Odia News Portal

ଜୁଲାଇ ୩୧ ସୁଦ୍ଧା ବାହାରିବ ଯୁକ୍ତ ୨ ସିବିଏସଇ ଫଳାଫଳ

ନୂଆଦିଲ୍ଲୀ: ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିଥିଲେ । ମୂଲ୍ୟାୟନକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ଏଥିପାଇଁ ସିବିଏସଇ ଏକ ୧୩ ଜଣିଆ କମିଟି ଗଠନ କରିଥିଲା । କମିଟିର ସୁପାରିଶ ଆଧାରରେ ମୂଲ୍ୟାୟନ ମାନଦଣ୍ଡ ନିର୍ଦ୍ଧାରଣ ହୋଇଛି । ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ସିବିଏସଇ କର୍ତ୍ତୃପକ୍ଷ ।

ରିପୋର୍ଟରେ କୁହାଯାଇଛି କି ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷା ଫଳ ଆଧାରରେ ଦ୍ୱାଦଶ ଶ୍ରେଣୀ ଫାଇନାଲ ପରୀକ୍ଷାଫଳ ପ୍ରକାଶ କରାଯିବ । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଟନୀ ଜେନରାଲ କହିଛନ୍ତି କି ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଜୁଲାଇ ୩୧ ରେ ପ୍ରକାଶ କରାଯିବ ।

ସିବିଏସଇ ତରଫରୁ କୁହାଯାଇଛି କି, ୧୦ମ ଶ୍ରେଣୀର ୫ ଟି ବିଷୟରୁ ୩ ଟି ବିଷୟରେ ସବୁଠାରୁ ଭଲମାର୍କକୁ ଦ୍ୱାଦଶ ଶ୍ରେଣୀ ଫାଇନାଲ ମାର୍କର ଆଧାର କରାଯିବ । ଏହାସହ ଏକଦଶ ଶ୍ରେଣୀର ୫ ଟି ବିଷୟରୁ ହାରାହାରି ମାର୍କ ନିଆଯିବ । ଏହାସହ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷା ଓ ପ୍ରାକ୍ଟିକାଲ ନମ୍ବର ନିଆଯିବ । ଦଶମ ପରୀକ୍ଷା ମାର୍କରୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀ ମାର୍କରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ପ୍ରି ବୋର୍ଡ ପରୀକ୍ଷା ମାର୍କରୁ ୪୦ ପ୍ରତିଶତ ଆଧାରରେ ମାର୍କସିଟ୍ ପ୍ରସ୍ତୁତ କରାଯିବ ।