Odia News Portal

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଦ୍ରୌପଦୀ ମୁର୍ମୁ । ଏନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ ବୋଲି ଟ୍ୱିଟ କରିଛନ୍ତି ନବୀନ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟରୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ୱ ସମ୍ପର୍କରେ ସେ ପୂର୍ବରୁ ଜାଣି ସାରିଥିବା ସଙ୍କେତ ମିଳିଛି।

ନିଜ ଟ୍ୱିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଦେଶର ସର୍ବୋଚ୍ଚ ପଦବୀ ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥିନୀ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଏନେଇ ମୋ ସହ ଆଲୋଚନା କରିବା ବେଳେ ବହୁତ ଖୁସି ହୋଇଥିଲି। ଏଥିସହ ସେ ଟ୍ୱିଟ କରିଛନ୍ତି, ମୋର ବିଶ୍ୱାସ ଶ୍ରୀମତୀ ମୁର୍ମୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ନୂଆ ଉଦାହରଣ ସୃଷ୍ଟି କରିବେ । ଏଥିରୁ ସ୍ପଷ୍ଟ ଯେ ମୋଦିଙ୍କ ସହ ଆଲୋଚନା ବେଳେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ ନବୀନଙ୍କୁ ଅବଗତ କରାଯାଇଥିଲା ।