ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ‘ପଡ଼ା ପୁଷ୍ଟି’ କାର୍ୟ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସାରା ରାଜ୍ୟରେ ୧୫ ରୁ ୧୯ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାମାନଙ୍କୁ ପୁଷ୍ଟି ସହାୟତା ସହିତ ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ମାନଙ୍କ ପାଇଁ ଅଧିକ ଶୁଖିଲା ଖାଦ୍ୟର ବ୍ୟବସ୍ଥା, ଅତିଶୟ ପୁଷ୍ଟିହୀନ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଆହାର, ମଧ୍ୟମ ପୁଷ୍ଟିହୀନ ପିଲା ଏବଂ ଅତିଶୟ କମ୍ ଓଜନର ପିଲାମାନଙ୍କ ପାଇଁ ଭିଟାମିନ୍ଯୁକ୍ତ ଛତୁଆ ଓ ଅଣ୍ଡା ପ୍ରଦାନର ବ୍ୟବସ୍ଥା ରହିଛି।
‘ପଡ଼ା ପୁଷ୍ଟି’ ଯୋଜନାରେ ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ସେମାନଙ୍କ ପଡ଼ା ତଥା ଗ୍ରାମରେ ଉତ୍ତମ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ। ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ପୁଷ୍ଟି ସହିତ ସମୃଦ୍ଧିର ଗଭୀର ସମ୍ପର୍କ ରହିଛି। ତେଣୁ ପୁଷ୍ଟିର ଉନ୍ନତି ଜରିଆରେ ଆମେ ବିକାଶର ଲକ୍ଷ୍ୟ ପୂରଣ କରିପାରିବା। ପରିବାରକୁ ଉପଯୁକ୍ତ ପୁଷ୍ଟି କେବଳ ମା’ ହିଁ ଦେଇ ପାରିବ। ତେଣୁ ଏହି କାର୍ୟ୍ୟକ୍ରମର ସଫଳତା ମା’ମାନଙ୍କ ଉପରେ ନିର୍ଭର କରେ ।’
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ‘‘ଆମ ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ମା’ମାନଙ୍କର ମଧ୍ୟ ଏହି କାର୍ୟ୍ୟକ୍ରମର ସଫଳତା ପାଇଁ ଗୁରୁଦାୟିତ୍ୱ ରହିଛି। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ୨୦୨୦-୨୧ ବର୍ଷରୁ ପୁଷ୍ଟି ବଜେଟ ପରିକଳ୍ପନା କରିଛି । ମମତା ଯୋଜନାରେ ରାଜ୍ୟର ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଆଯାଉଛି। ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏ କ୍ଷେତ୍ରକୁ ଅଧିକ ସୁଦୃଢ କରିବ।’’