ବିଜେପି କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ: ସାଙ୍ଗଠନିକ ନିଯୁକ୍ତି ଓ ପରିସ୍ଥିତି ନେଇ ବିଚାର By Swadhikar News Last updated Oct 10, 2025 ବିଜେପିର ସାଙ୍ଗଠନିକ ନିଯୁକ୍ତି, ରାଜ୍ୟର ସାମ୍ପ୍ରତିକ ସ୍ଥିତିରେ ଦଳର ଆଭିମୁଖ୍ୟ କ’ଣ ରହିବ, ନୂଆପଡ଼ା ଉପନିର୍ବାଚନରେ କାହାକୁ ପ୍ରାର୍ଥୀ କରାଯିବ ଭଳି ବିଭିନ୍ନ ପ୍ରସଙ୍ଗରେ ଆଜି ବିଜେପିର ବରିଷ୍ଠ ନେତାମାନେ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ଆଜି ସଂଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍ ସନ୍ତୋଷ, ରାଷ୍ଟ୍ରୀୟ ସଂଗଠକ ଭି.ସତୀଶ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ଅପରାଧ ବଢ଼ିବା, ବ୍ରହ୍ମପୁରରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା, କଟକରେ ସାମ୍ପ୍ରଦାୟିକ ବିବାଦ ସୃଷ୍ଟି ହେବା, ବାଲେଶ୍ବର ଏବଂ ବିଭିନ୍ନ ଜିଲ୍ଲାରେ ସାମ୍ପ୍ରଦାୟିକ ବିବାଦ ବାରମ୍ବାର ଦେଖାଯାଉଥିବାରୁ ଦଳ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଛି। ତେଣୁ ଏହାର କିପରି ଉଚିତ ମୁକାବିଲା କରାଯିବ ସେନେଇ ବୈଠକରେ ବହୁ ସମୟ ଧରି ଆଲୋଚନା ହୋଇଥିଲା। କିପରି ବିଜେପିର ତୃଣମୂଳସ୍ତରର ନେତାମାନେ କ୍ରାଇସିସ୍ ମ୍ୟାନେଜର ଭାବେ କାର୍ଯ୍ୟ କରିବେ, ପୁଲିସ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ଦରକାର, ବିଜେପି ଯୁବମୋର୍ଚ୍ଚା ଓ ଏବିଭିପି ଏବେ ଭିନ୍ନ ଭିନ୍ନ ଟ୍ରାକ୍ରେ ଯାଉଥିବାରୁ ସେମାନଙ୍କ ଭିତରେ ଥିବା ମନୋମାଳିନ୍ୟକୁ ଦୂର କରିବା ଭଳି ପ୍ରସଙ୍ଗରେ ବି.ଏଲ୍ ସନ୍ତୋଷ କିଛି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ସେହିପରି ସାଙ୍ଗଠନିକ ନିଯୁକ୍ତି ବିଳମ୍ବ ହେଉଥିବାରୁ, ବିଭିନ୍ନ ନିଗମ ଓ ବୋର୍ଡରେ ନିଯୁକ୍ତି ବିଳମ୍ବ ହେଉଥିବାରୁ ତୃଣମୂଳ ସଂଗଠନ ସ୍ତରରେ ଯେଉଁ ସମସ୍ୟା ହେଉଛି ସେନେଇ ରାଜ୍ୟ ବିଜେପିର ନେତାମାନେ ଶ୍ରୀ ସନ୍ତୋଷଙ୍କୁ କହିଥିଲେ। ଏହାକୁ ଯଥାସମ୍ଭବ ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଏହି ବୈଠକରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହାବାଦ୍ ରାଜ୍ୟରେ ବିଜେପି ସରକାର ଆସିବା ପରେ ଦଳ ତଥା ସରକାର ନୂଆପଡ଼ାରେ ପ୍ରଥମ ଉପନିର୍ବାଚନ ସାମନା କରିବାକୁ ଯାଉଛନ୍ତି। ବିଜେପି ପାଇଁ ଏହି ଆସନ ଜିତିବା ସମ୍ମାନର ବିଷୟ ପାଲଟିଥିବାରୁ ଏଠାରେ କିପରି ଦଳ ଜିତିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ଗତ ସାଧାରଣ ନିର୍ବାଚନରେ ବିଜେପିର ଦଳୀୟ କନ୍ଦଳ ଯୋଗୁ ଦଳୀୟ ପ୍ରାର୍ଥୀ ଏଠାରେ ତୃତୀୟ ସ୍ଥାନ ହାସଲ କରିଥିଲେ। ତେଣୁ ଦଳୀୟ ନେତାଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରି ସମସ୍ତେ କିପରି ଏକାଠି ହୋଇ ନିର୍ବାଚନ ଲଢ଼ିବେ ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ଏପରିକି ପ୍ରାର୍ଥୀ ବଦଳାଇବାକୁ କିଛି ନେତା କହିଥିବାବେଳେ ଆଉ କେତେକ ନେତା ବସନ୍ତ ପଣ୍ଡା କିମ୍ବା ତାଙ୍କ ପୁଅଙ୍କୁ ହିଁ ପ୍ରାର୍ଥୀ କରିବାକୁ ପରାମର୍ଶ ଦେଇଥିଲେ। ଏହା ଉପରେ ଆଲୋଚନା ହୋଇଥିଲେ ବି ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରିନି। ବିଜେଡି ଯେପରି ନୂଆପଡ଼ା ଉପନିର୍ବାଚନ ପାଇଁ ପଶ୍ଚିମ ଓଡ଼ିଶା ନେତାଙ୍କୁ ଦାୟିତ୍ବ ବାଣ୍ଟିଛି ସେହିପରି ବିଜେପିର କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀରର ନେତାଙ୍କୁ ନିର୍ବାଚନ ଦାୟିତ୍ବ ଦେବାକୁ କୁହାଯାଇଛି। ଏନେଇ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରି ଖୁବ୍ଶୀଘ୍ର ନିଷ୍ପତ୍ତି ଜଣାଇ ଦିଆଯିବ ବୋଲି ଶ୍ରୀ ସନ୍ତୋଷ କହିଥିବା ଜଣାପଡ଼ିଛି। bjpswadhikarswadhikar news Share