Odia News Portal

ଅରିନ୍ଦମଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଟିଭି ରିପୋର୍ଟର ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି କି, କାର୍ୟ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

ସୂଚନା ଥାଉକି, ଆଜି ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ଏକ ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ଓଡ୍ରାଫ୍ ଟିମ୍। ତାଙ୍କ ସହ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଏବଂ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା ମଧ୍ୟ ଖବର ସଂଗ୍ରହ ପାଇଁ ଯାଇଥିଲେ। ମାତ୍ର ଉଦ୍ଧାର ସମୟରେ ଓଡ୍ରାଫ୍ ଟିମ୍ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପ୍ରଖର ସ୍ରୋତରେ ଭାସି ଯାଇଥିଲା ଡଙ୍ଗା। ଏହାପରେ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଜଣଙ୍କ ପରେ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବହୁତ ସମୟର ସଂଘର୍ଷ ପରେ ଅରିନ୍ଦମ ଓ ପ୍ରଭାତଙ୍କୁ ଉଦ୍ଧାର କରାଯାଇ ଏସସିବିକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଛି।