Odia News Portal

ସମ୍ଭାବ୍ୟ ବାତ୍ୟା ‘ଆସାନି’କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାଯୋଗୁଁ ଦକ୍ଷିଣ ଆଣ୍ଡାମାନ ସାଗର ଅଶାନ୍ତ ହେଉଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ମଧ୍ୟରେ ବା 6 ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ଏଯାଏଁ ମିଳିନି । ଏପଟେ ସମ୍ଭାବ୍ୟ ସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିହେବନି । ଲଘୁଚାପ ହେବା ପରେ ଏହାର ଗତିପଥ, ତୀବ୍ରତା ନେଇ ଚିତ୍ର ମିଳିବ । ପ୍ରାକ୍‌ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ହୋଇଥାଏ । ମାତ୍ର ଏହା ଓଡ଼ିଶା ମୁହାଁ ହେବ କି ନାହିଁ, ଏବେ କହି ହେବନାହିଁ ।

ତେବେ ବାତ୍ୟା ନେଇ ଏବେ ସ୍ପଷ୍ଟ ଚିତ୍ର ମିଳିନଥିଲେ ମଧ୍ୟ ଓଡ଼ିଶା ସରକାର ପୂରା ପ୍ରସ୍ତୁତ ଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ସତର୍କ ରୁହନ୍ତୁ, ଆତଙ୍କିତ ହୁଅନ୍ତୁ ନାହିଁ । ସରକାର ସବୁବେଳେ ଆପଣଙ୍କ ସହିତ ଅଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଯଥା ଅତ୍ୟାବଶ୍ୟକ ସାମଗ୍ରୀ ବହୁ ମାତ୍ରାରେ ମହଜୁଦ ରଖନ୍ତୁ ନାହିଁ । ଏହାଦ୍ୱାରା ବଜାରରେ କୃତ୍ରିମ ଅଭାବ ଦେଖାଦେଇପାରେ । ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦରବୃଦ୍ଧି କରିପାରନ୍ତି। କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖାଯାଉଛି । ଆବଶ୍ୟକସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ଭାବ୍ୟ ବାତ୍ୟା ‘ଆସାନି’ ନେଇ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଲଘୁଚାପ ହେବା ପରେ ୮ ତାରିଖକୁ ଏହା ବାତ୍ୟା ରୂପ ନେବ । ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଆଡ଼କୁ ମୁହାଁଇବ । ହେଲେ ୧୦ ତାରିଖ ପରେ ଦିଗ ପରିବର୍ତ୍ତନ କରି ପଶ୍ଚିମବଙ୍ଗ ବା ସଂଲଗ୍ନ ବାଂଲାଦେଶ ଆଡ଼କୁ ଗତି କରିପାରେ । ସମ୍ଭବତଃ ୧୩ ତାରିଖରେ ପଶ୍ଚିମବଙ୍ଗ ବା ସଂଲଗ୍ନ ବାଂଲାଦେଶର ସାଗର ଦ୍ୱୀପ ଛୁଇଁପାରେ । ମାତ୍ର ସେତେବେଳକୁ ବାତ୍ୟା ଦୁର୍ବଳ ହୋଇଯିବା ସମ୍ଭାବନା ଅଛି । ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ । ବାଲେଶ୍ୱର ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ଓ ପବନ ହୋଇପାରେ । ଲଘୁଚାପ ସୃଷ୍ଟି ହେବା ପରେ ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ଅନ୍ୟପଟେ ଅନେକ ସହରରେ ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ୪୨ ଡିଗ୍ରୀରୁ ଉର୍ଦ୍ଧ୍ବ ତାପମାତ୍ରା ରହିବ । ମୋଟାମୋଟି ଭାବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏହା ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରହିବ । ଏହାସହ ପ୍ରବଳ ଗୁଳିଗୁଳି ମଧ୍ୟ ଅନୁଭବ ହେବ । ଯାହା ଫଳରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।