Odia News Portal

ତାରାତାରିଣୀ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ: ୧୮ରେ ଦେବୀଙ୍କୁ ଭକ୍ତି ଅର୍ଘ୍ୟ ଦେବେ ନବୀନ

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଆରାଧ୍ୟା ଦେବୀ ମାଁ ତାରାତାରିଣୀଙ୍କ ଭବ୍ୟ ନୂତନ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି। ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀ ତିଥି ରବିବାରରୁ ଆରମ୍ଭ ହେବାକୁ ଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଲ୍ଲେଖନୀୟ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୮ ତାରିଖ ବୁଧବାର ଦିନ ଦେବୀଙ୍କ ଏହି ପବିତ୍ର କାର୍ଯ୍ୟରେ ସାମିଲ ହେବେ। ଦେବୀ ତାରାତାରିଣୀଙ୍କ ନିକଟରେ ଭକ୍ତି ଅର୍ଘ୍ୟ ଅର୍ପଣ କରିବେ ସେ। ସେପଟେ ଏହି ମହୋତ୍ସବରେ ଯୋଗଦାନପୂର୍ବକ ମାଁଙ୍କ ଆଶୀର୍ବାଦ ଲାଭ କରିବା ନିମନ୍ତେ ସମସ୍ତ ଭକ୍ତବୃନ୍ଦଙ୍କୁ ମାଁ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ଆଦିଶକ୍ତି ମାଁ ତାରାତାରିଣୀ ଯୁଗ୍ମରୂପିଣୀ, ଅଯୁଗ୍ମ ରୂପରେ ସେ ସଙ୍କଟ ତାରିଣୀ। ପୁରାଣ ମୁତାବକ ଠାକୁରାଣୀ ଦକ୍ଷ ଯଜ୍ଞ ବିନାଶିନୀ ଶକ୍ତି ଶରୀରର ଅଙ୍ଗବିଶେଷ, ଯାହାକି ରତ୍ନଗିରି ପର୍ବତରେ ପୂଜିତ ହୋଇ ଆସୁଛନ୍ତି। ଏକଦା ଦୁର୍ଗମ ଓ ଘଞ୍ଚ ଜଙ୍ଗଲଭରା ପାହାଡ଼ ମଧ୍ୟରେ ପୂଜା ପାଇ ଆସୁଥିବା ଭଗବତୀ ଯଦିଓ ଅତୀତରେ ଭକ୍ତଙ୍କ ପାଇଁ ଦୁର୍ଲଭ ଥିଲେ ଆଜି କିନ୍ତୁ ଯୁଗର ବିବର୍ତ୍ତନବାଦରେ ସମସ୍ତଙ୍କ ନିକଟରେ ସେ ସୁଲଭ ଦର୍ଶନଯୋଗ୍ୟ। ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭରୁ ଏଯାବତ୍ ପ୍ରାୟ ୧୧୭ କୋଟି ଟଙ୍କା ବ୍ୟୟରେ ବଉଳମାଳିଆ ପଥର ଦ୍ୱାରା ନବନିର୍ମିତ ପଞ୍ଚାୟତନ ବିଶିଷ୍ଟ ମନ୍ଦିର ମଧ୍ୟରେ ଏବେ ଦେବୀ ଅଧିଷ୍ଠିତ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ରାଜପୁର ନିକଟ ପର୍ବତ ଶିଖରରେ ନବନିର୍ମିତ ପୀଠ ତଥା ଜୀର୍ଣ୍ଣୋଦ୍ଧାର ଦେବୀ ପ୍ରାସାଦର ପ୍ରତିଷ୍ଠା ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ଏ ନେଇ ଭକ୍ତମହଲରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଛି।

