Odia News Portal

ଝାଡଖଣ୍ଡ ପାଲାମୁରେ ସାଂପ୍ରଦାୟିକ ଦଙ୍ଗା

ଆଗକୁ ମହାଶିବରାତ୍ରୀ ଥିବାବେଳେ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ ସାଂପ୍ରଦାୟିକ ଦଙ୍ଗା ଦେଖାଦେଇଛି । ମହାଶିବରାତ୍ରୀ ତୋରଣ ନିର୍ମାଣକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ହିଂସାକାଣ୍ଡ, ପଥରମାଡ଼ ହୋଇଛି । ଏହି ଘଟଣାରେ ୬ ଜଣ ଲୋକ ଆହତ ହୋଇଥିବାର ଖବର ମିଳିଛି ।
ସୂଚନାନୁଯାୟୀ ଆସନ୍ତା ଶନିବାର ମହାଶିବରାତ୍ରୀ ପଡ଼ୁଥିବାବେଳେ ପାଲାମୁ ଜିଲ୍ଲାର ପାଙ୍କି ଟାଉନରେ ଶ୍ରଦ୍ଧାଳୁମାନେ ଏକ ତୋରଣ ଲଗାଉଥିଲେ । ତୋରଣଟି ମସଜିଦ ଛକଠାରୁ ୨୦୦ ମିଟର ଦୂରରେ ଅବସ୍ଥିତ ଥିଲା । ଏହି ସମୟରେ ଆଉ ଏକ ସଂପ୍ରଦାୟର ଲୋକମାନେ ତାହାର ବିରୋଧ କରିବା ସହ ତୋରଣ ଲଗାଉଥିବା ଲୋକମାନଙ୍କ ଉପରେ ପଥରମାଡ଼ କରିଥିଲେ । ଏହା ସହିତ ସେମାନେ ଶିବରାତ୍ରୀ ତୋରଣକୁ ବି ଭାଙ୍ଗି ଦେଇଥିଲେ ।
ଏହା ପରେ ସ୍ଥିତି ବିବାଦୀୟ ହେବା ସହ ଦୁଇପକ୍ଷର ଲୋକଙ୍କ ପକ୍ଷରୁ ପଥରମାଡ଼ କରାଯାଇଥିଲା । କେତେକ ଉତ୍ତ୍ୟକ୍ତ ଲୋକ ଆଖପାଖରେ ଥିବା କିଛି ବାଇକ ଭଙ୍ଗାରୁଜ୍ଜା କରିବା ସହ କେତେକ ଘରେ ନିଆଁ ଲଗାଇଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛି ।ସ୍ଥାନୀୟ ଅଂଚଳରେ ୧୪୪ ଧାରା ଲଗାଯାଇଛି । ଏହି ଦଙ୍ଗା ଚାଲିଥିବାବେଳେ ସ୍ଥାନୀୟ ଅଂଚଳରେ ଥିବା ଏକ ସ୍କୁଲରେ ୨୫-୩୦ ପିଲା ଫସି ରହିଥିଲେ .
ପୁଲିସ ଏହି ଘଟଣାରେ ଉଭୟ ପକ୍ଷର କିଛି ଲୋକଙ୍କୁ ଅଟକ ରଖିଛି ଓ ପଚରାଉଚୁରା ଚଳାଇଛି ବୋଲି ପାଲାମୁ ଆଇଜି ରାଜକୁମାର ଲାକ୍ରା କହିଛନ୍ତି ।