Odia News Portal

ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ପକ୍ଷରୁ ତୀର୍ଥ ଯାତ୍ରା ଟ୍ରେନ୍ ଆରମ୍ଭ

ଦୁଇ ବର୍ଷ ପରେ ପୁଣି ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ତୀର୍ଥ ଯାତ୍ରା ଟ୍ରେନ୍। ଆଜି ସମ୍ବଲପୁରରୁ ଏକ ସ୍ୱତନ୍ତ୍ର ଟ୍ରେନରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରା ପାଇଁ ବାହାରିଛନ୍ତି। ଏହି ଯାତ୍ରୀମାନଙ୍କ ପାଇଁ ପ୍ରତି କୋଚ୍‌ରେ ଜଣେ ଲେଖାଏ ଆଟେଣ୍ଡାଣ୍ଟ ରହିଛନ୍ତି। ଏହି ଟ୍ରେନଟି ବୃନ୍ଦାବନ, ମଥୁରା ଓ ଆଗ୍ରା ପର୍ଯ୍ୟନ୍ତ ଯିବ। ଟ୍ରେନ ଭିତରେ ଥିବା ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି।

ପିଇବା ପାଣି, ଖାଦ୍ୟ, ଔଷଧ ସବୁ ଟ୍ରେନ୍‌ରେ ଦିଆଯାଇଛି। ବରିଷ୍ଠ ନାଗରିକଙ୍କୁ ସରକାର ତୀର୍ଥ କରାଇବା ପାଇଁ ନେଉଥିବାରୁ ସେମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ସମ୍ବଲପୁର ସମେତ ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡା, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଅଞ୍ଚଳର ନାଗରିକମାନେ ଆଜି ତୀର୍ଥ ଯାତ୍ରାରେ ସମ୍ବଲପୁର ରେଳଷ୍ଟେସନରୁ ବାହାରିଛନ୍ତି । ସମ୍ବଲପୁର ଷ୍ଟେସନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା।ଏହି ଉତ୍ସବରେ ବରିଷ୍ଠ ନାଗରିକଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରି ଟ୍ରେନ୍‌ରେ ବସାଯାଇଥିଲା ।