Odia News Portal

ଇମ୍ରାନଙ୍କ ସ୍ୱାସ୍ଥ୍ୟକୁ ନେଇ ବଢ଼ିଲା ଚିନ୍ତା

ପାକିସ୍ତାନ ରାଜନୀତିରେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଇମ୍ରାନ ଖାନ। ଦୀର୍ଘଦିନ ଧରି ଜେଲରେ ଥିବା ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଅଧରାତିରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପାକିସ୍ତାନ ତେହେରିକ-ଏ-ଇନସାଫ୍‌ ବା ପିଟିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇମ୍ରାନ ଖାନଙ୍କୁ ଆଡିଆଲା ଜେଲରୁ ଇସଲାମାବାଦର ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ନିଆଯାଇଛି। ସୁପ୍ରିମକୋର୍ଟ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି।

ତେବେ ମେଡିକାଲ ପରୀକ୍ଷା ପରେ ଇମ୍ରାନଙ୍କୁ ପୁଣି ଜେଲକୁ ଫେରାଇ ନିଆଯିବ ନା ହସ୍ପିଟାଲରେ ରଖି ଚିକିତ୍ସା କରାଯିବ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟତା ଆସିନାହିଁ। ଇମ୍ରାନଙ୍କ ପରିବାର ଓ ତାଙ୍କ ଦଳ ଦୀର୍ଘଦିନ ଧରି ଅଭିଯୋଗ କରିଆସୁଛନ୍ତି ଯେ, ଜେଲ ଭିତରେ ତାଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳୁନାହିଁ। ବିଶେଷକରି ତାଙ୍କ ଦୃଷ୍ଟିଶକ୍ତିକୁ ନେଇ ଚିନ୍ତା ବଢ଼ିଛି। ପରିବାର ପକ୍ଷରୁ ଦାବି କରାଯାଇଛି ଯେ, ଇମ୍ରାନଙ୍କ ଡାହାଣ ଆଖିର ପ୍ରାୟ ୮୫ ପ୍ରତିଶତ ଦୃଷ୍ଟିଶକ୍ତି କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ, ସରକାର ଏହି ଦାବିକୁ ଖଣ୍ଡନ କରିବା ସହ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିବା କହିଛନ୍ତି।

ସରକାରଙ୍କ କହିବା ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଉଛି। ଆବଶ୍ୟକତା ପଡ଼ିଲେ ଇମ୍ରାନ ଖାନଙ୍କୁ ବିଦେଶରେ ଚିକିତ୍ସା କରାଇବା ନେଇ ମଧ୍ୟ ବିଚାର କରାଯାଇପାରେ ବୋଲି ଜଣେ ସରକାରୀ ମନ୍ତ୍ରୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୨ ମସିହାରେ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ ଇମ୍ରାନ ଖାନ। ଏହାପରେ ଦୁର୍ନୀତି ସମେତ ବିଭିନ୍ନ ମାମଲାରେ ଆଇନଗତ ଜଟିଳତାରେ ଫସିଥିବା ଇମ୍ରାନ ୨୦୨୩ ମସିହାରୁ ଜେଲରେ ଅଛନ୍ତି।

ଏବେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଉଠିଥିବା ନୂଆ ପ୍ରଶ୍ନ ପାକିସ୍ତାନର ରାଜନୀତିକ ମାହୋଲକୁ ପୁଣି ସରଗରମ କରିଛି। ସମସ୍ତଙ୍କ ନଜର ଏବେ ମେଡିକାଲ ବୋର୍ଡର ରିପୋର୍ଟ ଉପରେ। ରିପୋର୍ଟ ଆସିବା ପରେ ଇମ୍ରାନଙ୍କ ଚିକିତ୍ସା ଓ ପରବର୍ତ୍ତୀ ବ୍ୟବସ୍ଥା ନେଇ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର।