ବିଜୁ-ନବୀନ ଇନସ୍ପିରେସନାଲ ଫାଉଣ୍ଡେସନକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରଥମେ ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିବା ପରେ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି । ଟ୍ରଷ୍ଟ ଜରିଆରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଜାଣତରେ ଦଳର ପାଣ୍ଠିକୁ ହଡ଼ପ କରାଯାଉଥିବା ଅଭିଯୋଗ ହେଉଥିଲା ।ଟ୍ରଷ୍ଟରେ ନବୀନଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଅଧ୍ୟକ୍ଷ ଥିବା ବେଳେ ବର୍ତ୍ତମାନର ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ସମ୍ପାଦକ ଭାବେ ଏହା କରୁଥିବା ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ ହୋଇ ଆସୁଥିଲା । ଟ୍ରଷ୍ଟ ପ୍ରସଙ୍ଗକୁ ଆଜି ବିଧାନସଭାରେ ଉଠାଇ ଜବାବ ମାଗିଥିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଶେଷରେ ଆଜି ଗଣମାଧ୍ୟମରେ ତମାମ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ କହିଛନ୍ତି, “ଗଣମାଧ୍ୟମରେ ପ୍ରଚାର ହେଉଥିବା କିଛି ପ୍ରସଙ୍ଗରେ ଉପରେ ସ୍ପଷ୍ଟୀକରଣ ରଖିବା ପାଇଁ ଚାହୁଁଛି । ବିଜୁ ବାବୁ ବିଭିନ୍ନ କାମ ପାଇଁ ପରିଚୟ ଲାଭ କରିଥିଲେ । ସାମାଜିକ କାର୍ଯ୍ୟକ୍ରମ ଓ ଦାନ ଧର୍ମ ପାଇଁ ସେ ପରିଚିତ ଥିଲେ । ଏ କଥା ସମସ୍ତେ ଜାଣିଛନ୍ତି । ବିଜୁ ବାବୁ ପ୍ୟାରିସରେ ପାଇଥିବା କଳିଙ୍ଗ ୟୁନେସ୍କୋ ପୁରସ୍କାର ଦାନ କରି ଦେଇଥିଲେ । 30 ବର୍ଷ ବୟସରେ ବିଜ୍ଞାନର ବିକାଶ ଓ ଲୋକପ୍ରିୟତା ପାଇଁ ଉକ୍ତ ପୁରସ୍କାର ସେ ପ୍ରଦାନ କରିଥିଲେ । ଜୀବନରେ ସେ ଆହୁରି ଅନେକ ଭଲ କାମ କରିଛନ୍ତି । ମୋ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଓ ବଡ଼ ଭଉଣୀ ସ୍ବର୍ଗତ ଗୀତା ମେହେଟ୍ଟା କଟକରେ ଥିବା ଆମ ପାରିବାରିକ ଘର ଆନନ୍ଦ ଭବନକୁ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଛନ୍ତି । ଜନସାଧାରଣଙ୍କ ବ୍ୟବହାର କାର୍ଯ୍ୟରେ ଏହା ଲାଗୁଛି ।”ନବୀନ ଆହୁରି ମଧ୍ୟ କହିଛନ୍ତି, “ମୁଁ ମୋର ଗୁରୁତର ବେକ ଅସ୍ତ୍ରୋପଚାର ପାଇଁ ମୁମ୍ବାଇ ଯିବା ପୂର୍ବରୁ ଦିଲ୍ଲୀ ଯାଇଥିଲି । ସେହି ସମୟରେ ମୁଁ ଏକାଧିକ ବଡ଼ ବଡ଼ ଆଇନଜୀବୀ ଓ ଚାଟାର୍ଡ ଅକାଉଣ୍ଟାଣ୍ଟଙ୍କ ସହ ବିଚାର ବିମର୍ଷ କରିଥିଲି । ଟ୍ରଷ୍ଟ ସମ୍ପର୍କିତ ଦକ୍ଷତା ରଖିଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲି । ଗୋଟେ ଟ୍ରଷ୍ଟ ଖୋଲିବା ପାଇଁ ମୁଁ ନିଷ୍ପତ୍ତି ନେଇଥିଲି । ମୁଁ ବିଜୁ ବାବୁଙ୍କ ନାଁରେ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲି । ଏହି ଟ୍ରଷ୍ଟ ଓଡ଼ିଶାବାସୀଙ୍କ ହିତ ପାଇଁ ଖୋଲିଛି । ମୋ ନିଜ ପାଣ୍ଠିରୁ ଏକ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କରିଛି । ବିଜେଡି କିମ୍ବା ଦଳୀୟ ପାଣ୍ଠି ସହ ଏହାର କିଛି ସମ୍ପର୍କ ନାହିଁ । ବିଜେଡି କିମ୍ବା ଅନ୍ୟ କୌଣସି ଦଳର ଫଣ୍ଡରୁ ଆସିବ ନାହିଁ । କିଛି ଗଣମାଧ୍ୟମରେ ନକରାତ୍ମକ କାହାଣୀ ହେଉଥିବାରୁ ମୁଁ ଏହି ସ୍ପଷ୍ଟୀକରଣ ରଖୁଛି ।”