ମାଁ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ତଥା ଜିଲ୍ଲା ପ୍ରଶାସନ ତରଫରୁ ଏହି ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀ ଶଙ୍କରାଚାର୍ଯ୍ୟ, ପୁରୀ ଗଜପତି ମହାରାଜାଙ୍କୁ ସାଦର ନିମନ୍ତ୍ରଣ କରାଯାଇଥିଲା। ଜିଲ୍ଲାବାସୀଙ୍କ ପ୍ରବଳ ଆଗ୍ରହ, ଆୟୋଜକଙ୍କ ଶ୍ରଦ୍ଧାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୮ ତାରିଖରେ ପୀଠ ଦର୍ଶନ ସକାଶେ ସ୍ବୀକୃତି ଦେଇଛନ୍ତି। ବୁଧବାର ସକାଳ ୮ ଘଣ୍ଟାର ଅମୃତ ବେଳାରେ ଦେବୀ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ଫଳରେ ଏହି ଉତ୍ସବ ଅଧିକ ଭବ୍ୟ ତଥା ଆନନ୍ଦଦାୟକ ହେବା ନିଶ୍ଚିତ।

୫ ଦିନିଆ ପ୍ରତିଷ୍ଠା ମହୋତ୍ସବର ପ୍ରଥମ ଦିନ ରବିବାରରେ ଦୀକ୍ଷାଗ୍ରହଣ, ଅଙ୍କୁରାରୋପଣ ହେବ। ସୋମବାର ଜଳଯାତ୍ରା, ଯଜ୍ଞାରମ୍ଭ, ବ୍ରାହ୍ମଣବରଣ, ଅଗ୍ନି ସଂସ୍କାର, ସାଲା ସଂସ୍କାର ଓ ପୂଜା ହୋମ ରୀତିନୀତି ସମ୍ପନ୍ନ ହେବ। ମଙ୍ଗଳବାର ସୂର୍ଯ୍ୟ ପୂଜା, ଗୋପୂଜା, ଚଣ୍ଡିପାଠ, ମହାରୁଦ୍ରାଭିଷେକ, ଧ୍ଵଜ ଓ ତ୍ରିଶୂଳ ସ୍ଥାପନ, ପାର୍ଶ୍ଵ ଦେବାଦେବୀଙ୍କ ସପ୍ତାଧିବାସ ଓ ଧାନ୍ୟାଧିବାସ ସମ୍ପନ୍ନ କରାଯିବ। ଚତୁର୍ଥ ଦିବସ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଆଗମନ ସହ ଉକ୍ତ ଦିନ ସୂର୍ଯ୍ୟ ପୂଜା, ମଣ୍ଡଳ ଦେବତା ପୂଜା, ହୋମ, ଦଶମହାବିଦ୍ୟା, ଯଜ୍ଞ ଓ ପୁରଷ୍କରଣ, ତ୍ରିଶୂଳ, ଧ୍ୱଜ, ମହାଧୀଜଙ୍କ ପାଇଁ ଦେବତାଙ୍କ ମହାସ୍ନାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଗୁରୁବାର ସୂର୍ଯ୍ୟ ପୂଜା ସହ ଦେବତା ତଥା ଆୟୁଦ୍ଧ ଧ୍ଵଜମାନଙ୍କ ନ୍ୟାସ ହେବ। ଅନ୍ତିମ ଦିବସ ଶୁକ୍ରବାର ଧ୍ଵଜ, ତ୍ରିଶୂଳ, ପାର୍ଶ୍ଵଦେବତାଙ୍କ ସ୍ଥାପନ ସହ ମହାଦେବୀଙ୍କ ରତ୍ନ ସିଂହାସନ ବିଜେ, ମହାଧୀଜଙ୍କ ଭ୍ରମଣ ଓ ସମର୍ପଣ, ଅଖଣ୍ଡ ନାମଯଜ୍ଞ ଓ ଘୃତଯଜ୍ଞର ପୂର୍ଣ୍ଣାହୂତି ହେବ ବୋଲି ମାଁ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ସୂତ୍ରରୁ ପ୍ରକାଶ।

ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭକ୍ତଗଣଙ୍କୁ ନିବେଦନ କରିଛନ୍ତି ଯେ ମେ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଁ ତାରାତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଛି। ବିଶେଷ କରି ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗଦାନ କରିବାକୁ ଯାଉଛନ୍ତି। ପ୍ରଶାସନ ତରଫରୁ ପାର୍କିଂ, ପାନୀୟ ଜଳ, ଭକ୍ତଙ୍କ ସକାଶେ ବିଭିନ୍ନ ସୁବିଧା ସୁଯୋଗ କରାଯାଇଛି। ଭକ୍ତମାନେ ଯେପରି ଆସି ଏହି ପ୍ରତିଷ୍ଠା ଉତ୍ସବରେ ସୁରୁଖୁରୁରେ ଯୋଗଦେଇପାରିବେ ତାହାର ବ୍ୟବସ୍ଥା କରାଯାଉଛି। ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ଆପଣମାନେ ଆସନ୍ତୁ, ଉତ୍ସବରେ ଯୋଗ ଦିଅନ୍ତୁ, ମାଁଙ୍କ ଆଶୀର୍ବାଦ ଲାଭ କରନ୍ତୁ।

ସେ ଆହୁରି କହିଛନ୍ତି ଯେ ମନ୍ଦିର ଚତୁଃପାର୍ଶ୍ଵର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନରେ ୧୧୭ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି। ଯଜ୍ଞ ମଣ୍ଡପ, ଦୀପ ଘର, ଭିୟୁ ପଏଣ୍ଟ, ମେଡିଟେସନ୍ ସେଣ୍ଟର୍, ପ୍ରଶାସନିକ ଭବନ, ମୁଣ୍ଡନ ହଲ୍, ମାର୍କେଟ କମ୍ପ୍ଲେକ୍ସ, ଘାଟି ତଳୁ ପୀଠ ପର୍ଯ୍ୟନ୍ତ ସୁନ୍ଦର ରାସ୍ତା କରାଯାଇଛି ଯେଉଁଠାରେ ଦର୍ଶକ ଆଖପାଖର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଋଷିକୂଲ୍ୟା ନଦୀର ସୁନ୍ଦର ଦୃଶ୍ୟ ଉପଭୋଗ କରିପାରିବେ। ପାହାଡ଼ ଉପରେ ମଧ୍ୟ ବିରାଟ ଜାଗା ସୃଷ୍ଟି କରାଯାଇଛି ଯେଉଁଛି ବ୍ୟାପକ ଚାରାରୋପଣ ସହ ସବୁଜିମା ଭରା ପରିବେଶ ସୃଷ୍ଟି ହୋଇଛି। ଫଳରେ ଏହି ଶକ୍ତିପୀଠ ଅନ୍ତର୍ଜାତୀୟସ୍ତରର ଏକ ସୁନ୍ଦର ପର୍ଯ୍ୟଟନସ୍ଥଳ ଭାବେ ସୁନାମ ଅର୍ଜନ କରିବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ମନ୍ଦିରର ବିକାଶ ପାଇଁ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ଆରାଧ୍ୟା ଦେବୀ ତଥା ସାରା ରାଜ୍ୟ ଓ ଦେଶର ଅନ୍ୟତମ ପ୍ରସିଦ୍ଧ ଏହି ଶକ୍ତିପୀଠ ମଧ୍ୟ ସେହି ଧାରାରେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଯୋଜନାରେ ସାମିଲ ହୋଇ ଏବେ ଏହାର ନବକଳେବର ହୋଇପାରିଛି। ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଏକାଧିକ ଥର ଏହି ମନ୍ଦିର ଗସ୍ତ କରି ଏହାର ଉନ୍ନୟନ ଧାରାକୁ ତ୍ବରାନ୍ବିତ କରିବା ପାଇଁ ମାର୍ଗଦର୍ଶନ କରି ଆସିଥିଲେ। ଏବେ ତାଙ୍କର ସେହି ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ବାସ୍ତବ ରୂପ ନେବାକୁ ଯାଉଛି।