Odia News Portal

ଓଡିଶାବାସୀଙ୍କ ପାଇଁ ଶ୍ରୀମନ୍ଦିର ପରିକ୍ରମା ଯୋଜନା

ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା

ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ପରିକ୍ରମା ଯୋଜନା ସାଢ଼େ ୪କୋଟି ଲୋକଙ୍କ ପାଇଁ’ ‘ଏହି ଯୋଜନା ଉପସ୍ଥାପନ କରି ମୁଁ ଗର୍ବିତ ଅନୁଭବ କରୁଛି । ପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ। ଶାନ୍ତ, ସୁନ୍ଦର ପରିବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମସ୍ତଙ୍କ ଇଛା।’ ସହଯୋଗ ପାଇଁ ପୁରୀବାସୀଙ୍କୁ ଗଜପତି ମହାରାଜାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଏହି ଯୋଜନା ଉପସ୍ଥାପନ କରିବା ପରେ ନବୀନ କହିଛନ୍ତି, ଏଭଳି ସୁଯୋଗ ବହୁତ କମ ଆସେ । ଯୁଗ ଯୁଗ ପରେ ଏଭଳି ମୁହୂର୍ତ୍ତ ଆସେ । ଶ୍ରୀମନ୍ଦିର ହେଉଛି ଆମର ଅଧ୍ୟାତ୍ମିକ ଐତିହ୍ୟର କେନ୍ଦ୍ର ଯାହାକି ପୁରୁଷ ପୁରୁଷ ଧରି ଉତ୍ତରାଧିକାରୀ ସୂତ୍ରରେ ଆମେ ପାଇଛେ । ଏହି ଅମୂଲ୍ୟ ସମ୍ପଦକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ। ତେଣୁ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ସଂକଳ୍ପ ନେଇ କାମ କରିବା ଓ ଶୀଘ୍ର ଶେଷ କରିବାକୁ ନିଷ୍ଠାର ସହ ଉଦ୍ୟମ କରିବା । ଦେଶ ବିଦେଶରେ ରହୁଥିବା ଜଗନ୍ନାଥପ୍ରେମୀଙ୍କ ହୃଦୟରେ ଗୋଟିଏ ଇଚ୍ଛା ମହାପ୍ରଭୁଙ୍କ ଏହି ଯୋଜନାରେ ସାମିଲ ହେବା ସହ ଏଥିରେ ନିଜର କିଛି ଅବଦାନ ରଖିବା । ଏଥିପାଇଁ ସମସ୍ତଙ୍କୁ ସୁଯୋଗ ଦେବା । 

ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ନବୀନ ।ଏହାସହ ନବୀନ କହିଛନ୍ତି, ଓଡିଆ ସ୍ୱାଭିମାନ ପାଇଁ ଯେଉଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରି ଥିଲେ, ଭକ୍ତର ମାନ ରକ୍ଷା ପାଇଁ ଯେଉଁ ମହାପ୍ରଭୁ ନନ୍ଦିଘୋଷ ଛାଡି ବାଲି ରଥରେ ବିଜେ କରିଥିଲେ, ସେ କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ, ତାଙ୍କ ଧାମର ବିକାଶରେ ଆମେ ଯଦି କିଛି ବି ଅବଦାନ ରଖିପାରିବା,  ତେବେ ଜଣେ ଓଡିଆ ଭାବରେ ଏହା ହେବ ଆମର ଶ୍ରେଷ୍ଠ ସୌଭାଗ୍ୟ ।

ଗତ ୧୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୭୫ ମିଟର ସୁରକ୍ଷା କରିଡରରେ ହେବାକୁ ଥିବା ଉନ୍ନତିମୂଳକ କାମକୁ ଅନୁମୋଦନ କରାଯାଇଥିଲା। ଏହି କାର୍ଯ୍ୟର ନକ୍ସାକୁ ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇଥିଲା। ଯାହାପରେ ଗଜପତି ଦିବ୍ୟସିଂହ ଦେବ ନକ୍ସାକୁ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲଙ୍କୁ ପ୍ରଦାନ କରିଥିଲେ| ସୂଚନାଯୋଗ୍ୟ, ପୁରୀ ଐତିହ୍ୟ କ୍ଷେତ୍ର ବିକାଶ ଯୋଜନାରେ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱର ରୂପାନ୍ତରଣ କାର୍ଯ୍ୟ ଚାଲୁ ରହିଛି। ମହାବାତ୍ୟା ଫନି ପରେ ଆରମ୍ଭ ହୋଇଥିବା ଏହି ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।