Odia News Portal

ଆମେରିକା ଆକାଶରେ ଉଡୁଛି ‘ସ୍ପାଏ ବେଲୁନ୍‌’

ବେଲୁନ ଜରିଆରେ ଚୀନର ଗୁଇନ୍ଦାଗିରି। ସନ୍ଦେହରେ ବେଲୁନ୍‌କୁ ଟ୍ରାକ୍‌ କରୁଛି ଆମେରିକା। ପଶ୍ଚିମ ଆମେରିକାରେ ମୋଣ୍ଟାନାର ଉଚ୍ଚ ଆକାଶରେ ବେଶ କିଛି ଦିନ ହେଲା ସର୍ଭିଲେନ୍‌ସ ବେଲୁନ (ସ୍ପାଏ ବେଲୁନ୍‌) ଠାବ ହୋଇଛି। ମୋଣ୍ଟାନାରେ ରହିଛି ଆମେରିକାର ତାର ସମ୍ବେଦନଶୀଳ ଆଣବିକ ମିଶାଇଲର ରଖିଛି। ପ୍ରତିରକ୍ଷା ବିଭାଗର ଅନେକ କାର୍ଯ୍ୟାଳୟ ରହିଛି। ଆମେରିକା ସନ୍ଦେହ କରୁଛି ଉଚ୍ଚ ଆକାଶରେ ଉଡୁଥିବା ସର୍ଭିଲେନ୍‌ସ ବେଲୁନ ଚୀନର। କିନ୍ତୁ ଏହାକୁ ମାରି ନ ଖସାଇବାକୁ ନିଷ୍ପତ୍ତି ନେଇଛି ଆମେରିକା। କାରଣ ଏହାର ଧ୍ୱଂଶାବଶେଷ କିଛି କ୍ଷତି ପହଞ୍ଚାବା ଆଶଙ୍କା କରାଯାଉଛି। ଏହି ସନ୍ଦେହଜନକ ବେଲୁନ ପ୍ରସଙ୍ଗରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅବଗତ କରାଯାଇଛି।

ଏହି ବେଲୁନଟି ଆଲାସ୍କାର ଆଲିଉଟିଆନ ଦ୍ୱୀପ ଓ କାନାଡା ଦେଇ ମୋଣ୍ଟାନାର ବିଲିଙ୍ଗସ ସହରରେ ପ୍ରବେଶ କରିଥିଲା। ଯଦି ହ୍ଵାଇଟ୍‌ ହାଉସରୁ ନିର୍ଦ୍ଦେଶ ଆସେ ତେବେ ଏହାକୁ ନଷ୍ଟ କରାଯିବ। ତେଣୁ F-22 ଫାଇଟର ଜେଟ୍‌ ପ୍ରସ୍ତୁତ ରହିଛି। ବେଲୁନ ସମ୍ପର୍କିତ ଖବର ଆସିବା ସମୟରେ ଫିଲିପିନ୍‌ସ ଯାତ୍ରା କରୁଥିଲେ ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ। ଗସ୍ତର ଅଧାରେ ହିଁ, ଏ ପ୍ରସଙ୍ଗ ନେଇ ଲଏଡ ଅଷ୍ଟିନ ଜଏଣ୍ଟ ଚିଫ ଅଫ ଷ୍ଟାଫର ଅଧ୍ୟକ୍ଷ ମାର୍କ ମିଲେଙ୍କ ସହ ଜରୁରୀ ବୈଠକ କରିଥିଲେ। ବେଲୁନକୁ ନ ଖସାଇବାକୁ ନିଷ୍ପତ୍ତି ନେଇଥିଲେ।

ବେଲୁନ ଯେଉଁ ଉଚ୍ଚତାରେ ଉଡୁଛି ତାହା ବ୍ୟାବସାୟିକ ବିମାନ ଚଳାଚଳକୁ ପ୍ରଭାବିତ କରିବ ନାହିଁ କିମ୍ବା ତଳେ ଥିବା କୌଣସି ନାଗରିକଙ୍କ ପ୍ରତି ବିପଦ ନାହିଁ ବୋଲି କୁହାଯାଇଛି। କିନ୍ତୁ ଏହି ସର୍ଭିଲାନ୍‌ସ ବେଲୁନର ଟାର୍ଗେଟ କଣ ହୋଇ ପାରେ ସେ ପ୍ରସଙ୍ଗରେ ଆମେରିକା କିଛି ସ୍ପଷ୍ଟ କରି ନାହିଁ କିମ୍ବା ଚୀନ ମଧ୍ୟ ଏ ଉପରେ କୌଣସି ପ୍ରତିକ୍ରିୟା ରଖି ନାହିଁ। ଏ ପ୍ରସଙ୍ଗରେ ୱାସିଂଟନ ସ୍ଥିତ ଚୀନ ଆମ୍ବାସୀଙ୍କୁ ଅବଗତ କରାଇଛି। ଆମେରିକା ପ୍ରତିରକ୍ଷା ବିଭାଗର ଅଧିକାରୀ କିନ୍ତୁ କହୁଛନ୍ତି, ଏହି ବେଲୁନ ଯୋଗୁଁ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ।