Odia News Portal

କଟକରେ ଆପାର୍ଟମେଣ୍ଟ ଭୁଷୁଡିବା ଘଟଣାରେ ତନାଘନା, ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏ ସହାୟତା ଘୋଷଣା

କଟକରେ ଆପାର୍ଟମେଣ୍ଟ ଭୁଷୁଡିବା ଘଟଣାରେ ତନାଘନା । ଏତେ ବଡ଼ ଦୁର୍ଘଟଣା ପାଇଁ ଦାୟୀ କିଏ ଚାଲିଛି ତନାଘନା। ସେପଟେ କଟକ ସହରରେ ଥିବା ଅସୁରକ୍ଷିତ କୋଠାର ଯାଂଚ ପାଇଁ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ ହୋଇଛି । ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠିତ ହୋଇଛି। ସଦର ଉପଜିଲ୍ଲାପାଳ, ସିଏମସି ସିଟି ଇଂଜିନିୟର ଓ ଆର.ଏଣ୍ଡ.ବି ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ କମିଟି ଗଠନ କରାଯାଇଛି। ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବ ଟିମ୍। କମିଟି ସହରର ସମସ୍ତ ଅସୁରକ୍ଷିତ କୋଠାକୁ ଚିହ୍ନଟ କରିବା ସହ ସେଗୁଡିକୁ ଉଚ୍ଛେଦ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ମଣିସାହୁ ଛକ ନିକଟ ଏକ ଫ୍ଲାଟର ବାଲକୋନି ଭାଙ୍ଗି ତଳେ ଥିବା ଆଜବେଷ୍ଟସ ଘର ଉପରେ ପଡ଼ିଥିଲା।ଫଳରେ ଘର ଭିତରେ ଥିବା ବ୍ୟକ୍ତିମାନେ ମୃତାହତ ହୋଇଥିଲେ। ଜଣେ ଶିଶୁଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ କଟକ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରିଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।