Odia News Portal

କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରିବେ । ଲୋକସେବା ଭବନରେ ଅପରାହ୍ନ ୫ଟା ୩୦ମିନିଟରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସହାୟତା ବଣ୍ଟନର ଶୁଭାରମ୍ଭ କରିବେ ।

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଗତ ବୁଧବାର ଦିନ ଆର୍ଥିକ ସହାୟତା ପ୍ୟାକେଜ ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳିଙ୍କୁ ୧୦୦୦ ଟଙ୍କା ଏବଂ ପ୍ରତ୍ୟେକ ସିଜିନାଲ ଷ୍ଟାଫ ଓ ବନ୍ଧାଳିଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯିବ । ସେମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପିଲାଙ୍କୁ ବୃତ୍ତି ପ୍ରଦାନ କରାଯିବ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ । ସର୍କଲ ଚେକର୍ସ ଓ ବାଇଣ୍ଡିଂ ଚେକର୍ସଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ବୃଦ୍ଧି କରି ୧୫ ଦିନ କରାଯିବ । ସମସ୍ତ ତୋଳାଳିଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ।

ଏଣେ କେନ୍ଦୁପତ୍ରରୁ ଜିଏସଟି ହଟାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଅଛନ୍ତି । ବହୁ ଜନଜାତି ମାଆମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମରେ ନିୟୋଜିତ ହୋଇଛନ୍ତି ।