ବ୍ରହ୍ମପୁର: ବ୍ରହ୍ମପୁର ସହରର ଚାଲିଥିଲା ଶିଶୁ ଭିକ୍ଷାବୃତ୍ତି ରାକେଟ । ପୋଲିସର ସ୍ୱତନ୍ତ୍ର ଟିମ୍ ୯ ଜଣ ପିଲାଙ୍କୁ ଉଦ୍ଧାର କରିଛି । ଶିଶୁଙ୍କୁ ଏଭଳି କାର୍ଯ୍ୟରେ ସାମିଲ କରାଇଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗତ କିଛି ମାସ ଧରି ସହହର ପ୍ରମୁଖ ଟ୍ରାଫିକ୍ ପଏଣ୍ଟରେ ରାଜ୍ୟ ବାହାରର ଶିଶୁମାନେ ପେନ୍, ପେନସିଲ ବିକ୍ରି କରିବା ଆଳରେ ଭିକ୍ଷାବୃତ୍ତି କରୁଥିବା ନଜର ରହିଥିଲା । ସେମାନଙ୍କୁ ଏକ ଟିମ୍ ଏସବୁ କାର୍ଯ୍ୟରେ ନିୟୋଜିତ କରାଉଥିବା ପୋଲିସ ଜାଣିବା ପରେ ଏନେଇ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଗତ କିଛି ମାସ ଧରି ବ୍ରହ୍ମପୁର ସହରର ପ୍ରମୁଖ ଟ୍ରାଫିକ ପଏଣ୍ଟ ସହ ଜନଗହଳି ହେଉଥିବା ଅଞ୍ଚଳରେ କିଛି ନାବାଳକ ଓ ନାବାଳିକାମାନେ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ଅଭିଯୋଗ ପରେ ଏହି କାର୍ଯ୍ୟକଳାପ ଉପରେ ପୋଲିସ ନଜର ରଖିଥିଲା । ବ୍ରହ୍ମପୁର ଏସ୍ଡିପିଓଙ୍କ ନେତୃତ୍ୱରେ ସହରର ବିଭିନ୍ନ ଥାନା ପୋଲିସ, ଗଞ୍ଜାମ ଜିଲ୍ଲା ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍ ଓ ଚାଇଲ୍ଡ ୱେଲଫେୟାର କମିଟି (CWC)ଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ନାବାଳକ ଓ ନାବାଳିକାଙ୍କ ଗତିବିଧି ଉପରେ ଲଗାତାର ନଜର ରଖିଥିଲା ।
ଏସ୍ଡିପିଓଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ର ତଦନ୍ତ ସମୟରେ ଦେଖିବାକୁ ମିଳିଥିଲା ଯେ, ସକାଳ ସମୟରେ କିଛି ଲୋକ ଶିଶୁମାନଙ୍କୁ ଗୋଟିଏ ଅଟୋରେ ଆଣି ସହରର ପିଭିଏନ୍ ରାଓ ଟ୍ରାଫିକ ଛକ ପୂର୍ବରୁ ଅଳ୍ପ ଦୂରରେ ଛାଡିଯାଉଥିଲେ । ପରେ ପିଲାମାନେ ଟ୍ରାଫିକ୍ ସିଗ୍ନାଲ୍ ପାଖକୁ ଯାଇ ଭିକ୍ଷା ମାଗିବା ଆରମ୍ଭ କରୁଥିଲେ । ଏପରିକି ଅଟୋରେ ଆସିଥିବା ଲୋକମାନେ ଭିକ୍ଷାବୃତ୍ତି କରୁଥିବା ଶିଶୁଙ୍କ ଉପରେ ନଜର ରଖୁଥିଲେ । ଦିନସାରା ଭିକ୍ଷା ମାଗିବା ପରେ ସନ୍ଧ୍ୟା ବେଳକୁ ସେମାନଙ୍କୁ ଫେରାଇ ନିଆଯାଉଥିବା ପୋଲିସ ଦେଖିବାକୁ ପାଇଥିଲା ।
ଭିକ୍ଷାବୃତ୍ତି କରୁଥିବା ପିଲାମାନେ ଓଡ଼ିଆ କହିପାରୁ ନଥିଲେ । ବାହାର ରାଜ୍ୟରୁ ଶିଶୁମାନଙ୍କୁ ଆଣି ଏଭଳି ଭିକ୍ଷାବୃତ୍ତିରେ ନିୟୋଜିତ କରାଯାଉଥିବା ନେଇ ପୋଲିସ ଜଣିବାକୁ ପାଇଥିଲା । ଏହାପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୯ ଜଣ ଶିଶୁଙ୍କୁ ଉଦ୍ଧାର କରିବା ସହ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି ।ବ୍ରହ୍ମପୁର ସହରର ଟାଉନ ଥାନା ମାମଲା ନଂ–୯୨/ ତାରିଖ ୦୩.୦୩.୨୦୨୬ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୧୪୩(୫)/ ୧୩୯(୩)/ ୩(୫) ସହିତ ଶିଶୁ ନ୍ୟାୟ ଆଇନର ଧାରା ୭୬ ଅନୁଯାୟୀ (Berhampur Town PS Case No – 92 dt 03.03.2026U/s 143(5)/139(3)/3(5) BNS R/W Sec 76 Juvenile Justice Act ) ମାମଲା ରୁଜୁ ହୋଇଛି ।
