Odia News Portal

କୋରାପୁଟରେ ୬୫୦ ଶଯ୍ୟା ଚିକିତ୍ସାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ‘ବିକାଶ ଧାରାରେ ସାମିଲ’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦ୍‌ଘାଟନ କରିଛନ୍ତି। ୬ ଲେନ୍‌ ବିଶିଷ୍ଟ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଇକୋନୋମିକ୍‌ କରିଡର୍‌ ଶୀଘ୍ର ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି। କୋରାପୁଟ ବଡ଼ଡାକ୍ତରଖାନାରେ ଖାଲି ପଡ଼ିଥିବା ସମସ୍ତ ପଦବି ପୂରଣ ହେବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଥିଲେ, ସ୍ୱାସ୍ଥ୍ୟସେବା ପାଇଁ କୋରାପୁଟବାସୀଙ୍କୁ ଆଉ ଦୂରକୁ ଯିବାକୁ ପଡ଼ିବ ନାହିଁ। ରାଜ୍ୟ ସରକାର ଏଥିପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି।ଯାହାଫଳରେ କୋରାପୁଟ ସମେତ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ାଜିଲ୍ଲା ସହ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଲୋକ ଉପକୃତ ହେବେ। ନୂଆ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିବ। ଆମ ସରକାର ଆସିବା ପରେ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁଣାତ୍ମକମାନ ବୃଦ୍ଧି କରିବା ଉପରେ ପ୍ରାଥମିକତା ଦେଉଛନ୍ତି। ରାଜ୍ୟରେ ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ ରହିଛି। ଖୁବ୍‍ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ହେବ। ସେହିପରି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ରୋଗୀଙ୍କ ପାଇଁ ବହୁବିଧ ଚିକିତ୍ସା ସୁବିଧା କରାଯାଉଛି। ସିଟି ସ୍କାନ୍, ଡାଏଲିସିସ୍, ମାମୋଗ୍ରାଫି ପରି ଅତ୍ୟାଧୁନିକ ରୋଗ ନିରୂପଣ ପରୀକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି। ଗୁରୁତର ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଅକ୍ସିଜେନ୍ ପ୍ଲାଣ୍ଟ ବସାଯାଉଛି। ଏହି ହସ୍‍ପିଟାଲ ସଂଲଗ୍ନ ୨ ଏକର ଜମିରେ କ୍ୟାନ୍‌ସର ଚିକିତ୍ସା ହସ୍‍ପିଟାଲ ମଧ୍ୟ ନିର୍ମାଣ ଚାଲିଛି। ଏଥିପାଇଁ ସରକାର ପ୍ରାୟ ୪୧ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି।

ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଲାଗୁ ହୋଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟ କରୁଛି। ତେଣୁ ରାଜ୍ୟର ୩କୋଟି ୪୬ଲକ୍ଷ ଅର୍ଥାତ୍‍ ୮୦ ପ୍ରତିଶତ ଲୋକ ଉପକୃତ ହେଉଛନ୍ତି। ସେହିଭଳି ଧନୀ, ଗରିବ ନିର୍ବିଶେଷରେ ୭୦ବର୍ଷରୁ ଊର୍ଦ୍ଧ୍ୱ ୮୬୪୪ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୩୫ କୋଟି ୬୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। ନିରନ୍ତର ବିକାଶ ଧାରାରେ କୋରାପୁଟ ଜିଲ୍ଲା ମଧ୍ୟ ସାମିଲ ହୋଇଛି। କୋରାପୁଟବାସୀ ଦେଶର ବଡ଼ ବଡ଼ ସହରରେ ଥ‌ିବା ପ୍ରାୟ ୨୯ ହଜାରରୁ ଊର୍ଦ୍ଧ୍ୱ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ମାଗଣା ସ୍ବାସ୍ଥ୍ୟସେବା ପାଉଛନ୍ତି। କୋରାପୁଟ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଅନ୍ତର୍ଗତ ଏ ପର୍ଯ୍ୟନ୍ତ ୩ଲକ୍ଷ ୫୪୭ଟି କାର୍ଡ ବଣ୍ଟନ କରାଯାଇଛି। ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଅଧୀନରେ ୯ହଜାର ୬ଜଣ ହିତାଧିକାରୀ ପଞ୍ଜୀକୃତ ହୋଇଛନ୍ତି। ଜିଲ୍ଲାରେ ୪ଟି ବେସରକାରୀ ହସ୍‌ପିଟାଲ୍‌କୁ ଏବି ପିଏମ୍‌ଜେଏୱାଇ-ଜିଜେଏୱାଇ ଅନ୍ତର୍ଗତ ଅନୁମୋଦନ ମିଳିଛି, ଯେଉଁଠି ଲୋକେ କ୍ୟାସ୍‌ଲେସ୍ ଚିକିତ୍ସା ସୁବିଧା ପାଉଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ଷକ ଭିତରେ ସରକାର ଅନେକ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟ ଆହୁରି ଅଧିକ ଗତିରେ ତ୍ୱରାନ୍ୱିତ ହେବ। ଆମ ସରକାର ହେଉଛି ଲୋକଙ୍କ ସରକାର। ୨୦୩୬ ମସିହାରେ ସମୃଦ୍ଧ ଓଡ଼ିଶା ଗଠନ ସହ ୨୦୪୭ ମସିହା ବେଳକୁ ବିକଶିତ ଭାରତ ଗଠନରେ ଓଡ଼ିଶାକୁ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବା ପାଇଁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟସେବା, କୃଷି, ଶିଳ୍ପ, ନୂଆ ରୋଜଗାର ସୃଷ୍ଟି, ନିରନ୍ତର ଆର୍ଥିକ ବିକାଶ କ୍ଷେତ୍ରରେ ସାରା ଓଡ଼ିଶାରେ ନୂଆ ଯୁଗର ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ତଥା ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ, କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟସେବା ବିକାଶ ଇତିହାସରେ ଆଜି ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ସମସ୍ତ ସ୍ବାସ୍ଥ୍ୟସେବା କେନ୍ଦ୍ର, ସରକାରୀ ଡାକ୍ତରଖାନା, ମେଡିକାଲ୍ କଲେଜ ଏବଂ ହସ୍‍ପିଟାଲରେ ନୂଆ ଭିତ୍ତିଭୂମି ସହ ରୋଗୀ-କୈନ୍ଦ୍ରିକ ସେବା ବ୍ୟବସ୍ଥା ସୃଷ୍ଟି କରାଯାଉଛି। ହସ୍‍ପିଟାଲଗୁଡ଼ିକର ନବୀକରଣ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରମୁଖ ମଞ୍ଚାସୀନ ଥିଲେ। କୋରାପୁଟ ବିଧାୟକ ରଘୁରାମ ମାଛ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଧନ୍ୟବାଦ ଅର୍ପଣ କରିଥିଲେ।