ଚନ୍ଦ୍ରଯାନ-୨ ପରେ ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଉଦ୍ୟମ ଆରମ୍ଭ କରିଛି। ଚନ୍ଦ୍ରପୃଷ୍ଠକୁ ମହାକାଶ ଯାନ ପ୍ରେରଣ କରିବା, ସେଠାରେ ସଫଳତାର ସହ ଅବତରଣ କରିବା ଏବଂ ତଥ୍ୟ ସଂଗ୍ରହ ପାଇଁ ଚନ୍ଦ୍ରପୃଷ୍ଠରେ ବୁଲାବୁଲି କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଆସନ୍ତା ଜୁନ ମାସରେ ଇସ୍ରୋ ଚନ୍ଦ୍ରଯାନ-୩ ଉତ୍କ୍ଷେପଣ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏଥିପାଇଁ ଆବଶ୍ୟକ ଗୁରୁତ୍ବପୂର୍ଣ୍ଣ ରକେଟ ଇଂଜିନର ସଫଳ ପରୀକ୍ଷଣ କରିଛି।
ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ସିଇ-୨୦ କ୍ରାୟୋଜେନିକ୍ ଇଂଜିନର ସଫଳ ପରୀକ୍ଷା କରାଯାଇଛି। ଏହା ଲଞ୍ଚ ଭେହିକ୍ଲର କ୍ରାୟୋଜେନିକ୍ ଅପର ଷ୍ଟେଜ୍କୁ ଶକ୍ତି ଯୋଗାଇବ। ଚନ୍ଦ୍ରଯାନ-୨ ସଫଳତାର ସହ ଉତ୍କ୍ଷେପିତ ହୋଇଥିଲା ଏବଂ ୨୦୧୯ରେ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ ହୋଇଥିଲା। କିନ୍ତୁ ଚନ୍ଦ୍ରପୃଷ୍ଠରେ ଅବତରଣ କଲାବେଳେ ସେପ୍ଟେମ୍ବର ୬, ୨୦୧୯ରେ କିଛି ତ୍ରୁଟି ଯୋଗୁ ଏହା କ୍ରାସ୍-ଲ୍ୟାଣ୍ଡିଂ କରିଥିଲା। ଇସ୍ରୋର ବେଙ୍ଗାଲୁରୁ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ତାମିଲନାଡ଼ୁର ମହେନ୍ଦ୍ରଗିରିରେ ଥିବା ଇସ୍ରୋର ପ୍ରପଲ୍ସନ କମ୍ପ୍ଲେକ୍ସର ହାଇ ଅଲ୍ଟିଚ୍ୟୁଡ୍ ଟେଷ୍ଟ ଫାସିଲିଟିରେ ଫେବ୍ରୁଆରି ୨୪ରେ ଯୋଜନାବଦ୍ଧ ୨୫ ସେକେଣ୍ଡ ପାଇଁ ଉକ୍ତ ପରୀକ୍ଷଣ କରାଯାଇଥିଲା। ପରୀକ୍ଷା ସମୟରେ ସମସ୍ତ ପ୍ରପଲ୍ସନ ପାରାମିଟର ଠିକ୍ ଓ ସନ୍ତୋଷଜନକ ଥିଲା ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।