍ଯ୍ୟର ବିନିଯୋଗ ପ୍ରମାଣପତ୍ର ମିଳିନି

ବିଜେଡି ସରକାର ଅମଳରେ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସବୁଠୁ ଚର୍ଚ୍ଚାରେ ଥିଲା। ଏହି ଯୋଜନାକୁ ନେଇ ବ୍ୟାପକ ଦୁର୍ନୀତି ହୋଇଥିବା ସାଧାରଣରେ ଅଭିଯୋଗ ହୋଇଥିଲା। ବିଦ୍ୟାଳୟ ରୂପାନ୍ତର ନାମରେ କୋଟି କୋଟି ଟଙ୍କା ଚଳୁ କରି ଦିଆଯାଇଛି। ୫-ଟି ଯୋଜନା୧ ଅଧୀନରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟରେ ହୋଇଥିବା ମାଳମାଳ ଦୁର୍ନୀତିକୁ ସିଏଜି ଧରିଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ୬ ଜିଲ୍ଲାର କେତୋଟି ବ୍ଲକ୍‌ରେ ହୋଇଥିବା ଅଡିଟ୍‌ରୁ ଯେଉଁ ତଥ୍ୟ ଆଗାମୀ ଦିନରେ ସିଏଜି ପ୍ରକାଶ କରିବେ ତାହା ଅନେକଙ୍କୁ ଚକିତ କରିବ। ୨୦୨୦-୨୧ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟର ୮୯୪୧ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୮୬୮୧ଟିରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ହୋଇଥିଲା। ମିଳିଥିବା ତଥ୍ୟ ଅନୁସାରେ, ୨୦୨୦-୨୧ରୁ ୨୦୨୩-୨୪ ଯାଏଁ ୪ ବର୍ଷ ପାଇଁ ହୋଇଥିବା ଏହି ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ବାବଦରେ ରାଜ୍ୟରେ ୩୮୩୦.୯୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମୁଖ୍ୟତଃ ୩ଟି ସୂତ୍ରରୁ ଏଥିପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି। ସେଗୁଡ଼ିକ ହେଲା ସିଏସ୍‌ଆର୍‌ ପାଣ୍ଠି, ଓମ୍‌ବାଡ୍‌ସି ପାଣ୍ଠି ଏବଂ ସରକାରଙ୍କ ମ୍ୟାଚିଂ ଗ୍ରାଣ୍ଟ୍‌। ସିଏସ୍‌ଆର୍‌ ପାଣ୍ଠିରୁ ୯୪୨.୫୫ କୋଟି ଟଙ୍କା, ଓମ୍‌ବାଡସି ପାଣ୍ଠିରୁ ୭୪୨.୭୧ କୋଟି ଟଙ୍କା ଏବଂ ସରକାରଙ୍କ ମ୍ୟାଚିଂ ଗ୍ରାଣ୍ଟ ବାବଦରେ ୨୧୪୫.୬୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୬ଟି ଜିଲ୍ଲାକୁ ନମୁନା ଭାବେ ନିଆଯାଇ ଅଡିଟ୍ ହୋଇଛି। ସେଗୁଡ଼ିକ ହେଲା ଗଞ୍ଜାମ, କେନ୍ଦୁଝର, କଟକ, ସୁନ୍ଦରଗଡ଼, ବାଲେଶ୍ବର ଏବଂ ଯାଜପୁର। ଯାବତୀୟ କେଳେଙ୍କାରୀକୁ ସିଏଜି ତାଙ୍କ ଚିଠା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁସାରେ, ଇତିମଧ୍ୟରେ ଓଡ଼ିଶାର ପ୍ରଧାନ ମହାଲେଖାକାର (ଏଜି)ଙ୍କ ପକ୍ଷରୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗଠାରୁ ଏସବୁ ଉପରେ ମତାମତ ମଗାଯାଇଛି। ମିଳିଥିବା ତଥ୍ୟ ଅନୁସାରେ, ଓଡ଼ିଶାରେ ବିଦ୍ୟାଳୟଗୁଡ଼ିକର ଗୌରବ ବୃଦ୍ଧି ପାଇଁ ଓଡ଼ିଶା ସରକାର ୨୦୨୧ ମସିହାରେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ୨୦୧୮ ମସିହା ମେ ମାସରେ ୧୯୬୦ ମସିହାର ସୋସାଇଟି ପଞ୍ଜୀକରଣ ଆଇନ ଅଧୀନରେ ଗଠନ ହୋଇଥିବା ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ (ଏମ୍‌ଏସ୍‌ଏପିଏସ୍‌), ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା) ଏବଂ ଜିଲ୍ଲାପାଳଙ୍କ ଜରିଆରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଯୋଜନାର ଲକ୍ଷ୍ୟ ଥିଲା ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିରେ ଉନ୍ନତି ଆଣିବା, ସ୍ମାର୍ଟ ଶ୍ରେଣୀ ଗୃହ ଯୋଗାଇ ଦେବା, ଉତ୍ତମ ଇ-ପାଠାଗାର ନିର୍ମାଣ, ଅତ୍ୟାଧୁନିକ ଲାବରେଟୋରି ତଥା ବିଜ୍ଞାନ କେନ୍ଦ୍ର ସ୍ଥାପନ, ନୂଆ କ୍ରୀଡ଼ା ଉପକରଣ କ୍ରୟ ସମେତ ଅନ୍ୟାନ୍ୟ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବା। ସ୍ମାର୍ଟ ଶ୍ରେଣୀଗୃହଗୁଡ଼ିକରେ ଲାପ୍‌ଟପ୍‌, ପ୍ରୋଜେକ୍ଟର, ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍‌ ସଂଯୋଗ ସହିତ ସାଉଣ୍ଡ୍‌ ବ୍ୟବସ୍ଥା ରହିବା ପାଇଁ ନିଷ୍ପତ୍ତି ହୋଇଥିଲା। ରାଜ୍ୟସ୍ତରରେ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ଗଠନ କରାଯାଇଥିଲା। ରାଜ୍ୟ ସ୍ତରରେ ଏହି ସଂସ୍ଥା ପ୍ରକଳ୍ପର ମଞ୍ଜୁରି ଓ ସମୀକ୍ଷା କରୁଥିଲା। ସିଏସ୍‌ଆର୍‌ ପାଣ୍ଠିରୁ ଆସୁଥିବା ଅର୍ଥ ଏବଂ ମ୍ୟାଚିଂ ଗ୍ରାଣ୍ଟ୍‌ ଆକାରରେ ଆସୁଥିବା ଅର୍ଥକୁ ଏହା ପରିଚାଳନା କରୁଥିଲା। ସେହିଭଳି ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓଏମ୍‌ବିଏଡିସି) ମଧ୍ୟ ଏଥି ପାଇଁ ପାଣ୍ଠି ଯୋଗାଇ ଦେଇଥିଲା। ଉକ୍ତ ପାଣ୍ଠିରେ ହେଉଥିବା ପ୍ରକଳ୍ପକୁ ଓଏମ୍‌ବିଏଡିସି କାର୍ଯ୍ୟକାରୀ କରିବା ସହ ପରିଚାଳନା କରୁଥିଲା। ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଜିଲ୍ଲାସ୍ତରୀୟ କମିଟି ଗଠନ ହୋଇଥିଲା। ଉକ୍ତ କମିଟି କାର୍ଯ୍ୟ କିଏ କରିବ ଏବଂ ପାଣ୍ଠି କିଭଳି ଦିଆଯିବ ତାହା ନିର୍ଦ୍ଧାରଣ କରୁଥିଲା।